ମା’ତାରିଣୀଙ୍କ ସୁନାବେଶ: ଲାଗିହେଲା ମକରଚାଉଳ

Advertisment
ମା’ତାରିଣୀଙ୍କ ସୁନାବେଶ: ଲାଗିହେଲା ମକରଚାଉଳ

ଘଟଗାଁ : ମକର ସଂକ୍ରାନ୍ତି ପାଇଁ ଘଟଗାଁ ମା’ ତାରିଣୀଙ୍କ ପୀଠ‌ରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇ ମକରଚାଉଳ ଲାଗି କରାଯାଇଛି। କରୋନା କଟକଣା ପାଇଁ ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନ ଉପରେ ରୋକ୍‌ ଲଗାଯାଇଥିବାରୁ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

ଶୁକ୍ରବାର ସକାଳୁ ପୂଜକ ରମେଶ ଦେହୁରୀ, ଶ୍ୟାମସୁନ୍ଦର ଦେହୁରୀ, ଦିଲୀପ କୁମାର ଦେହୁରୀ ମା’ଙ୍କ ଷୋଡ଼ଶ ଉପଚାର ସହ ଶାବରୀମନ୍ତ୍ରରେ ପୂଜାର୍ଚ୍ଚନା କରିଥିଲେ। ସଂକ୍ରାନ୍ତି ପାଇଁ ଆଜି ମା’ଙ୍କ ସୁନାବେଶ କରାଯାଇଥିଲା। ସ୍ବତନ୍ତ୍ର ଭାବେ ମକର ଚାଉଳ ପ୍ରସ୍ତୁତ କରାଯାଇ ମା’ଙ୍କ ନିକଟରେ ଭୋଗଲାଗି କରାଯାଇଥିଲା। ଏଥିରେ ଅରୁଆ ଚାଉଳ, କ୍ଷୀର, ଦହି, ଛେନା, ଗୁଡ଼, କଦଳୀ, ଅଦା, ଗୋଲମରିଚ ଆଦି ବ୍ୟବହାର କରାଯାଇଥିଲା। ପରେ ବଡ଼ସିଂହାର ପୂଜା ଓ ମଙ୍ଗଳ ଆଳତି କରାଯାଇଥିଲା।

publive-image

ଶୁକ୍ରବାର ଦିନ ଜଣେ ଶ୍ରଦ୍ଧାଳୁ ମା’ଙ୍କୁ ଦୁଇଟି ପିତଳ ଘୋଡ଼ା ଦାନ କରିଥିଲେ। ପୂଜାର୍ଚ୍ଚନା କରାଯାଇ ମା’ଙ୍କ ସମ୍ମୁଖରେ ଘୋଡ଼ା ଦୁଇଟିକୁ ରଖାଯାଇଛି। ମକର ସଂକ୍ରାନ୍ତି ପାଇଁ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଥାନ୍ତା। ହେଲେ କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ପାଇଁ ବାରଣ କରାଯାଇଥିଲା। ବିନା ଭକ୍ତରେ ମା’ଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ବହୁ ଶ୍ରଦ୍ଧାଳୁ ଆସି ମନ୍ଦିର ଆଗରୁ ଫେରି ଯାଇଥିଲେ। ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂହ, ନିର୍ମଳ କୁମାର ମହାନ୍ତି, ଦୟାନିଧି ମହାନ୍ତ, କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe