ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଗାଁର ବର୍ଷୀୟାନ କଳାକାର ମଧୁସୂଦନ ମହାନନ୍ଦ(୭୦ବର୍ଷ)ଙ୍କ ଶନିବାର ପରଲୋକ ଘଟିଛି। ସକାଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଟିଟିଲାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାୟପୁର ନିଆଯାଉଥିଲା। କିନ୍ତୁ, ନୂଆପଡ଼ା ନିକଟରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସ୍ବର୍ଗତ ମହାନନ୍ଦ ଜଣେ ବହୁମୁଖୀ ପ୍ରତିଭା ଥିଲେ। ବ୍ୟାଙ୍କରେ ଚାକିରି କରି ଅବସର ନେଇଥିଲେ। ବିଶିଷ୍ଟ କଳାକାର, ଦଳିତ ସାହିତ୍ୟ ଏକାଡେମୀ ପକ୍ଷରୁ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ, ମଞ୍ଚ ଅଭିନେତା, ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ର ଅଭିନେତା, କୋଶଲି ଲେଖକ, କବି, ନିର୍ଦେଶକ ଭାବେ ବେଶ୍ ପରିଚିତ। ଲକ୍ଷେ ଘରିଆ ଗଣ୍ଡା ସମାଜ ମୁରିବାହାଲ ବ୍ଲକ୍ ସଭାପତି, ହଳଦୀ ସପ୍ତରଙ୍ଗ ସାଂସ୍କୃତିକ ସଂସଦର ସଭାପତି ରହିଥିଲେ। ସମିତି ସଭ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ଲକ୍ଷେ ଘରିଆ ଗଣ୍ଡା ସମାଜ, ମୁରିବାହାଲ ସାମ୍ବାଦିକ ସଂଘ ତଥା ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଶେଷ ସମୟରେ ତାଙ୍କ ପତ୍ନୀ, ପରିବାର ଲୋକ ଉପସ୍ଥିତଥିଲେ।
ବର୍ଷୀୟାନ କଳାକାର ମଧୁସୂଦନ ମହାନନ୍ଦଙ୍କ ପରଲୋକ
Advertisment
Follow Us