ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ

Advertisment

ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟ ସରକାର ଚେଷ୍ଟା କରନ୍ତୁ: ପ୍ରଦୀପ ପୁରୋହିତ

ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟ ସରକାର ଚେଷ୍ଟା କରନ୍ତୁ: ପ୍ରଦୀପ ପୁରୋହିତ

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ

YouTube

ବ୍ରଜରାଜନଗର/ଭୁବନେଶ୍ୱର : ଖରା ଦିନରେ ଓଡ଼ିଶା ପଟରେ ମହାନଦୀ ଶୁଖିଲା ପଡ଼ିଛି । ଅଣ ମୌସୁମୀ ସମୟରେ ମହାନଦୀରେ ଯେଉଁ ଜଳ ପ୍ରବାହ ରହିବା କଥା, ତାହା ନ ରହିବା ଚିନ୍ତାଜନକ ବିଷୟ । ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବା କାରଣରୁ ରାଜ୍ୟ ସରକାର କେବଳ ଚୁପ ବସିଲେ ହେବନାହିଁ। ରାଜ୍ୟ ସରକାର ଷ୍ଟେକ୍ ହୋଲଡରଙ୍କ ସହ କଥାବାର୍ତା କରି ଓଡ଼ିଶାରେ ମହାନଦୀରେ ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ବ୍ୟବସ୍ଥା କରିବା ଜରୁରୀ ବୋଲି ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ ।

ଶ୍ରୀ ପୁରୋହିତ କହିଛନ୍ତି ଯେ, ମହାନଦୀ ଜଳ ବିବାଦକୁ ନେଇ ନିର୍ବାଚନ ପୂର୍ବରୁ ନାରାବାଜି କରୁଥିବା ବିଜେଡି ଓଡ଼ିଶାର ସ୍ୱାର୍ଥ ରକ୍ଷା ପ୍ରସଙ୍ଗରେ ଏବେ ନିରବଦ୍ରଷ୍ଟା କାହିଁକି? ଶାସକ ଦଳ ବିଜେଡି ୨୦୧୬ ମସିହା ଠାରୁ ୨୦୧୭ ତ୍ରିସ୍ତରୀୟ ପଂଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ମହାନଦୀ ଜଳ ବିବାଦକୁ ନିର୍ବାଚନୀ ପ୍ରସଙ୍ଗ କରିଥିଲା । ମାତ୍ର ନିର୍ବାଚନୀ ବୈତରଣୀ ପାର୍ କରିବା ପରେ ଏହାକୁ ଭୁଲି ଗଲା । ଟ୍ରିବ୍ୟୁନାଲ ଗଠନ ପରେ ରାୟ ଆସିବାରେ ସମୟ ଲାଗିପାରେ । କେବଳ ଟ୍ରିବ୍ୟୁନାଲ ଉପରେ ଭରସା କଲେ ଖରା ଦିନେ ଜଳ ପାଇଁ ଓଡ଼ିଶାର ସ୍ୱାର୍ଥ ପ୍ରଭାବିତ ହେବାର ଯଥେଷ୍ଟ ଆଶଂକା ରହିଛି । ବେଦାନ୍ତ ମାମଲା ହେଉ କିମ୍ବା କେନ୍ଦୁଝର ଜିଲ୍ଲାପାଳ ଏସଟି କମିସନରେ ହାଜର ନ ହେବା ନେଇ ବଡ଼ ଓକିଲ ରାଜ୍ୟ ସରକାର ନିଯୁକ୍ତ କରୁଛନ୍ତି । କିନ୍ତୁ ଟ୍ରିବ୍ୟୁନାଲରେ ଲଢ଼ିବା ପାଇଁ ସରକାର ବଡ଼ ଓକିଲ କାହିଁକି ନିଯୁକ୍ତ କରୁନାହାନ୍ତି? ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ଭୋଟ୍ ବ୍ୟାଙ୍କ୍ ରାଜନୀତି କରୁଛି ।

ଅପରପକ୍ଷରେ ଟ୍ରିବ୍ୟୁନାଲ ରାୟ ସାଧାରଣତଃ ଲମ୍ବା ସମୟ ପର୍ଯ୍ୟନ୍ତ ବିଳମ୍ବିତ ହେଉଥିବା କାରଣରୁ ଅଣ ମୌସୁମୀ ସମୟରେ ଓଡ଼ିଶାକୁ ପୂର୍ବ ଦଶନ୍ଧି ମାନଙ୍କ ପରି ଜଳ ପ୍ରବାହ ଆଗାମୀ ବର୍ଷ ମାନଙ୍କରେ କିପରି ଚାଲୁ ରହିବ ରାଜ୍ୟ ସରକାର ସେଥିପାଇଁ ଆପୋସ ଆଲୋଚନାର ରାସ୍ତାକୁ ଆପଣାଇବା ଭଳି ଦେଖାଯାଉ ନାହିଁ । ଛତିଶଗଡ଼ ପଟୁ ଆସୁଥିବା ମହାନଦୀର ପାଣି ସହ ଓଡ଼ିଶାର କେତୋଟି ଅଂଚଳର ଜଳ ସେଚନ ଓ ପାନୀୟ ଜଳର ସମ୍ବନ୍ଧ ଅଛି ରାଜ୍ୟ ସରକାର ତାହାର ସ୍ପଷ୍ଟୀକରଣ ରଖନ୍ତୁ । ହୀରାକୁଦର ତଳ ମୁଣ୍ଡରେ ୫ଟି ରିଜରଭର ନିର୍ମାଣର ପ୍ରତିଶ୍ରୁତିର ଅଗ୍ରଗତି ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖିବା ପାଇଁ ଶ୍ରୀ ପୁରୋହିତ ଦାବି କରିଛନ୍ତି ।

ହୀରାକୁଦର ତଳ ମୁଣ୍ଡରେ ତେଲ, ଇବ ଓ ହାତୀ ଆଦି ନଦୀରୁ ଆରମ୍ଭ କରି ତଳମୁଣ୍ଡରେ କାଠଯୋଡ଼ି, ଦେବୀ ଓ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ଲମ୍ବିଥିବା ବିଭିନ୍ନ ଶାଖା ନଦୀ ଗୁଡ଼ିକରେ ବର୍ଷା ଦିନେ ସମୁଦ୍ରକୁ ବହିଯାଉଥିବା ପାଣିକୁ ସୁବିନିଯୋଗ କରି ଅଣ ମୌସୁମୀ ସମୟରେ ଚାଷୀଙ୍କ କାମରେ ଲଗାଇବା ପାଇଁ କଣ ବ୍ୟବସ୍ଥା ହୋଇଛି? ରାଜ୍ୟ ସରକାର, ଏହାର ଉତ୍ତର ରଖନ୍ତୁ ।

ଓଡ଼ିଶାର ସ୍ୱାର୍ଥ ପାଇଁ ପାରମ୍ପରିକ ପାଣିର ସ୍ରୋତକୁ ବର୍ଷ ବର୍ଷ ଧରି ଚାଲୁ ରଖିବା ପାଇଁ ଓଡିଆଙ୍କ ଦାବି ରହିଛି । ଏହି ଦାବିକୁ ସମାଧାନ କରିବା ପାଇଁ ବିଜେପି ପ୍ରତିଟି ବିଷୟକୁ ସାମନା କରିବାକୁ ପ୍ରସ୍ତୁତ । ସାରା ରାଜ୍ୟରେ ଏବେ ଜଳ ସମସ୍ୟା । ଲୋକେ ପିଇବା ପାଣି ପାଉନାହାନ୍ତି । ଚାଷୀ ପାଣି ନ ପାଇ ଦୁର୍ଦ୍ଦଶାରେ । ମହିଳା ମାନେ ପାଣି ଅଭାବରୁ ହାଣ୍ଡି, ମାଠିଆ ଭାଙ୍ଗୁଛନ୍ତି । ଦୁର୍ଗମ ଅଂଚଳରେ ପାଣି ପାଇଁ ହାହାକାର ପଡ଼ିଛି । ଅଘୋଷିତ ବିଦ୍ୟୁତ୍‌ କାଟ ଏବେ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି । ଏପରି ସ୍ଥିତିରେ ସରକାର ଚୁପ ବସିଛନ୍ତି, ଯାହା ଚିନ୍ତାଜନକ ବୋଲି ଶ୍ରୀ ପୁରୋହିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe