ଶୁଖୁଛି ମହାନଦୀ: ପ୍ରଦୂଷଣ ବଳୟରେ ନଦୀ, ନାଳ

ଏତେ ଯୋଜନାକୁ ପାଣି କାହିଁ? ଜଳ ପରିଚାଳନା ନେଇ ପ୍ରସ୍ତୁତ ହେବ ଆକ୍ସନପ୍ଲାନ୍‌

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଛତିଶଗଡ଼ ସୀମାକୁ ଲାଗି ରହିଥିବା ବେଳେ ଛତିଶଗଡ଼ରୁ ବୋହି ଆସିଥିବା ମହାନଦୀ ଏହି ଜିଲ୍ଲାର ଲଖନପୁର ବ୍ଲକର ସୁଖାସୋଡ଼ାଠାରେ ପ୍ରବେଶ କରିଛି। ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ବ୍ୟାରେଜ୍‌ ନିର୍ମାଣ କରିଥିବାରୁ ଜିଲ୍ଲାକୁ ପାଣି ଆସିବା ଓ ନଆସିବା ନିୟନ୍ତ୍ରଣ ଛତିଶଗଡ଼ ହାତକୁ ଚାଲି ଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା  ଓ ଗ୍ରୀଷ୍ମ ଦିନରେ ପାଣିକୁ ଅଟକାଇ ଦେଉଥିବାରୁ  ନଦୀଶଯ୍ୟା ଶୁଖିଯାଉଛି।

ହୀରାକୁଦ ଜଳଭଣ୍ଡାରକୁ ଆଖି ଆଗରେ ରଖି ଅନେକ ଶିଳ୍ପ ସଂସ୍ଥା ଗଢ଼ି ଉଠିଛି। ବର୍ଷାଋତୁକୁ ଛାଡ଼ି ଦେଲେ ବାକି ସମୟ ସୁଖାସୋଡ଼ା ମହାନଦୀ ଶଯ୍ୟା ପ୍ରାୟ ଶୁଖିଲା ରହିଥାଏ। ଛତିଶଗଡ଼ରୁ ବାହାରି ମହାନଦୀରେ ମିଶିଥିବା ଆଉ ଏକ ଛୋଟ ନଦୀ କେଲୋନଦୀରେ ମଧ୍ୟ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରିଛନ୍ତି। ଏବେ ସୀମାରେ ଲରାଠାରେ ସ୍ଥାପନ ହୋଇଥିବା ଏନ୍‌ଟିପିସି ତାପଜ ବିଦ୍ୟୁତ ପ୍ରକଳ୍ପର ପ୍ରଦୂଷଣ ସିଧାସଳଖ କେଲୋନଦୀ ହୋଇ ମହାନଦୀରେ ମିଶୁଛି। ସେହିପରି ଛତିଶଗଡ଼ର ଯଶପୁର ଜିଲ୍ଲାରୁ ବାହରିଥିବା ଇବ୍ ନଦୀରେ ବ୍ରଜରାଜନଗର ନିକଟରେ ଭେଡ଼େନ ନଦୀ ମିଶିଥିବା ବେଳେ ରାଜପୁର ନିକଟ ଦେଓଗାଁଠାରେ ବସୁନ୍ଧରା ନଦୀ ମିଶିଛି। ଇବ୍‌ନଦୀ ଅବବାହିକାରେ ବ୍ୟାପକ କୋଇଲା ରହିଥିବା ବେଳେ ବର୍ଷାଦିନ ବସୁନ୍ଧରା ନଦୀରେ କଳା ପାଣି ପ୍ରବାହିତ ହେଉଥିବା ଦେଖାଯାଏ। ଏକାଧିକ କଳ କାରଖାନା ଏଠାରୁ ପାଣି ନେଉଥିବା ବେଳେ ଏହି ନଦୀର ଏକ ବଡ଼ ଅଂଶ ଯେଉଁଥିରେ ୧୫ଟି ବାଲିଘାଟରୁ ବାଲି ଉତ୍ତୋଳନ ହୋଇଥାଏ। ବ୍ୟାପକ ବାଲି ଉତ୍ତୋଳନ ହେଉଥିବାରୁ  ଏହା ପରିବେଶ ଉପରେ କୁପ୍ରଭାବ ପକାଉଛି।

ଜିଲ୍ଲାର ଭେଡ଼େନ ନଦୀରେ ସିଧାସଳଖ କାରଖାନା ବର୍ଜ୍ୟ ମିଶୁଥିବା ବେଳେ ଏହା ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କରୁଛି। ଜିଲ୍ଲାରେ ଥିବା ଲିଲାରି ନାଳ, ଅହିରା ନାଳ ମଧ୍ୟ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ  ପ୍ରଦୂଷିତ ହେଉଛି। ଝାରସୁଗୁଡ଼ା ସହର ଏବେ ଶିଳ୍ପ ବର୍ଜ୍ୟରେ ପ୍ରଦୂଷିତ ହୋଇ ଜଳାଶୟ ଗୁଡ଼ିକୁ ପ୍ରଭାବିତ କରୁଛି। ବହୁ ବନ୍ଧକଟାର ପାଣି ବିଷାକ୍ତ ହୋଇ ଯାଉଥିବାରୁ  ଅନେକ ସମୟରେ ବହୁ  ମାଛ ମରି ଯାଉଥିବା ଦେଖା ଯାଉଛି। ଜିଲ୍ଲାର ନଦୀନାଳ, ବନ୍ଧକଟା ଉପରେ ଦୃଷ୍ଟି ଦେଇ ଏହାର ରକ୍ଷଣାବେକ୍ଷଣ ପାଇଁ ଯୋଜନା ନକଲେ ଏହା ଅଚିରେ ଧ୍ବଂସ ହୋଇଯିବ ଏଥିରେ ସଂଦେହ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe