ମାହାଙ୍ଗା ଡବଲ ମର୍ଡର: ଆଇଆଇସିଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

Advertisment
ଲଳିତଗିରି ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ ଘଟଣା, ୨୩ଦିନ ପରେ ବି ଆସିଲାନି ବ୍ୟବଚ୍ଛେଦ ରିପୋର୍ଟ

କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାକୁ ବର୍ଷେ ପୂରିବାକୁ ଆଉ ମାତ୍ର ମାସେ ବାକି ରହିଛି। ଦିନକୁ ଦିନ ଏହି ମାମଲା ଜଟିଳ ରୂପ ନେଉଥିବା ବେଳେ ଏହି ଘଟଣାରେ ବାରମ୍ବାର ସମୟ ମାଗୁଛି ପୁଲିସ। ଏହାକୁ ନେଇ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହିତ ମାହାଙ୍ଗା ଥାନା ଆଇଆଇସି ତଥା ଘଟଣାର ତଦନ୍ତକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍ ଦେଇଛନ୍ତି। ଆଜିର ଶୁଣାଣି ସମୟରେ ଥାନା ଆଇଆଇସି ହାଜର ରହିବେ ବୋଲି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୨୯ତାରିଖରେ ପୁଲିସ ପକ୍ଷରୁ ଦାଖଲ ହୋଇଥିବା ଟାଇମ୍‌ ପିଟିସନ୍‌ ସହିତ ଉପଯୁକ୍ତ ନିର୍ଦ୍ଦେଶ ପ୍ରାର୍ଥନା କରି ଏତଲାକାରୀ ରମାକାନ୍ତ ବରାଳ ଦାଖଲ କରିଥିବା ପିଟିସନ୍ ଉପରେ ଆସନ୍ତାକାଲି ଶୁଣାଣି ହେବ। ଅନ୍ୟପଟେ ଏହି ମାମଲା ପରିଚାଳନା ପ‌ାଇଁ ସରକାରୀ ଓକିଲଙ୍କ ପରିବର୍ତ୍ତେ ତାଙ୍କୁ ଘରୋଇ ଭାବେ ଓକିଲ ନିଯୁକ୍ତି ପାଇଁ ଅନୁମତି ଦିଆଯାଉ ବୋଲି ଦର୍ଶାଇ ଏତଲାକାରୀ ରମାକାନ୍ତ କୋର୍ଟରେ ଏକ ପିଟିସନ୍‌ ଦାଖଲ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରବୀଣ କାନ୍‌ନ୍‌ଗୋ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ପୁଲିସ ତଦନ୍ତ ପ୍ରକ୍ରିୟାକୁ ନେଇ ବିଭିନ୍ନ ସମୟରେ କୋର୍ଟ କ୍ଷୁବ୍ଧ ହୋଇଥିବା ବେଳେ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ନଭେମ୍ବର ୨୯ ତାରିଖ ସୁଦ୍ଧା କୋର୍ଟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ, ସାନି କେସ୍ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୁଲିସ ଉକ୍ତ ଦିନ ଏହି ମାମଲାରେ ଅଧିକ ଏକ ମାସ ସମୟ ଦରକାର ବୋଲି ଟାଇମ୍‌ ପିଟିସନ୍‌ ଦାଖଲ କରିଥିଲା। ସେହିଦିନ ବିଚାରପତି ଅନୁପସ୍ଥିତ ଥିବାରୁ ମାମଲାର ଶୁଣାଣି ହୋଇ ପାରିନଥିଲା। ଆସନ୍ତାକାଲି ମାମଲାର ଶୁଣାଣି ଥିବା ବେଳେ ଥାନା ଆଇଆଇସିଙ୍କୁ ବ୍ୟକ୍ତିଗତ ଭାବେ ହାଜର ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ବାପି ବିଶ୍ବାଳ, ମାହାଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଏବଂ ପ୍ରାଣ ହରାଇଥିବା ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ତଥ୍ୟ (ସିଡିଆର୍) ସଂଗ୍ରହ କରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର ୨୦୨୦ରୁ ଫେବ୍ରୁଆରି ୨୦୨୧ ପର୍ଯ୍ୟନ୍ତ ଉକ୍ତ ୩ଜଣଙ୍କ ସମେତ ମାମଲାର ପ୍ରମୁଖ ସାକ୍ଷୀ ଓ ସମସ୍ତ ଅଭିଯୁକ୍ତଙ୍କ ସିଡିଆର ସଂଗ୍ରହ କରି ସଂରକ୍ଷିତ ରଖିବା ପାଇଁ କୋର୍ଟ ମାହାଙ୍ଗା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଚାର୍ଜସିଟରୁ ପ୍ରତାପ ଜେନାଙ୍କ ନାମ ବାଦ ଦେବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ମନ୍ତ୍ରୀ ପ୍ରତାପ ଜେନାଙ୍କର ଏହି ହତ୍ୟା ଷଡ଼ଯନ୍ତ୍ର ପଛରେ ହାତ ରହିଛି ଏବଂ ବାପି ବିଶ୍ବାଳ ଓ ଶରତ ନାୟକ ମନ୍ତ୍ରୀଙ୍କ ଘନିଷ୍ଠ ହୋଇଥିବା ବେଳେ ସିଡିଆର ଯାଞ୍ଚରୁ ତଥ୍ୟ ସାମନାକୁ ଆସିବ ବୋଲି ରମାକାନ୍ତ କୋର୍ଟରେ ଆବେଦନ କରିଥିଲେ। ପୂର୍ବରୁ ରମାକାନ୍ତଙ୍କ ଏହି ଆବେଦନକୁ ଗ୍ରହଣ କରି ଅଦାଲତ ମାହାଙ୍ଗା ଥାନା ପୁଲିସକୁ ଅଧିକ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମାହାଙ୍ଗା ଥାନା ପୁଲିସ ଏଯାଏ ରିପୋର୍ଟ ଦାଖଲ କରି ନଥିବା ବେଳେ ଅଭିଯୁକ୍ତଙ୍କ ଫୋନ୍ କଲ ଯାଞ୍ଚ ହୋଇଛି ବୋଲି ପୂର୍ବରୁ ଦର୍ଶାଇଥିଲା। କିନ୍ତୁ ଫୋନ୍ କଲର ସିଡିଆରକୁ ଚାର୍ଜସିଟ୍ ସହିତ ଦାଖଲ କରି ନଥିଲା। ଫଳରେ, ପୁଲିସ ସିଡିଆର ସଂଗ୍ରହ ଦିଗରେ ତୁରନ୍ତ ପଦକ୍ଷେପ ନେଇ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe