ଏ.ଏମ୍‌. ଚିଟ୍‌ଫଣ୍ଡ ମାମଲା: ଟଙ୍କା ଫେରସ୍ତ ପାଇଲେ ୪ କ୍ଷୁଦ୍ର ଜମାକାରୀ

Advertisment
ଚିଟଫଣ୍ଡ କମ୍ପାନୀର ଜବତ ଜମି ବିକ୍ରି ମସୁଧା, ସିବିଆଇ ତଦନ୍ତ ଦାବି

କଟକ : ଚିଟଫଣ୍ଡରେ ଅର୍ଥ ଲଗାଇ କ୍ଷତି ସହିଥିବା ୪ ଜଣ କ୍ଷୁଦ୍ର ଜମାକାରୀ ଆଜି ତାଙ୍କର ଅର୍ଥ ଫେରିପାଇଛନ୍ତି । ଏହି କ୍ଷୁଦ୍ର ଜମାକାରୀଙ୍କୁ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଏ.ଏମ୍‌ ପ୍ରାଇଭେଟ ଲିମିଟେଡ ଜଷ୍ଟିସ ଏମ. ଏମ. ଦାସ କମିଶନଙ୍କ ଉପସ୍ଥିତିରେ ଅର୍ଥ ଫେରାଇଛି। ଜଷ୍ଟିସ ଏମ.ଏମ.ଦାସ କମିଶନଙ୍କ ନିକଟରେ କମ୍ପାନୀର ନିର୍ଦ୍ଦେଶକ ଦୀପକ କୁମାର ବେହେରା ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ଆଜି ଶୁଣାଣି ବେଳେ ସେ ଅନୁପସ୍ଥିତ ଥିଲେ । ଶ୍ର୍ରୀ ବେହେରାଙ୍କ ତରଫରୁ ତାଙ୍କ ଓକିଲ କମିଶନଙ୍କ ନିକଟରେ କ୍ଷତିପୂରଣ ରାଶି ପୈଠ କରିଥିଲେ। ଏଥିସହିତ ବ୍ୟକ୍ତିଗତ ହାଜିରା ନେଇ ଶ୍ରୀ ବେହେରା ନୋଟିସ ପାଇ ନ ଥିବା ତାଙ୍କ ଆଇନଜୀବୀ କମିଶନଙ୍କୁ ଅବଗତ କରାଇଥିଲେ। ତେବେ ଏକ ମାସ ମଧ୍ୟରେ ଅବଶିଷ୍ଟ ୨୭ ଜଣ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ ସହ ବ୍ୟକ୍ତିଗତ ହାଜିରା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ନୟାପଲ୍ଲୀରେ ଅବସ୍ଥିତ ଏହି କମ୍ପାନୀ ନାଁରେ ୩୫ ଜଣ କ୍ଷୁଦ୍ର ଜମାକାରୀ ମାମଲା ରୁଜୁ କରିଥିବାବେଳେ ପ୍ରଥମ ଦଫାରେ କମ୍ପାନୀ ୪ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ଦେଇଥିଲା। ଅନ୍ୟପଟେ କମ୍ପାନୀ ଜମାକାରୀଙ୍କୁ ଅର୍ଥ ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟାଳୟରେ ଅର୍ଥ ଫେରସ୍ତ ଲାଗି ସୂଚନା ଦେଇଥିଲା। ତେବେ ଜମାକାରୀମାନେ କମିଶନଙ୍କ କାର୍ଯ୍ୟାଳୟକୁ ଆସିଥିଲେ ମଧ୍ୟ ଏହି ଚିଟଫଣ୍ଡ ସଂସ୍ଥା ଧରାଛୁଆଁ ଦେଇ ନଥିଲା । ଏହି ମାମଲାରେ ଗଭୀର ଅସନ୍ତୋଷ ପ୍ରକାଶ କରି ତୁରନ୍ତ ଅର୍ଥ ପୈଠ ସହ କମ୍ପାନୀ ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ କମିସନ ନିର୍ଦ୍ଦେଶ ଦେଇଥିଲେ। ଏହି ଜମାକାରୀମାନେ ୧୦ ହଜାର ଟଙ୍କାରୁ କମ୍‌ ପରିମାଣର କ୍ଷତି ସହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe