ବେଆଇନ ମଦ କାରବାର ବନ୍ଦ ଦାବିରେ ମଦଭାଟି ଘେରାଉ

ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବା ବେଳେ କିଛି ଦିନ ତଳେ ଅନକାବେଡା ପଞ୍ଚାୟତ ଅଧିନ ସନ୍ଧିମୁଣ୍ଡା ଗ୍ରାମର ଯୁବଗୋଷ୍ଠୀ ଗ୍ରାମରେ ବେଆଇନ ମଦ କାରବାର ବନ୍ଦ ପାଇଁ ଅଣ୍ଟା ଭିଡ଼ିଥିଲେ...

demanding stop of illegal liquor trade

demanding stop of illegal liquor trade Photograph: (sambad.in)

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବା ବେଳେ କିଛି ଦିନ ତଳେ ଅନକାବେଡା ପଞ୍ଚାୟତ ଅଧିନ ସନ୍ଧିମୁଣ୍ଡା ଗ୍ରାମର ଯୁବଗୋଷ୍ଠୀ ଗ୍ରାମରେ ବେଆଇନ ମଦ କାରବାର ବନ୍ଦ ପାଇଁ ଅଣ୍ଟା ଭିଡ଼ିଥିଲେ।

ଗ୍ରାମରେ ଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଭାଟିରେ ମଦ ବିକ୍ରି ହେଉଛି। ଅଧିକ ରୋଜଗାର ଆଶାରେ ବେଆଇନ ଭାବେ ମଦ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଏହା ଯୋଗୁ ଯୁବପିଢ଼ି ନିଶା କବଳରେ ପଡୁଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅର୍ଥନୈତିକ କ୍ଷେତ୍ରରେ ବାଧା ସୃଷ୍ଟି ହେବା ସହ ଗ୍ରାମରେ ଅସମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ଲୋକେ କରିଛନ୍ତି।

ଏ ସମ୍ପର୍କରେ ପୁଲିସ ପ୍ରଶାସନ ଠାରୁ ଅବକାରୀ ବିଭାଗ ଜଣିକି ମଧ୍ୟ ନିରବ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଗ୍ରାମରେ ବେଆଇନ ମଦ କାରବାର ବନ୍ଦ ପାଇଁ ଯୁବଗୋଷ୍ଠୀ ଏକତ୍ରିତ ହୋଇ ନାରାବାଜି କରିବା ସହ ଚନ୍ଦାହାଣ୍ଡି ସଦର ଠାରେ ରହିଥିବା ବିଦେଶୀ ମଦ ଦୋକାନକୁ ଯାଇ ବେଆଇନ ମଦ ବନ୍ଦ ପାଇଁ ଲିଖିତ ଅଭିଯୋଗ ଦେଇଥିଲେ।

ହେଲେ ଏହାପରେ ଅବକାରୀ ବିଭାଗ କି ପୁଲିସ ପ୍ରଶାସନ ଏହାକୁ ଗୁରୁତ୍ୱ ନଦେଇ ବେଆଇନ ମଦ କାରବାର ବନ୍ଦ ପାଇଁ କୌଣସି ପଦକ୍ଷେପ ନେଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ଶନିବାର ଦିନ ଏହା ଉଗ୍ରରୂପ ଧାରଣ କରିଥିଲା। 

ଏହି ଆନ୍ଦୋଳନରେ ଅନକାବେଡା ପଞ୍ଚାୟତର ନୂଆପଡା ଓ ଅନକାବେଡା ଗ୍ରାମର ଶହ ଶହ ମହିଳା ଓ ଯୁବ ଗୋଷ୍ଠୀ ଏକତ୍ରିତ ହୋଇ ମଦ ବିରୋଧୀ ବିଭିନ୍ନ ନାରାବାଜି କରି ସନ୍ଧିମୁଣ୍ଡା ସ୍ଥିତ ଲାଇସେନ୍ସ ପ୍ରାପ୍ତ ମଦ ଭାଟି ଘେରିଥିଲେ। ବେଆଇନ ମଦ କାରବାର ବନ୍ଦ ଦାବିରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ମଦ ଭାଟିରେ ଥିବା ଦେଶୀ ମଦ ଜରି ପ୍ୟାକେଟ(ପାଉଚ) ଫିଙ୍ଗା ଫୋପଡ଼ା କରିବା ସହ ନଷ୍ଟ କରିଥିଲେ। ଖବର ପାଇ ଚନ୍ଦାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା।

ତେବେ ବେଆଇନ ମଦ ବିକ୍ରି ବିରୁଦ୍ଧରେ ଏହି ଆନ୍ଦୋଳନ ଗ୍ରାମରୁ ଆରମ୍ଭ ହୋଇ ଏବେ ପଞ୍ଚାୟତ ସ୍ଥରକୁ ପହଞ୍ଚିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା କାରଣରୁ ଲୋକେ ଆଇନକୁ ହାତକୁ ନେବାକୁ ବାଧ୍ୟ୍ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଶୀଘ୍ର ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ନନେଲେ ଆଗାମୀ ଦିନରେ ଏହା ବ୍ୟାପକ ରୂପ ନେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Nabarangpur | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe