ଗଜ ଉଦ୍ଧାରଣ ବେଶରେ ମହାପ୍ରଭୁ

ଗଜ ଉଦ୍ଧାରଣ ବେଶରେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଛି। ମାଘ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିଛନ୍ତି ଭକ୍ତ। ମଧ୍ୟାହ୍ନ ଧୂପ ପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ସନ୍ଧ୍ୟା ୭ଟା ୫୦ ସୁଦ୍ଧା ବେଶ ସଂପନ୍ନ ହୋଇଥିଲା। ତେଣୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାର ସୁଯୋଗ ନେଇଛନ୍ତି ବିପୁଳ ସଂଖ୍ୟକ ଭକ୍ତ। ଏଥିସହିତ ଆଜି ଶ୍ରୀମନ୍ଦିର ନିକଟରେ ଅଗ୍ନି ଉତ୍ସବ ପାଳିତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ଅଗି ଜଳା ପର୍ବ ପାଳିତ ହୋଇଛି।

ଦୁଇଟି ହାତୀ, ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁଇପାର୍ଶ୍ବରେ ଦୁଇଟି ପଦ୍ମଫୁଲ ଧରି ବିରାଜମାନ ହୋଇଥିଲେ। କୁମ୍ଭୀରର ଏକ ଚିତ୍ର ଗଜରାଜଙ୍କ ପାଦ କାମୁଡ଼ି ଧରିଥିବା ଭଳି ରହିଥିଲା। ସୋଲ, ଜରି, ଜମ୍ବୁରା, କନା, କଇଥ ଅଠା ଆଦି ବ୍ୟବହାର କରାଯାଇ ବେଶ ପ୍ରସ୍ତୁତ ହୋଇଥିଲା। ପୂର୍ବପ୍ରସ୍ତୁତ ଆୟୁଧ ସହ ନାନାଦି ଅଳଙ୍କାର ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା। ପୁରାଣ ବର୍ଣ୍ଣିତ କଥା ଅନୁଯାୟୀ, ତ୍ରିକୁଟ ପର୍ବତରେ ବାସ କରୁଥିବା ଗଜରାଜ ତୃଷାର୍ତ୍ତ ହୋଇ ଜଳପାନ ପାଇଁ ବନସ୍ତରୁ ବାହାରି ଅନେକ ଜାଗା ବୁଲିବା ପରେ ବରୁଣ ହ୍ରଦ ତୀରରେ ଶୀତଳ ଜଳରେ ପଶି ଜଳପାନ କରୁଥିଲେ। ଏହି ସମୟରେ ଉକ୍ତ ହ୍ରଦରୁ ବିରାଟ କୁମ୍ଭୀର ଗଜରାଜଙ୍କୁ ଆକ୍ରମଣ କରିଥିଲା। ଗୋଡ଼କୁ କାମୁଡ଼ି ଧରି ପାଣି ଭିତରକୁ ଟାଣିନେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଗଜରାଜ ଅସହାୟ ହୋଇ କୁମ୍ଭୀରଠାରୁ ଉଦ୍ଧାର ପାଇଁ ମହାପ୍ରଭୁଙ୍କୁ ଗୁହାରି କରିଥିଲେ। ଗଜରାଜଙ୍କ ଗୁହାରି ଶୁଣି ମହାପ୍ରଭୁ ଚକ୍ରରେ କୁମ୍ଭୀରକୁ ମାରି ଗଜରାଜଙ୍କୁ ଉଦ୍ଧାର କରିଥିଲେ। ପୁରାଣ ବର୍ଣ୍ଣିତ ଏହି ଘଟଣା ପବିତ୍ର ମାଘ ପୂର୍ଣ୍ଣିମାରେ ହୋଇଥିବାରୁ ଏହି ସ୍ମୃତିରେ ପ୍ରତିବର୍ଷ ମାଘ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇ ଆସୁଛି। ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ବେଶକୁ ଭକ୍ତଗଣ ଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe