କଣ୍ଟିଲୋ: ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ଏବେ ଟ୍ରିବୁନାଲ ମଧ୍ୟରେ ଛନ୍ଦି ହୋଇରହିଛି। ଟ୍ରିବୁନାଲକୁ ପୂରିଛି ୮ ବର୍ଷ କିନ୍ତୁ କିଛି ନିଷ୍କର୍ଷ ନାହିଁ। ଏଣେ ମହାନଦୀର ସାମ୍ପ୍ରତିକ ସ୍ଥିତି ବୟାନ କରୁଛି ଏହାର ସାଙ୍ଘାତିକ ଚିତ୍ର। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୩୦ କିମି ଅଞ୍ଚଳରେ ମହାନଦୀ ପ୍ରବାହିତ ହେଉଛି। ଏହାର ଜଳକୁ ଆଧାର କରି ମହାନଦୀ ତଟବର୍ତ୍ତୀ ଗ୍ରାମଗୁଡ଼ିକରେ ଅନେକ ଛୋଟବଡ଼ ଜଳସେଚନ ପ୍ରକଳ୍ପ ରହିଛି। ମହାନଦୀରେ ବର୍ଷକୁ ବର୍ଷ କ୍ରମାଗତ ଜଳପ୍ରବାହ ହ୍ରାସ ପାଇଚାଲିଥିବାରୁ ବହୁ ପ୍ରକଳ୍ପ ବନ୍ଦ ହୋଇ ସାରିଲାଣି। ତେବେ ଗୁରୁତ୍ୱପୂର୍ଣ୍ଣ ଯେ ମହାନଦୀର ଜଳସ୍ତର ହ୍ରାସ ଯୋଗୁ ନୟାଗଡ଼ ଜିଲ୍ଲାକୁ ମହାନଦୀରୁ ଜଳଯୋଗାଣ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।
ନୟାଗଡ଼ ଜିଲ୍ଲାକୁ ଜଳଯୋଗାଣ ପ୍ରଭାବିତ ଆଶଙ୍କା
ବଡ଼ବାଣପୁର ଗ୍ରାମ ମହାନଦୀ କୂଳରେ ଥିବା ଜଳ ସଂଗ୍ରହ ଉତ୍ସ ଚତୁଃପାର୍ଶ୍ୱ ବାଲିଗଦାରେ ପରିଣତ ହେବା ସହ ଇନ୍ଟେକ୍-ୱେଲ୍ ନିକଟରେ ଜଳସଙ୍କଟ ଦେଖାଯାଇଛି। ଏଥିଯୋଗୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନ ମହାନଦୀରେ ପ୍ରବାହିତ ଜଳସଂଗ୍ରହ ଉତ୍ସ ପାଖରେ ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ୍ ଖୋଳାଚାଲିଛି। ନଚେତ ନୟାଗଡ଼କୁ ଜଳଯୋଗାଣ ନିଶ୍ଚିତ ପ୍ରଭାବିତ ହେବ ବୋଲି କୁହାଯାଉଛି। ମହାନଦୀ ଓଡ଼ିଶାର ଜୀବନରେଖା କୁହାଯାଉଥିବାବେଳେ ଏହାର ସୁରକ୍ଷା ପାଇଁ ଗମ୍ଭୀରତାର ସହ ବିଚାର କରିବାର ସମୟ ଆସିଛି।
Follow Us