ହୀରାକୁଦର ୨୪ ଗେଟ୍‌ ଖୋଲିଲା: ଫୁଲୁଛି ମହାନଦୀ, ସମ୍ବଲପୁର-ସୁବର୍ଣ୍ଣପୁର ଯୋଗାଯୋଗ ବିଚ୍ଛିନ୍ନ

ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ଶୁକ୍ରବାର ୨ଟି ପର୍ଯ୍ୟାୟରେ ହୀରାକୁଦର ୮ଟି ଗେଟ୍‌ ଖୋଲାଯାଇଛି। ଏଥିସହିତ ମୋଟ ଖୋଲା ଯାଇଥିବା ଗେଟ୍‌ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।

dgagddadg

ସମ୍ବଲପୁର/ମାନେଶ୍ବର: ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ଶୁକ୍ରବାର ୨ଟି ପର୍ଯ୍ୟାୟରେ ହୀରାକୁଦର ୮ଟି ଗେଟ୍‌ ଖୋଲାଯାଇଛି। ଏଥିସହିତ ମୋଟ ଖୋଲା ଯାଇଥିବା ଗେଟ୍‌ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଗତ ୩ ଦିନ ଧରି ଉପର ମୁଣ୍ଡରେ ବର୍ଷା ଫଳରେ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଥିଲା। ଶୁକ୍ରବାର ସକାଳ ୮ଟା ବେଳକୁ ହୀରାକୁଦକୁ ହାରାହାରି ୨ ଲକ୍ଷ ୯୩ ହଜାର ୫୧୨ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା। ତେଣୁ ଜଳସ୍ତର ବଜାୟ ରଖିବାକୁ ସକାଳ ୯ଟାରେ ୪ଟି ଓ ଦିନ ୨ଟାରେ ଆଉ ୪ଟି ଗେଟ୍ ଖୋଲା ଯାଇଥିଲା। ଫଳରେ ହୀରାକୁଦ ବାମପାର୍ଶ୍ବର ୧୬ ଓ ଡାହାଣ ପାର୍ଶ୍ବର ୮ଟିକୁ ମିଶାଇ ମୋଟ ୨୪ଟି ସ୍ଲୁଇସ୍‌ ଗେଟ୍‌ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସିତ ହେଉଛି।

ସକାଳ ୬ଟାବେଳେ ହୀରାକୁଦ ଜଳସ୍ତର ୬୨୬.୫୨ ଫୁଟ ଥିଲାବେଳେ ସନ୍ଧ୍ୟା ୬ଟାବେଳେ ଏହା ୬୨୬.୫୮ ଫୁଟ ରହିଥିଲା। ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ୬ଟାବେଳେ ଜଳଭଣ୍ଡାରକୁ ହାରାହାରି ୩ ଲକ୍ଷ ୯୯ ହଜାର ୨୯୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୪ ଲକ୍ଷ ୨୪ ହଜାର ୭୦୫ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ସେଥିରୁ ସ୍ପିଲ୍‌ୱେ ଦେଇ ୩ ଲକ୍ଷ ୮୮ ହଜାର ୩୬୮ କ୍ୟୁସେକ୍ ଏବଂ ପାୱାର ଚ୍ୟାନେଲ୍‌ ଦେଇ ୩୨ ହଜାର ୦୮୯ କ୍ୟୁସେକ୍ ଜଳ ଛଡ଼ାଯାଉଥିଲା। ଶିଳ୍ପାନୁଷ୍ଠାନ ଗୁଡ଼ିକ ୨୧୪ କ୍ୟୁସେକ୍ ପାଣି ଟାଣୁଥିବାବେଳେ ଜଳସେଚନ ପାଇଁ କେନାଲଗୁଡ଼ିକ‌‌ରେ ୪,୦୩୪ କ୍ୟୁସେକ୍ ଜଳ ଛଡ଼ାଯାଉଥିଲା। 

ସେହି ସମୟରେ ମହାନଦୀ ତଳମୁଣ୍ଡ ବେଲଗାଁରେ ୧୪ ହଜାର କ୍ୟୁସେକ୍‌, ପର୍ଥଲାରେ ୩୭ ହଜାର କ୍ୟୁସେକ୍‌, ଖଇରମାଳରେ ୪ ଲକ୍ଷ ୧୮ ହଜାର କ୍ୟୁସେକ୍‌, ବରମୂଳରେ ୩ ଲକ୍ଷ ୧୧ ହଜାର କ୍ୟୁସେକ୍‌ ଓ ମୁଣ୍ଡଳିରେ ୧ ଲକ୍ଷ ୯୬ ହଜାର ୦୨୬ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ଓ ତଳମୁଣ୍ଡରେ ବର୍ଷା ହ୍ରାସ ପାଇଛି। ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସକାଳ ୮ଟା ମଧ୍ୟରେ ଉପର ମୁଣ୍ଡରେ ୧୧.୧୮ ମିମି ଏବଂ ତଳମୁଣ୍ଡରେ ୬.୮୦ ମିମି ବର୍ଷା ରେକର୍ଡ କରାଯାଇଛି। ୨୪ଟି ଗେଟ୍‌ ଖୋଲାଯିବାରୁ ସମ୍ବଲପୁର ସହର ଉପକଣ୍ଠ ମାଳତି ନଦୀରେ ମହାନଦୀର ପଛୁଆପାଣି ପଶି ମାଳତି ଗୁଣ୍ଡେରପୁର ପୋଲ ଉପରେ ୨ ଫୁଟ ପାଣି ପ୍ରବାହିତ ହେଉଛି। ଫଳରେ ସମ୍ବଲପୁର-ସୁବର୍ଣ୍ଣପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସମ୍ବଲପୁରରୁ ଧମା, ଉଲୁଣ୍ଡା, ‌ସୁବର୍ଣ୍ଣପୁର ଅଭିମୁଖେ ଯାଉଥିବା ଗାଡ଼ି ଗୁଡ଼ିକୁ ମାନେଶ୍ବର ପଟୁ ଯିବାକୁ ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe