ମା’ ତାରିଣୀ ମନ୍ଦିର: ବିକାଶ ପାଇଁ ‘ହାତଟେକା’ ଭରସା

୬୦ କୋଟିର ସ୍ଥାୟୀଜମା, ଖର୍ଚ୍ଚ ହେଉନଥିବାରୁ ଆପତ୍ତି ଉଠାଉଛି ଆୟକର ବିଭାଗ

ମା’ ତାରିଣୀଙ୍କ ଚଇତି ପର୍ବ ପାଇଁ ପ୍ରସ୍ତୁତି: ଆସିଲେନି ବହୁ ଅଧିକାରୀ

ଆନନ୍ଦ ଚନ୍ଦ୍ର ସିଂହ
ଘଟଗାଁ: କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ରହିଛି ଅମାପ ସମ୍ପତ୍ତି। ମନ୍ଦିରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୬୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ସ୍ଥାୟୀ ଜମା ରହିଛି। ସଞ୍ଚୟଖାତାରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ରହିଛି। ଏହାସହ ବିଭିନ୍ନ ଉତ୍ସରୁ ମନ୍ଦିର ପାଣ୍ଠିକୁ ବର୍ଷକୁ କୋଟିକୋଟି ଟଙ୍କା ଆସୁଛି। ତଥାପି ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ ପାଇଁ ସରକାର ନଚେତ ଶ୍ରଦ୍ଧାଳୁଙ୍କ ହାତଟେକା ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହି ଅର୍ଥ ବିନିଯୋଗ ହୋଇଥିଲେ ମନ୍ଦିର ଆୟ ବୃଦ୍ଧି ସହ ସ୍ଥାନୀୟ ଲୋକଙ୍କ ହାତକୁ କାମ ମିଳିପାରନ୍ତା। ହେଲେ ଏ ନେଇ କୌଣସି ଉଦ୍ୟମ ନାହିଁ। ଅନ୍ୟପକ୍ଷରେ ବର୍ଷବର୍ଷ ଧରି ଆକାଉଣ୍ଟରେ ଟଙ୍କା ଜମା ହେଉଥିବା ସତ୍ତ୍ବେ ଖର୍ଚ୍ଚ ହେଉନଥିବାରୁ ଆୟକର ବିଭାଗ ଆପତ୍ତି ଉଠାଇଛନ୍ତି। ଆୟକର ବିଭାଗ ଏ ନେଇ ବାରମ୍ବାର ମନ୍ଦିର କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ କରିଥିବା ଜଣାପଡ଼ିଛି। ଘଟଗାଁ ମା’ ତାରିଣୀଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ଦାନ, ଦକ୍ଷିଣା ସମେତ ମାନସିକ ନଡ଼ିଆରୁ ଉଲ୍ଲେଖନୀୟ ଆୟ ହୋଇଥାଏ। ପ୍ରତ୍ୟେକ ବର୍ଷ ମାନସିକ ନଡ଼ିଆରୁ ୧କୋଟି, ହୁଣ୍ତିରୁ ୨ କୋଟି, ଦୋକାନ ଗୃହ ନିଲାମ, ଚୁଳ ସମର୍ପଣ, ଭୋଗ ମହାସୁଲରୁ ବର୍ଷକୁ ୧କୋଟି ଏଭଳି ମୋଟ ୪ରୁ ୫କୋଟି ଟଙ୍କା ଆସୁଛି। ୨୦୧୨ରୁ ମନ୍ଦିର ପରିଚାଳନା ପାଇଁ ସ୍କିମ୍‌ ଟ୍ରଷ୍ଟବୋର୍ଡ ଗଠନ କରାଯାଇଛି। ନିୟମ ଅନୁଯାୟୀ ଆୟର ଶତକଡ଼ା ୮୫ ଭାଗ ଅର୍ଥ ଖର୍ଚ୍ଚ କରିବାକୁ ନିର୍ଦେଶ ରହିଛି। ପର୍ବପର୍ବାଣିଠାରୁ ଆରମ୍ଭ କରି କର୍ମଚାରୀଙ୍କ ଦରମା ଓ ମନ୍ଦିର ଉନ୍ନୟନ କାର୍ଯ୍ୟ କରିବାପାଇଁ ଏହି ଟଙ୍କା ଖର୍ଚ୍ଚ ହେବ। ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ଉନ୍ନୟନ କାର୍ଯ୍ୟପାଇଁ ପ୍ରସ୍ତାବ ଗ୍ରହଣ କରି ଦେବୋତ୍ତର ବିଭାଗକୁ ପଠାଇଲେ ତାହାକୁ ଅନୁମୋଦନ ମିଳୁନି। ଫଳରେ ମନ୍ଦିରର ଉନ୍ନୟନ କାମ ହୋଇପାରୁ ନାହିଁ।

ତାରିଣୀ ପୀଠକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଗାଡ଼ିମୋଟର ରଖିବାପାଇଁ ପାର୍କିଂ ବ୍ୟବସ୍ଥା ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ମନ୍ଦିର ପାଖକୁ ଲାଗି ଜମି କିଣିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାହାକୁ ଅଗ୍ରାହ୍ୟ କରାଯାଇଛି। ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ର ଉଭୟ ପାର୍ଶ୍ବରେ ସ୍ବାଗତ ତୋରଣ ନିର୍ମାଣର ଆବଶ୍ୟକତା ରହିଛି। ସ୍ବାଗତ ତୋରଣ ନଥିବାରୁ ପର୍ଯ୍ୟଟକମାନେ ବାଟହୁଡ଼ି କେନ୍ଦୁଝର ନଚେତ ଆନନ୍ଦପୁର ଆଡ଼କୁ ପଳାଇଥାନ୍ତି। ବାଇପାସ୍‌ରେ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ସଂଧ୍ୟା ହେଲେ ସମ୍ପୃକ୍ତ ଅଞ୍ଚଳ ଅନ୍ଧକାରମୟ ହୋଇଯାଉଛି। ପୀଠରେ ଗରିବ ଲୋକଙ୍କ ପାଇଁ ଧର୍ମଶାଳାଟିଏ ନାହିଁ। ମନ୍ଦିର ପରିସରରେ ଥିବା ଅତିଥି ନିବାସ ଭିଆଇପିଙ୍କ କବ୍‌ଜାରେ ଅଧିକାଂଶ ସମୟ ରହୁଛି। ସାଧାରଣ ଲୋକେ ଏହାର ସୁବିଧା ପାଉନାହାନ୍ତି। ମା’ଙ୍କ ପୀଠକୁ ଲାଗି ହରିଣ ପାର୍କ, ବଣଭୋଜି ପାଇଁ ଆଡ଼ିବନ୍ଧ, ମନ୍ଦିର ପରିସର ପୋଖରୀର ସୌନ୍ଦର୍ଯ୍ୟୀକରଣ ପାଇଁ ପ୍ରସ୍ତାବ ଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁ ନାହିଁ। କେବଳ ଶ୍ରଦ୍ଧାଳୁ ଓ ବିଭିନ୍ନ ଅନୁଷ୍ଠାନ ଦ୍ବାରା ପୀଠର ଅଧିକାଂଶ ବିକାଶ ହୋଇଛି। କୋଟିକୋଟି ଟଙ୍କା ମହଜୁଦ ଥିବା ସତ୍ତ୍ବେ ମନ୍ଦିରର ଉନ୍ନତି ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ମନ୍ଦିରର ଅର୍ଥ ଥାଇ ମଧ୍ୟ ସ୍ବାଗତ ତୋରଣ, ଧର୍ମଶାଳା ଓ ପାର୍କିଂ ବ୍ୟବସ୍ଥା ହୋଇନପାରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ପୂର୍ବତନ ବ୍ଲକ୍‌ ବିଜେଡି ସଭାପତି ପଦ୍ମଲୋଚନ ବଳ କହିଛନ୍ତି। ବ୍ୟାଙ୍କରେ ଗଚ୍ଛିତ ଥିବା ଟଙ୍କାରେ ଦେବୋତ୍ତର ବିଭାଗ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଭିତ୍ତିଭୂମି ନିର୍ମାଣ କରିବା ଦରକାର। ପୁରୀ ଶ୍ରୀମନ୍ଦିର ପରି କର୍ପସ ଫଣ୍ଡ ଗଠନ କରି ମା’ ତାରିଣୀଙ୍କ ଟଙ୍କା ରଖାଯିବା ଜରୁରୀ ବୋଲି ପୂର୍ବତନ ମନ୍ଦିର ଟ୍ରଷ୍ଟବୋର୍ଡ ସଦସ୍ୟ ବିଶ୍ବନାଥ ବେଜ କହିଛନ୍ତି। ଦେବୋତ୍ତର ବିଭାଗ ମନ୍ଦିର ଉନ୍ନୟନ କାର୍ଯ୍ୟକୁ ଅଣଦେଖା କରୁଛି। ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତାମତ ନେଇ ଶ୍ରଦ୍ଧାଳୁଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ଭିତ୍ତିଭୂମି ନିର୍ମାଣ ହେବା ଦରକାର ବୋଲି ସମାଜସେବୀ ଜଗବନ୍ଧୁ ସା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe