ଅବସରପ୍ରାପ୍ତ ସେନା ଅଧିକାରୀ କେ ପି ଧଳସାମନ୍ତଙ୍କ ପରଲୋକ

ଅବସରପ୍ରାପ୍ତ ସେନା ଅଧିକାରୀ କେ ପି ଧଳସାମନ୍ତଙ୍କ ପରଲୋକ

ଭୁବନେଶ୍ବର : ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କପିଳ ପ୍ରସାଦ ଧଳସାମନ୍ତଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ହେଲା ଗୁରୁତର ଅସୁସ୍ଥ ହୋଇ ନୂଆଦିଲ୍ଲୀରେ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିଲା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସେନାବାହିନୀର ବରିଷ୍ଠ ଅଧିକାରୀମାନେ ତାଙ୍କର ଶେଷ ଦର୍ଶନ କରିଥିଲେ। ନୂଆଦିଲ୍ଲୀରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ବାଙ୍କୀ ଡମପଡ଼ାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ କେ ପି ଧଳସାମନ୍ତ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ‌ଜଣେ ପରିଚିତ ବ୍ୟକ୍ତିତ୍ବ। ଭୁବନେଶ୍ୱର ସୈନିକ ସ୍କୁଲ୍‌ର ପ୍ରଥମ ବ୍ୟାଚ୍‌ର ଛାତ୍ର ଥିବା ସ୍ବର୍ଗତ ସାମନ୍ତ ମାତ୍ର ୧୯ ବର୍ଷ ବୟସରେ ସେନାରେ ସାମିଲ ହୋଇଥିଲେ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସେ ଲଢ଼ିଥିଲେ। ଏହି ଲଢ଼େଇରେ ନିଜର ବୀରତ୍ୱ ପାଇଁ ସେ ପୁରବୀ ଷ୍ଟାର ସମ୍ମାନରେ ସମ୍ମାନିତ ହୋଇଥିଲେ।

ବାଂଲାଦେଶ ମୁକ୍ତି ପାଇଁ ହୋଇଥିବା ଏହି ଯୁଦ୍ଧରେ ପ୍ରମୁଖ ଭୂମିକା ଯୋଗୁ ସେଠାକାର ସରକାର ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ବାଂଲାଦେଶ ମୁକ୍ତି ଯୁଦ୍ଧରେ ସାମିଲ୍‌ ହୋଇଥିବାରୁ ବିଭିନ୍ନ ସମୟରେ ବାଂଲାଦେଶ ସରକାର ତାଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରୁଥିଲେ। ସ୍ବର୍ଗତ ସାମନ୍ତ ପଞ୍ଜାବରେ ଆତଙ୍କବାଦୀଙ୍କୁ ନିପାତ ପାଇଁ ହୋଇଥିବା ଅପରେସନ୍‌ ବ୍ଲୁ ଷ୍ଟାରରେ ସାମିଲ ହୋଇଥିଲେ। ୧୯୯୯ ମସିହା କାର୍‌ଗିଲ୍ ଯୁଦ୍ଧରେ ମଧ୍ୟ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ସ୍ବର୍ଗତ ଧଳସାମନ୍ତଙ୍କର ବେଶ୍‌ ଅଭିଜ୍ଞତା ରହିଥିଲା। ସେ ୨୦୦୨ ବିହାର ବନ୍ୟା ଏବଂ ଗୟାରେ ରାଜଧାନୀ ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଥିଲେ।

୨୦୦୭ ମସିହାରେ ରାଷ୍ଟ୍ରୀୟ ରାଇଫଲ୍‌ର ମହାନିର୍ଦ୍ଦେଶକ ଭାବେ ସ୍ବର୍ଗତ ଧଳସାମନ୍ତ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୦ ଯାଏ ସେ ଏହି ପଦବିରେ ରହି ଅବସର ଗ୍ରହଣ କରିଥିଲେ। ଏହି ସଂସ୍ଥାର ଆଧୁନିକୀକରଣ ପାଇଁ ସେ ବହୁ ପଦକ୍ଷେପ ନେଇଥିଲେ। ତାଙ୍କ କାର୍ଯ୍ୟକାଳ ଭିତରେ ରାଷ୍ଟ୍ରୀୟ ରାଇଫଲ୍‌ର ମାନବାଧିକାର ଉଲ୍ଲଂଘନ ନେଇ ଗୋଟିଏ ବି ମାମଲା ଆସି ନ ଥିଲା। ଅବସର ପରେ ସେ କୋଲକାତାସ୍ଥିତ ଆର୍ମଡ୍‌ ଫୋର୍ସେସ୍‌ ଟ୍ରିବ୍ୟୁନାଲ୍‌ର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ତାହା ପରେ ସେ ଭୁବନେଶ୍ବରରେ ରହୁଥିଲେ ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ ହେଉଥିଲେ।

ମୃତ୍ୟୁ ଶଯ୍ୟା ନିକଟରେ ସ୍ବର୍ଗତ ଧଳସାମନ୍ତଙ୍କ ପତ୍ନୀ ସୁମନାଞ୍ଜଳି ଦେବୀ ଓ ପୁଅ ପ୍ରଣବ ଧଳସାମନ୍ତ ଉପସ୍ଥିତ ଥିଲେ। ପ୍ରଣବ ସମ୍ପ୍ରତି ନୂଆଦିଲ୍ଲୀରେ ଇକୋନୋମିକ୍ ଟାଇମ୍‌ସ୍‌ରେ ଉପ କାର୍ଯ୍ୟନିର୍ବାହୀ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe