ମହୋଦଧି ଆରତି, ସମଗ୍ର ବିଶ୍ବ ହିନ୍ଦୁତ୍ବର ରଙ୍ଗରେ ରଙ୍ଗାୟିତ ହେବ: ଶଙ୍କରାଚାର୍ଯ୍ୟ

ମହୋଦଧି ଆରତି, ସମଗ୍ର ବିଶ୍ବ ହିନ୍ଦୁତ୍ବର ରଙ୍ଗରେ ରଙ୍ଗାୟିତ ହେବ: ଶଙ୍କରାଚାର୍ଯ୍ୟ

ପୁରୀ : ତୀର୍ଥରାଜ ମହୋଦଧିଙ୍କୁ ନୈବେଦ୍ୟ ଅର୍ପଣ ସହ ଆରତି କରାଯାଇଛି। ଭାରତୀୟ ପୃଷ୍ଠଭୂମିରେ ନଦନଦୀକୁ ପୂଜନ କରିବାର ବିଧି ରହିଥିବା ବେଳେ ସମସ୍ତ ନଦୀର ମିଳନ ସ୍ଥଳ ମହୋଦଧିଙ୍କୁ ଆରତିର ଦୃଶ୍ୟ ସଂଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ଆଜି ସ୍ବର୍ଗଦ୍ବାର ସମ୍ମୁଖ ବେଳାଭୂମିରେ ଆୟୋଜିତ ହୋଇଥିଲା ମହୋଦଧି ଆରତିର ୧୭ତମ ମହୋତ୍ସବ। ଘଣ୍ଟଘଣ୍ଟାର ନାଦ ଓ ବେଦ ମନ୍ତ୍ରର ମାଙ୍ଗଳିକ ଧ୍ବନୀ ମଧ୍ୟରେ ଆରତି ବେଳର ଦୃଶ୍ୟ ଥିଲା ବେଶ ହୃଦୟଗ୍ରାହୀ। ସତେ ଯେମିତି ନୈବେଦ୍ୟ ଅର୍ପଣ ବେଳେ ସମୁଦ୍ର ପାଖେଇ ଆସୁଥିଲା। ଲହଡ଼ି ଅଧିକ ଉଚ୍ଛୁଳି ଉଠୁଥିଲା।

ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଲେ, ସମଗ୍ର ବିଜ୍ଞାନ ବେଦାନ୍ତ ଶାସ୍ତ୍ରରେ ସନ୍ନିହିତ। ଏହା ଆଧୁନିକ ବିଜ୍ଞାନକୁ ମାର୍ଗ ଦେଖାଇବାର କ୍ଷମତା ରଖିଛି। କିନ୍ତୁ ଅନ୍ଧ ଭାବେ ପାଶ୍ଚାତ୍ୟକୁ ଅନୁକରଣ କରିବା ଅଭିପ୍ରାୟରେ ଭାରତର ଗୁରୁକୂଳ ବ୍ୟବସ୍ଥାକୁ ଧ୍ବଂସ କରିଦିଆଯାଇଛି। ହେଲେ ଭୁଲିଯିବା ଉଚିତ ନୁହେଁ ଯେ ଯେଉଁ ରାଷ୍ଟ୍ର କଂସ, ରାବଣ ଓ ହିରଣ୍ୟକଶ୍ୟପଙ୍କ ଭଳି ଶାସକଙ୍କ ଶାସନକୁ ଧ୍ବଂସ କରିଦେବାର କ୍ଷମତା ରଖିଛି ସେ ରାଷ୍ଟ୍ରକୁ କେହି କେବେ ଦିଗହୀନ କରିପାରିବେ ନାହିଁ। ବିଶ୍ବର ହୃଦୟ ହେଉଛି ଭାରତ। ସତ୍ୟର ବଳରେ ଦିନେ ସମଗ୍ର ବିଶ୍ବ ହିନ୍ଦୁତ୍ବର ରଙ୍ଗରେ ରଙ୍ଗାୟିତ ହେବ ବୋଲି ସେ କହିଛନ୍ତି। ସେ ଏକଥା ବି କହିଲେ, ରାଜନୀତି, ବିକାଶ ଓ ପରିବେଶର ପରିଭାଷା ଏକ ହେବା ଉଚିତ। ସନାତନ ସମ୍ମତ ହେଉ ରାଜନୀତିର ପରିଭାଷା। ଏହାଦ୍ବାରା ପରିବେଶର ସୁରକ୍ଷା ସହ ବ୍ୟକ୍ତିର କଲ୍ୟାଣ ସମ୍ଭବ। ଗୋବଂଶ ହତ୍ୟା ଦୂର ହେବା ଆବଶ୍ୟକ। ମାନବ ଜୀବନର ସାର୍ଥକତା ଯେଉଁଥିରେ ସନ୍ନିହିତ ଏହାକୁ ବୁଝି ବିକାଶକୁ କ୍ରିୟାନ୍ବିତ କରିବାକୁ ପଡ଼ିବ। ମାତ୍ର ଏବେ ବିକାଶର ପରିଭାଷାକୁ ବିକୃତ କରାଯାଉଛି। ଆମେରିକା, ଜାପାନ ଓ ଚୀନ୍‌ ବିକଶିତ ରାଷ୍ଟ୍ର ଭାବେ ପରିଗଣିତ ହେଉଥିଲେ। କିନ୍ତୁ କରୋନା ଶିଖାଇଦେଲା ଯେ କେବଳ ଭୌତିକ ଉନ୍ନତି ପ୍ରକୃତ ଉନ୍ନତିର ପରିଭାଷା ନୁହେଁ।

publive-image

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ, ସମଗ୍ର ବିଶ୍ବର ଐଶ୍ବର୍ଯ୍ୟ, ଧନ ସମ୍ପତି ଓ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କଲେ ମଧ୍ୟ ଫୁଲଟିଏ ଉତ୍ପନ୍ନ କରିବା ଅସମ୍ଭବ। ପରିବେଶର ଗୁରୁତ୍ବକୁ ଉପଲବ୍ଧି କରିବାର ସମୟ ଉପନୀତ। ଅନ୍ୟ ପକ୍ଷରେ ସମୁଦ୍ର ସ୍ବୟଂ ଭଗବାନ ଶ୍ରୀକୃଷ୍ଣଙ୍କ ରୂପ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମଗ୍ର ବିଶ୍ବ ସତର୍କ ହେଇଯାଉ ବୋଲି ସେ କହିଛନ୍ତି। ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଲେ, ମାନବ ସମାଜ ଭୌତିକ ପ୍ରଗତି ପଛରେ ଧାଇଁଚାଲିଛି। ତେବେ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଭୌତିକ ସହ ଆଧ୍ୟାତ୍ମିକ ପ୍ରଗତି ଆବଶ୍ୟକ। ସନାତନ ଧର୍ମର ଉତ୍‌ଥାନ ଓ ପ୍ରାଚୀନ ସଂସ୍କୃତିର ପୁନରୁଦ୍ଧାର ପାଇଁ ପ୍ରୟାସ ହେବା ଉଚିତ। ବୈଦିକ ଓ ସନାତନ ସଂସ୍କୃତିରେ ହିଁ ଆଦର୍ଶ ଚରିତ୍ର ଓ ଉତ୍ତମ ବ୍ୟକ୍ତିତ୍ବ ମାର୍ଗ ନିହିତ ରହିଛି ବୋଲି ସେ କହିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପରମହଂସ ପ୍ରଜ୍ଞାନାନନ୍ଦ ଜୀ, ନିର୍ବିକଳ୍ପାନନ୍ଦ ସରସ୍ବତୀ ମହାରାଜ, ହୃଷୀକେଶ ଜୀ ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ମହୋଦଧି ଆରତି ଉତ୍ସବ କମିଟିର ଅଧ୍ୟକ୍ଷ ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ୟ ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଆଦିତ୍ୟ ବାହିନୀର ରାଷ୍ଟ୍ରୀୟ ମହାମନ୍ତ୍ରୀ ମାତୃପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ରାଜନୈତିକ ନେତୃବୃନ୍ଦଙ୍କ ସମେତ ବିଭିନ୍ନ ମଠର ମଠାଧୀଶ ଓ ଭକ୍ତମାନେ ସାମିଲ୍‌ ହୋଇ ମହୋଦଧି ଆଳତି ଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe