କଟକ : ପୁରୀ ଜିଲ୍ଲା ବୀରଗୋବିନ୍ଦପୁରର ମା’ ଦକ୍ଷିଣକାଳୀଙ୍କ ପୀଠରେ ଚଳିତ ବର୍ଷ କାଳୀପୂଜା ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁରୀ ଏସପି ପଦକ୍ଷେପ ଗ୍ରହଣ କରିବେ। ଏଥି ସହିତ ଦେବୋତ୍ତର ସହକାରୀ କମିସନରଙ୍କ ତତ୍ତ୍ୱାବଧାନରେ ପୀଠରେ କାଳୀ ପୂଜା ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ। ୨୦୧୭, ଅକ୍ଟୋବର ୪ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ସହକାରୀ କମିସନର ପାଳନ କରିବେ ବୋଲି ଆଜି ଜଷ୍ଟିସ ଏସ୍.ସି.ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଗିରୀଶ ଚନ୍ଦ୍ର ବାନାର୍ଜୀଙ୍କୁ ପୂର୍ବ ଭଳି ମା’ ଦକ୍ଷିଣ କାଳୀ ପୀଠରେ ସେବାପୂଜା ଓ ନୀତିକାନ୍ତି କରିବା ପାଇଁ ଦେବୋତ୍ତର କମିସନର ୨୦୧୭, ସେପ୍ଟେମ୍ବର ୨୬ରେ ପ୍ରଦାନ କରିଥିବା ଆଦେଶ କାଏମ ରହିଛି। ଏଥି ସହିତ ହାଇକୋର୍ଟଙ୍କ ଅକ୍ଟୋବର ୪ ତାରିଖର ନିର୍ଦ୍ଦେଶ ଅନୁସାରେ ମା’ ଦକ୍ଷିଣ କାଳୀଙ୍କ ମୁଖ୍ୟ ପୂଜକ ଶ୍ରୀ ବାନାର୍ଜୀଙ୍କ ସହିତ ଦୁର୍ଗା ମାଧବ କୋଠ ଦ୍ୱାରା ନିଯୁକ୍ତ ଅଗାଧୁ ଦୀକ୍ଷିତ ମଧ୍ୟ କାଳୀପୂଜା ସମୟର ସେବା ପୂଜାରେ ସାମିଲ ହେବେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୟାନନ୍ଦ ମହାପାତ୍ର, ଦେବୋତ୍ତର କମିସନରଙ୍କ ପକ୍ଷରୁ ଅମିତ କୁମାର ନାଥ, ଗିରୀଶଚନ୍ଦ୍ର ବାନାର୍ଜୀଙ୍କ ପକ୍ଷରୁ ସିର୍ଦ୍ଧାର୍ଥ ମିଶ୍ର ଓ ପ୍ରଦୀପ କୁମାର ମହାପାତ୍ର ଏବଂ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର ଓ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଛନ୍ତି।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀ ଏସପିଙ୍କୁ ନିର୍ଦ୍ଦେଶ
Advertisment
Follow Us