ସେବକଙ୍କୁ ଏତେ ଡର! ୩ ଦଶନ୍ଧି ଧରି ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ମହାଲକ୍ଷ୍ମୀଙ୍କ ବିଘ୍ନ ପ୍ରତିମା

ରତ୍ନଭଣ୍ଡାରରେ ରହିଛି ସୁବର୍ଣ୍ଣ ମୂର୍ତ୍ତି, ପୂଜାପଣ୍ଡା-ପୁଷ୍ପାଳକ ବିବାଦରୁ ଅଟକିଛି ପ୍ରତିଷ୍ଠା

ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା: ୨୦୨୩ରେ ୨୨.୩୪ ଲକ୍ଷ ଓ ୨୦୨୧ରେ ୨୮.୧୦ ଲକ୍ଷ ଟଙ୍କା ମିଳିଥିଲା

the financial express

ପୁରୀ: ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ମହାଲକ୍ଷ୍ମୀଙ୍କ ବିଘ୍ନ ପ୍ରତିମା। ଇତିମଧ୍ୟରେ ତିନି ଦଶନ୍ଧି ବିତିବାକୁ ବସିଲାଣି। ମହାଲକ୍ଷ୍ମୀଙ୍କ ନୂଆ ସୁବର୍ଣ୍ଣ ମୂର୍ତ୍ତି ତିଆରି ହୋଇଥିଲେ ବି ବିବାଦ କାରଣରୁ ଏହା ପ୍ରତିଷ୍ଠା ହୋଇପାରୁନି। ବରଂ ଏହି ପ୍ରତିମା ଏବେ ବି ରତ୍ନଭଣ୍ଡାରରେ ଅଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନା ଶ୍ରୀମନ୍ଦିର ପ୍ରଶାସନ ନା ସେବାୟତ କେହି ବି ଏଥିପ୍ରତି ଆନ୍ତରିକତା ଦେଖାଉନାହାନ୍ତି। ସଂପ୍ରତି ଏବେ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗଟି ପୁଣି ଥରେ ସାମ୍ନାକୁ ଆସିଛି। ଅଳଙ୍କାର ଗଣତି ଓ ମଣତି ପ୍ରକ୍ରିୟା ସହିତ ରାଜ୍ୟ ସରକାର ଦୃଷ୍ଟି ଦେଲେ, ବିଘ୍ନ ପ୍ରତିମା ବଦଳରେ ଏହି ସୁବର୍ଣ୍ଣ ପ୍ରତିମା ଆସ୍ଥାନରେ ପୂଜା ପାଇପାରିବେ ବୋଲି ମତ ଜୋର ଧରିଲାଣି।

ମହାଲକ୍ଷ୍ମୀଙ୍କ ଚଳନ୍ତି ପ୍ରତିମା ଭାବେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ଶ୍ରୀଦେବୀ। ମା’ ସରସ୍ବତୀଙ୍କ ଚଳନ୍ତି ପ୍ରତିମା ଭାବେ ପୂଜା ପାଉଛନ୍ତି ଭୂଦେବୀ। ଅତୀତରେ ଶ୍ରୀଦେବୀଙ୍କ ମୂର୍ତ୍ତିରେ ବିଘ୍ନ ଦେଖାଦେବାରୁ ପ୍ରତି ବଦଳରେ ନୂଆ ସୁବର୍ଣ୍ଣ ମୂର୍ତ୍ତି ତିଆରି କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ଭିତର ରତ୍ନଭଣ୍ଡାରରୁ ଆବଶ୍ୟକ ସୁବର୍ଣ୍ଣ ଅଳଙ୍କାର କାଢ଼ି ବଣିଆଙ୍କ ଜରିଆରେ ମହାଲକ୍ଷ୍ମୀଙ୍କ ନୂଆ ସୁବର୍ଣ୍ଣ ମୂର୍ତ୍ତି ତିଆରି କରିଥିଲା। କୁହାଯାଉଛି, ୧୯୭୨ ଓ ୧୯୭୪ ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ସୁନା ଆଣି ଏହି ମୂର୍ତ୍ତି ତିଆରି ହୋଇଥିଲା। କିନ୍ତୁ ମୂର୍ତ୍ତି ପ୍ରତିଷ୍ଠା ଓ ପୂଜାକୁ ନେଇ ବିବାଦ ମୁଣ୍ଡ ଟେକିବାରୁ ଏହି ନୂଆ ସୁବର୍ଣ୍ଣ ମୂର୍ତ୍ତି ଏବେ ବି ଭିତର ରତ୍ନଭଣ୍ଡାରରେ ଅଛନ୍ତି। ଶ୍ରୀମନ୍ଦିର ପାଳିଆ ପୂଜାପଣ୍ଡା ସେବକ ସୁଦର୍ଶନ ପୂଜାପଣ୍ଡା ସାମନ୍ତ କହିଛନ୍ତି, ୧୯୯୬ ମସିହା ନବକଳେବର ସମୟରେ ଶେଷଥର ନୂଆ ସୁବର୍ଣ୍ଣ ପ୍ରତିମା ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ମୂର୍ତ୍ତି ପ୍ରତିଷ୍ଠାକୁ ନେଇ ପୂଜାପଣ୍ଡା ଓ ପୁଷ୍ପାଳକ ସେବକଙ୍କ ଭିତରେ ବିବାଦ କାରଣରୁ ଏହି ସୁବର୍ଣ୍ଣ ପ୍ରତିମା ପ୍ରତିଷ୍ଠା ହୋଇପାରିନଥିଲା। ପରେ ଏହାକୁ ଭିତର ରତ୍ନଭଣ୍ଡାର ଘରେ ରଖି ଦିଆଗଲା। ୨୦୧୫ ନବକଳେବର ସମୟରେ ଏହି ସୁବର୍ଣ୍ଣ ମୂର୍ତ୍ତି ପ୍ରତିଷ୍ଠା ହୋଇପାରିଥାନ୍ତା। ହେଲେ ସେବେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଲେନି। ଏଣୁ ଏବେ ଭିତର ରତ୍ନଭଣ୍ଡାରରେ ସେହିଭଳି ଅପୂଜା ଅବସ୍ଥାରେ ମୂର୍ତ୍ତି ରଖାଯାଇଛି।

ରତ୍ନଭଣ୍ଡାରରେ ରହିଛି ସୁବର୍ଣ୍ଣ ମୂର୍ତ୍ତି
ପୂଜାପଣ୍ଡା-ପୁଷ୍ପାଳକ ବିବାଦରୁ ଅଟକିଛି ପ୍ରତିଷ୍ଠା
ହାତ ଟେକି ବସିଛନ୍ତି ପ୍ରଶାସନ, ସରକାର

ପୁଷ୍ପାଳକ ନିଯୋଗ ସଂପାଦକ ହରେକୃଷ୍ଣ ସିଂହାରୀ କହିଛନ୍ତି, ଅତୀତରେ ମୂର୍ତ୍ତି ପ୍ରତିଷ୍ଠା ହେବ କି ସେହିଭଳି ପୂଜା ହେବ, ତାକୁ ନେଇ ପୂଜାପଣ୍ଡା ଓ ପୁଷ୍ପାଳକ ବା ମହାଜନ ସେବକଙ୍କ ଭିତରେ ବିବାଦ ଦେଖା ଦେଇଥିଲା। ଏ ଭିତରେ ମୁକ୍ତିମଣ୍ଡପ ବ୍ରାହ୍ମଣମାନେ ଆଉ ଏକ ନୂଆ ବିବାଦ ଠିଆ କରିଥିଲେ। ପୂଜାପଣ୍ଡା ସେବକ ନୁହଁନ୍ତି, ବରଂ ମୁକ୍ତିମଣ୍ଡପ ବ୍ରାହ୍ମଣମାନେ ମୂର୍ତ୍ତି ପ୍ରତିଷ୍ଠା କରିବେ ବୋଲି ଜିଦ୍‌ ଧରିଥିଲେ। ଏହି ବାଦବିବାଦ ଭିତରେ ନୂଆ ମୂର୍ତ୍ତିକୁ ସେହିଭଳି ଭିତର ରତ୍ନଭଣ୍ଡାରରେ ରଖି ଦିଆଯାଇଥିଲା। ଝାମୁ ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଏତେ ଦିନ ହେଲାଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର କାହିଁକି ନବନିର୍ମିତ ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୂର୍ତ୍ତି ରଖାଯାଇଛି, ତାର ତଦନ୍ତ ହେଉ। ଏହି ନୂଆ ମୂର୍ତ୍ତିକୁ ଆଣି ପୂଜା କରାଯାଉ। ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟି ଦେବାକୁ ଶ୍ରୀ ଖୁଣ୍ଟିଆ ଦାବି କରିଛନ୍ତି। ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, କେତେ ବର୍ଷ ତଳେ ବିବାଦ ଦେଖା ଦେଇଥିଲା ଠିକ୍‌ ଭାବେ କହି ନ ପାରିଲେ ବି ପୂଜାପଣ୍ଡା ଓ ପୁଷ୍ପାଳକ ବିବାଦ କାରଣରୁ ନୂଆ ସୁବର୍ଣ୍ଣ ମୂର୍ତ୍ତି ଅପୂଜା ରହିଛନ୍ତି ଓ ଭିତର ରତ୍ନଭଣ୍ଡାରରେ ଏହି ମୂର୍ତ୍ତି ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe