ବିଧାନସଭାରେ ବି ଉଠିଲା ମାହାଙ୍ଗା ଡବଲ୍‌ ମର୍ଡର୍‌ ପ୍ରସଙ୍ଗ

Advertisment
୫ ଦିନ ହେଲା ବିଧାନସଭା ଅଚଳ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

image source--odishaassembly.nic.in

ଭୁବନେଶ୍ବର : ବିଧାନସଭା‌ର ଶୂନ୍ୟକାଳରେ ଶନିବାର ମାହାଙ୍ଗା ଡବଲ୍‌ ମର୍ଡର୍‌ ପ୍ରସଙ୍ଗ ଉଠିଛି। ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ରାଜ୍ୟରେ ରାଜନୈତିକ ହିଂସା ବଢ଼ିଚାଲିଛି। ସାଧାରଣ ଲୋକ ଦୁର୍ନୀତି କଥା ଉଠାଇଲେ ତାଙ୍କୁ ହତ୍ୟା କରାଯାଉଛି। ଶାସକ ଓ ବିରୋଧୀଙ୍କ ପାଇଁ ଆଇନ୍ ଭିନ୍ନ ଭିନ୍ନ ହୋଇଯାଉଛି। ଅତୀତରେ ସମ୍ବଲପୁର ବିଧାୟକଙ୍କୁ ବିଭିନ୍ନ ମାମଲାରେ ଛନ୍ଦି ଦିଆଯାଇଥିଲା। କିନ୍ତୁ ଏବେ ମାହାଙ୍ଗା ଡବଲ୍‌ ମର୍ଡର୍‌ ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା ଅଭିଯୁକ୍ତ ଥିଲେ ମଧ୍ୟ ପୁଲିସ୍‌ ତାଙ୍କ ପଚରାଉଚୁରା କରୁ ନାହିଁ। ମାହାଙ୍ଗାର ବିଜେପି ନେତା ଶାରଦା ପ୍ରଧାନ ବିଧାନସଭା ଘେରାଉ କରିବାକୁ ଆସିଲା ବେଳେ ତାଙ୍କୁ ରୋକିବା ପାଇଁ ଉଦ୍ୟମ କରାଯାଉଛି। ମନ୍ତ୍ରୀଙ୍କ ନାଁରେ ହତ୍ୟା ପରି ସାଂଘାତିକ ଅଭିଯୋଗ ଥିଲେ ବି ସେ ଇସ୍ତଫା ଦେଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ କାହିଁକି ଚୁପ୍ ବସିଛନ୍ତି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆସିଛି। ତେଣୁ ମନ୍ତ୍ରୀ ନିଜ ଆଡ଼ୁ ତଦନ୍ତର ସାମ୍ନା କରିବା ଉଚିତ। ବିରୋଧୀ ଦଳ ଉପ‌େନତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ ଓ ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲେ।

ଶାସକ ଦଳ ସଭ୍ୟ ବ୍ୟୋମକେଶ ରାୟ କହିଥିଲେ ଯେ ବିରୋଧୀ ଦଳ ନେତା ଯେଉଁ ଲୋକର ନାଁ ପବିତ୍ର ଗୃହରେ ନେଉଛନ୍ତି ସେ ୨୨ ଦିନ ଜେଲ୍‌ରେ ଥିଲେ। ଶାରଦା ପ୍ରଧାନ ଜଣେ ଖଣି ମାଫିଆ ଓ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସେ ଲିପ୍ତ ଅଛନ୍ତି। ସେପରି ବ୍ୟକ୍ତିଙ୍କ ନାଁ ନେଇ ବିଧାନସଭାକୁ ଅପବିତ୍ର କରା ନ ଯାଉ। ସେପରି ବ୍ୟକ୍ତିଙ୍କର ବିଧାନସଭା ଘେରାଉ କରିବାର ନୈତିକତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe