ଭୁବନେଶ୍ୱର: ଓଡ଼ିଶାର ଜୀବନରେଖା ମହାନଦୀ ଜଳ ବିବାଦର ସମାଧାନ ପାଇଁ କେହି ବି ଆନ୍ତରିକତା ଦେଖାଉ ନାହାନ୍ତି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଅଭିଯୋଗ କରିଛି। କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ମହାନଦୀ ଟ୍ରିବ୍ୟୁନାଲ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ବେଳେ ଛତିଶଗଡ଼ ସରକାର ବାଲିବନ୍ଧ କରି ମହାନଦୀ ପାଣି ଅଟକାଉଛନ୍ତି। ଟ୍ରିପଲ୍‌ ଇଞ୍ଜିନ୍‌ ସରକାର ରହିଥିଲେ ମଧ୍ୟ ମହାନଦୀ ଜଳ ପରିଚାଳନାରେ ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି। କଲମା ବ୍ୟାରେଜ୍‌ ନିକଟରେ ଛତିଶଗଡ଼ ସରକାର ନିର୍ମାଣ କରିଥିବା ବାଲିବନ୍ଧ ଭାଙ୍ଗିବାକୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହାନଦୀ କମିଟି ମୁଖ୍ୟ ଓ ମହାନଦୀ ଟ୍ରିବ୍ୟୁନାଲ ଅଧକ୍ଷଙ୍କୁ ଆନ୍ଦୋଳନ ପକ୍ଷରୁ ଚିଠି ଲେଖାଯାଇଛି। ଯଦି ବାଲି ବନ୍ଧ ଭଙ୍ଗା ନ ଯାଏ ତେବେ ଆସନ୍ତା ୨୭ ତାରିଖରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ସଦସ୍ୟମାନେ କ୍ଷେତ୍ର ପରିଦର୍ଶନକୁ ଯିବା ସମୟରେ କଠୋର ପଦକ୍ଷେପ ଗ୍ରହଣ କରିବେ। ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ବେଆଇନ ବାଲିବନ୍ଧ ଭଙ୍ଗାଯିବ ବୋଲି ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସହ-ଆବାହକ ବାସୁଦେବ ଭଟ୍ଟ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ଗିରିଜା ଦାସ, ବିଜୟ ପରିଡ଼ା ପ୍ରମୁଖ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

Advertisment

Sand Smuggling: ମାଲେମାଲ ମାଫିଆ ବେପାରୀ, ସରକାର ଭକୁଆ

ସେମାନେ କହିଛନ୍ତି ଯେ କଲମା ବ୍ୟାରେଜ୍‌ ତଳେ ଛତିଶଗଡ଼ ସରକାର ବାଲିବନ୍ଧ କରି ମହାନଦୀ ପାଣି ଅଟକାଇବା ସମ୍ପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିରବତା ଅତ୍ୟନ୍ତ ନିନ୍ଦନୀୟ। ଯେହେତୁ ବର୍ତମାନ ଟ୍ରିପଲ୍‌ ଇଞ୍ଜିନ ସରକାର ଚାଲିଛି, ତେଣୁ ସମସ୍ତଙ୍କୁ ଏନେଇ ଅବଗତ କରାଯାଇଛି। ମହାନଦୀ ଜଳ ବିବାଦର ସମାଧାନ ପାଇଁ ସରକାରଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ଆମେ ପ୍ରସ୍ତୁତ ଅଛୁ। ମାତ୍ର ସରକାର ତ୍ୱରିତ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଶାଣିତ କରାଯିବ। ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଆସନ୍ତା ଏପ୍ରିଲରେ ସରିଯିବ। ଏହା ପୂର୍ବରୁ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ବୃଦ୍ଧି ପାଇଁ ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା ଲିଖିତ ଭାବରେ ଓଡ଼ିଶା ଓ ଛତିଶଗଡ଼ ସରକାର ପତ୍ର ନଦେବା ଉଭୟ ସରକାରଙ୍କ ବିବାଦର ସମାଧାନ କ୍ଷେତ୍ରରେ ନିଷ୍କ୍ରିୟତା ଓ ମାନସିକତାକୁ ପ୍ରତିପାଦିତ କରୁଛି। ମହାନଦୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବରୁ ହେବାକୁ ଥିବା ଆଜିର ସର୍ବଦଳୀୟ ବୈଠକକୁ ବାତିଲ କରାଯିବା ଦୁର୍ଭାଗ୍ୟଜନକ। ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ନିଷ୍କ୍ରିୟତା ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ମହାନଦୀ ଜଳ ବିବାଦର ସମାଧାନ ପାଇଁ ସରକାରଙ୍କୁ ସବୁ ପ୍ରକାରର ସହଯୋଗ କରିବାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରସ୍ତୁତ ରହିଛି। ସରକାର ସମସ୍ତଙ୍କ ସହମତି ଭିତ୍ତିରେ ଆପୋସ ଆଲୋଚନା ଆଧାରରେ ପ୍ରଥମେ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ସଂଗଠନ କହିଛି। ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନ ନେଲେ ଜନସାଧାରଣଙ୍କୁ ନେଇ ଆନ୍ଦୋଳନ ପୁଣି ପଲ୍ଲୀରୁ ଦିଲ୍ଲୀ ଏବଂ ରାଜରାସ୍ତାରେ ଶାଣିତ କରିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

Congress: ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ ଆନ୍ଦୋଳନ ହେବ: କଂଗ୍ରେସ

ଟ୍ରିବ୍ୟୁନାଲ ଅବଧି ବଢ଼ାଇବାକୁ ପ୍ରସ୍ତାବ ଦେବ ଓଡ଼ିଶା ଟ୍ରିବ୍ୟୁନାଲ ଅବଧି ବଢ଼ାଇବାରେ ବିଳମ୍ବ ହେବା ନେଇ ବିଭିନ୍ନ ଆଡ଼ୁ ସମାଲୋଚନାର ଶରବ୍ୟ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟଶାସନ ସଚିବ ଅନୁ ଗର୍ଗ, ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଉପସ୍ଥିତ ଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ଅନୁଷ୍ଠିତ ବୈଠକରେ ମହାନଦୀ ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ପଠାଇବାକୁ ନିଷ୍ପତ୍ତି ହୋଇଛି। ତେବେ ଆଲୋଚନା ସମ୍ପର୍କରେ ବୈଠକରେ ଉପସ୍ଥିତ ଥିବା ସଦସ୍ୟମାନେ ଗଣମାଧ୍ୟମରେ କିଛି ମୁହଁ ଖୋଲିନାହାନ୍ତି। ସେପଟେ ଆଜି ହେବାକୁ ଥିବା ସର୍ବଦଳୀୟ ବୈଠକ ହୋଇ ନ ଥିଲା।