ଭୁବନେଶ୍ବର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ପାଳିଆ ସେବାୟତଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ବରେ ଏହି ବୈଠକ ବସିଛି। ବୈଠକରେ ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଛି। ଭୋର ୩:୩୦ରେ ଆଳତି ହେବ। ଅବକାଶ ନୀତି ଭୋର ୪ ଟାରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେବାୟତ ପରିବାରମାନେ ମହାପ୍ରଭୁଙ୍କ ଉତ୍ତର ଦ୍ୱାର ଦେଇ ଦର୍ଶନ କରିବେ। ଭୋର ୫ ରୁ ୧୧ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ସାହଣମେଲା ଦର୍ଶନ କରିବାର ସୁଯୋଗ ମିଳିବ। ୧୧ ଟା ପରେ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ। ରାତି ୧୦ ଟାରେ ମହାଦୀପ ଉଠିବା ପାଇଁ ବ୍ୟବସ୍ଥା ହୋଇଛି। ତା ପରେ ୪ ପ୍ରହର ନୀତି ହେବ ବୋଲି କମଳାକାନ୍ତ ବଡ଼ୁ ସୂଚନା ଦେଇଛନ୍ତି।
ଆଉ ମାତ୍ର ୨ ଦିନ ପରେ ସମଗ୍ର ଦେଶ ସମେତ ରାଜ୍ୟର ଶିବାଳୟଗୁଡ଼ିକରେ ମହାଶିବରାତ୍ରି ପାଳନ ହେବ । ଆସନ୍ତା ୧୮ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହେବ।
ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପୂର୍ବରୁ ମଙ୍ଗଳବାର ଅନ୍ୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମହା ଶିବରାତ୍ରିରେ ସର୍ବାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି ପ୍ରସ୍ତୁତି କରିଛି କମିସନରେଟ୍ ପୁଲିସ୍। ପ୍ରସ୍ତୁତି ବୈଠକରେ ପୁଲିସ କମିଶନର, ସେବାୟତ, ଜଟଣୀ ବିଧାୟକ ସୁର ରାଉତରାୟ, ବିଜେପି ନେତା ବାବୁସିଂ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସମସ୍ତଙ୍କ ସହଯୋଗ ଲୋଡିଥିଲା କମିସନରେଟ୍ ପୁଲିସ।
Follow Us