ମହାନଦୀ ଜଳ ବିବାଦ ମାମଲା : ଟ୍ରିବ୍ୟୁନାଲରୁ ନ୍ୟାୟ ମିଳିବା ଆଶା: ଜଳ ସମ୍ପଦ ମନ୍ତ୍ରୀ

Advertisment

ସରକାରଙ୍କୁ ଟାର୍ଗେଟ୍‌ କଲେ ବିରୋଧୀ

ସରକାରଙ୍କୁ ଟାର୍ଗେଟ୍‌ କଲେ ବିରୋଧୀ

ତଥ୍ୟ ଲୁଚାଉଛି ଛତିଶଗଡ଼! ବ୍ୟାରେଜ୍‌, ଡ୍ୟାମ୍‌ ସଂଖ୍ୟାରେ ତାଳମେଳ ନାହିଁ

NewsClick

ଭୁବନେଶ୍ବର : ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜ୍ୟ ସରକାର ଆଶାବାଦୀ। ଟ୍ରିବ୍ୟୁନାଲରେ ଓଡ଼ିଶା ସରକାର ପକ୍ଷରୁ ଦୃଢ଼ ଯୁକ୍ତି ରଖାଯାଇଛି। ଆଜି ଜଳ ବିବାଦ ମାମଲାର ଶୁଣାଣିକୁ ନେଇ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏପରି ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପଟେ ଜଳ ବିବାଦକୁ ନେଇ ସରକାର ରାଜନୀତି କରୁଥିବା ନେଇ ବିରୋଧୀ ଅଭିଯୋଗ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ମହାନଦୀ ଛତିଶଗଡ଼ରୁ ବାହାରିଥିଲେ ବି ଅଧିକାଂଶ ଭାଗ ଓଡ଼ିଶା ଦେଇ ପ୍ରବାହିତ ହେଉଛି। ରାଜ୍ୟକୁ ତାର ନ୍ୟାଯ୍ୟ ଦାବି ମୁତାବକ ଜଳ ମିଳିବା ଦରକାର। ମୌସୁମୀ ଋତୁକୁ ଛାଡ଼ିଦେଲେ ଅଣମୌସୁମୀ ଋତୁରେ ଓଡ଼ିଶା ଯେତିକି ଜଳ ପାଇବା କଥା ସେତିକି ଜଳ ଏବେ ମିଳୁନାହିଁ। ଏକପାଖିଆ ବ୍ୟାରେଜ୍‌ ନିର୍ମାଣ କରି ଛତିଶଗଡ଼ ତା ଜିଦରେ ଅଟଳ। ଟ୍ରିବ୍ୟୁନାଲ୍‌ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କହିଥିଲେ। ଆଲୋଚନା ଜରିଆରେ ସମାଧାନର ବାଟ ବାହାରିପାରିନି। ଏବେ ଟ୍ରିବ୍ୟୁନାଲ କଣ ନିଷ୍ପତ୍ତି ନେଉଛନ୍ତି ତାକୁ ଅପେକ୍ଷା ରହିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁସବୁ ଯୁକ୍ତି ରଖାଯାଇଛି ସେଥିରେ ନ୍ୟାୟ ମିଳିବା ନେଇ ଆଶା ଦେଖାଯାଉଛି। ମହାନଦୀର ତଳମୁଣ୍ଡରେ କେତୋଟି ଛୋଟ ଆଡ଼ିବନ୍ଧ କରିବା ପାଇଁ କେନ୍ଦ୍ର ଜଳ ଆୟୋଗକୁ ମଧ୍ୟ ଅନୁମତି ମାଗିଛୁ। ଅନୁମତି ମିଳିବା ପରେ ମହାନଦୀ ତଳ ମୁଣ୍ଡରେ ଜଳ ସଂରକ୍ଷଣ ନେଇ ପଦକ୍ଷେପ ନିଆଯିବ।

ଅନ୍ୟପକ୍ଷରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କ ଭୂମିକାକୁ ସମାଲୋଚନା କରି କହିଛନ୍ତି ଯେ ଜଳ ବିବାଦ ପାଇଁ ମୁଖ୍ୟ ଭାବରେ ରାଜ୍ୟ ସରକାର ଦାୟୀ। ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିଥିଲେ। କିନ୍ତୁ ସରକାର ଚାହିଁଲେ ନାହିଁ, ଓଲଟା ରାଜନୀତି କଲେ। ଯାହାର ଫଳ ଆଜି ଭୋଗିବାକୁ ପଡ଼ୁଛି। ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ସରକାର ରାଜନୀତି ବନ୍ଦ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଅନୁରୋଧ କରିଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ମହାନଦୀ ପ୍ରସଙ୍ଗରେ ସରକାର ପ୍ରଥମେ କୋର୍ଟକୁ ଗଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆପୋସ ବୁଝାମଣା ଜରିଆରେ ବିବାଦର ସମାଧାନ କରିବାକୁ ଛତିଶଗଡ଼ ସରକାର ମଧ୍ୟ ରାଜିଥିଲେ। କିନ୍ତୁ ଓଡ଼ିଶା ସରକାର କାଗଜପତ୍ର ଦେଇପାରିଲେ ନାହିଁ। ସରକାରଙ୍କର ବହୁ ଦୁର୍ବଳତା ରହିଛି। ଛତିଶଗଡ଼ରେ କଂଗ୍ରେସ ସରକାର ଅଛି। ଏବେ ସେଠାକାର ସରକାର ସହ ଆଲୋଚନା କରି ଆପୋସ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ଆମକୁ କୁହନ୍ତୁ। ଆଲୋଚନା ମାଧ୍ୟମରେ ନିଶ୍ଚିତ ସମାଧାନର ରାସ୍ତା ବାହାରିବ ବୋଲି ଶ୍ରୀ ବାହିନୀପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe