ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’, ଅନ୍‌ଲାଇନ୍‌ରେ ଦର୍ଶନ କଲେ ଶ୍ରଦ୍ଧାଳୁ

Advertisment
ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’, ଅନ୍‌ଲାଇନ୍‌ରେ ଦର୍ଶନ କଲେ ଶ୍ରଦ୍ଧାଳୁ

ସମ୍ବଲପୁର : ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବର୍ଷସାରା ଲୋହିତବର୍ଣ୍ଣା ଉଜ୍ବଳ ତେଜଧାରିଣୀ ମା’ ଦିନକ ପାଇଁ ଶାନ୍ତ ଦୀପ୍ତିମନ୍ତ ଶ୍ବେତବର୍ଣ୍ଣ ଧାରଣ କରିଛନ୍ତି। ଶୁଭ୍ର ପ୍ରଲେପରେ ମା’ଙ୍କ ମୁଖମଣ୍ଡଳ ସମ୍ପୂର୍ଣ୍ଣ ଧବଳବର୍ଣ୍ଣା ହୋଇଥିବା ସମୟରେ ଶ୍ବେତପଦ୍ମ, ମଲ୍ଲୀ, ଟଗର ଭଳି ଶ୍ବେତବର୍ଣ୍ଣୀ ଫୁଲ ମଧ୍ୟ ଲାଗି ହୋଇଛି। କରୋନା କଟକଣା ପାଇଁ ଚଳିତ ବର୍ଷ ଶ୍ରଦ୍ଧାଳୁମାନେ ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇପାରିନଥିଲେ ମଧ୍ୟ ଦିନସାରା ଫେସ୍‌ବୁକ୍‌ ପେଜ୍‌ରେ ଲାଇଭ୍‌ ଦର୍ଶନର ସୁଯୋଗ ପାଇଛନ୍ତି। ମା’ଙ୍କ ଏହି ଧବଳମୁଖୀ ବେଶ ଦର୍ଶନରେ ଗଙ୍ଗାଦର୍ଶନର ପୁଣ୍ୟଲାଭ ହୁଏ ବୋଲି ବିଶ୍ବାସ ରହିଛି।

ଅନ୍ୟ ବର୍ଷମାନଙ୍କଠାରୁ ଚଳିତ ବର୍ଷ ଏହି ବେଶ ଖୁବ୍‌ ନିଆରା ରହିଛି। ପ୍ରତିବର୍ଷ ମାଁଙ୍କର ଏହି ବେଶ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ମାତ୍ର ଆଜି (ଗୁରୁବାର) ମନ୍ଦିର ପରିସରରେ ଗହଳି ନ ଥିଲା। ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଫାଟକ ବନ୍ଦ ଥିଲା। ମନ୍ଦିରଠାରୁ ପ୍ରାୟ ୫୦ ମିଟର ଦୂରତାରେ ପୁଲିସ୍‌ ବାରିକେଡ୍‌ ପକାଇ ଜଗି ରହିଥିଲେ। ତେବେ, ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌ରେ ଦିନତମାମ୍‌ ମା’ଙ୍କ ଲାଇଭ୍‌ ଦର୍ଶନ ଜାରି ରହିଥିଲା।

ସେପଟେ ବୁଧବାର ମଧ୍ୟରାତ୍ରୀରୁ ମା’ଙ୍କୁ ଏହି ଧବଳ ବେଶରେ ସଜ୍ଜିତ କରାଯାଇଥିଲା। ଶଙ୍ଖ, ଗୋପୀ ତିଳକ, ଅଗୁରୁ, ଚନ୍ଦନ ପ୍ରଭୃତି ଦ୍ରବ୍ୟରେ ପ୍ରସ୍ତୁତ ମିଶ୍ରଣର ଶ୍ବେତ ପ୍ରଲେପ ଲଗାଇ ଲୋହିତ ବର୍ଣ୍ଣା ମା’ ସମଲେଶ୍ବରୀଙ୍କୁ ଶୁଭ୍ର ରଙ୍ଗ ଦିଆଯାଇଥିଲା। ଭୋରରୁ ପୂଜକମାନେ ମାଙ୍କର ଏହି ବେଶ ସଂପୂର୍ଣ୍ଣ କରିବା ପରେ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା ହୋଇଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ମନ୍ଦିର ପୂଜକମାନେ ମଧ୍ୟ ଶ୍ବେତ ବସ୍ତ୍ର ପିନ୍ଧି ମା’ଙ୍କୁ ବେଶ ଓ ପୂଜାର୍ଚ୍ଚନା କରିଥିଲେ। ମା’ ସମଲେଶ୍ବରୀଙ୍କ ସମେତ ପାଟଣେଶ୍ବରୀ, ବାଟମଙ୍ଗଳା, ଭୁବନେଶ୍ବରୀ ଓ ଅନ୍ୟ ଦେବୀମାନେ ମଧ୍ୟ ଆଜି ଧବଳମୁଖୀ ବେଶ ଧାରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe