ବିପଦସଂକେତ ଉପରେ ମାଛକୁଣ୍ତ ଡି. ଡ୍ୟାମ୍‌

Advertisment
ବିପଦସଂକେତ ଉପରେ ମାଛକୁଣ୍ତ ଡି. ଡ୍ୟାମ୍‌

ଲମତାପୁଟ: କୋରାପୁଟ ଜିଲ୍ଲାରେ ୭ଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ମାଛକୁଣ୍ତ ବିଦ୍ୟୁତ୍‌ ପ୍ରକଳ୍ପର ଡି. ଡ୍ୟାମ୍‌ର ଜଳସ୍ତର ବିପଦସଂକେତ ଉପରେ ରହିଛି। ୪ ଦିନ ହେଲା ୬ ଓ ୭ ନମ୍ବର ଗେଟ୍‌ ଖୋଲା ଯାଇଥିବା ବେଳେ ଆଜି ଉଭୟ ଗେଟ୍‌ରୁ ପ୍ରତି ସେକେଣ୍ତ୍‌ରେ ୩ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି।

ଡି. ଡ୍ୟାମ୍‌ର ବିପଦସଂକେତ ୨୫୯୦ ଫୁଟ ରହିଥିଲା ବେଳେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ୨୫୯୨ ଫୁଟକୁ ବୃଦ୍ଧି ପାଇଛି। ଜଳସ୍ତର ବିପଦସଂକେତ ଅତିକ୍ରମ କରିବା ପରେ ବିଭାଗୀୟ ଅଧିକାରୀ ବାରମ୍ବାର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଆଜି ରାତିରେ ଯଦି ଏଭଳି ବର୍ଷା ଲାଗି ରହେ ତେବେ ଆଉ ଗୋଟିଏ ଗେଟ୍‌ ଖୋଲିବା ପାଇଁ ପ୍ରସ୍ତୁତ ରହିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ପ୍ରତି ସେକେଣ୍ତରେ ଡ୍ୟାମ୍‌ ଭିତରକୁ ୨୩୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳସ୍ତର ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। କର୍ମଚାରୀମାନେ ଗତକାଲିଠାରୁ ଡ୍ୟାମ୍‌ ଉପରେ ନଜର ରଖିଥିବା ବେଳେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଳସ୍ତର ବିଷୟରେ ଅବଗତ କରାଉଛନ୍ତି। ସେହିପରି ଜଲ୍ଲାପୁଟ ଡ୍ୟାମ୍‌ରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳସ୍ତର ବିପଦସଂକେତ ଟପିଲେ ଜଲ୍ଲାପୁଟ ଡ୍ୟାମ୍‌ର ଗେଟ୍‌ ଖୋଲାଗଲେ ପୁଣି ମାଛକୁଣ୍ତ ଡି. ଡ୍ୟାମ୍‌ରେ ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି। ତେଣୁ ଏହା ଉପରେ ମଧ୍ୟ ବିଭାଗୀୟ ଅଧିକାରୀ ନଜର ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe