ତ୍ରିବିକ୍ରମ ବେଶରେ ମହାପ୍ରଭୁ: ଆଜି ଲକ୍ଷ୍ମୀନୃସିଂହ ବେଶ

ବଦଳିଲାନି ସାତପାହାଚ ଓ ନାଟମଣ୍ଡପ ସ୍ଥିତି

ତ୍ରିବିକ୍ରମ ବେଶରେ ମହାପ୍ରଭୁ: ଆଜି ଲକ୍ଷ୍ମୀନୃସିଂହ ବେଶ

ପୁରୀ: ମହାପଞ୍ଚୁକର ତୃତୀୟ ଦିନରେ କାର୍ତ୍ତିକ ତ୍ରୟୋଦଶୀ ତିଥିରେ ମହାପ୍ରଭୁ ଡାଳିକିଆ ବା ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ବି ଦେଖିବାକୁ ମିଳିଛି। ତଥାପି ସାତପାହାଚ, ନାଟମଣ୍ଡପ ଓ ଭିତର କାଠରେ ଦର୍ଶନ ଶୃଙ୍ଖଳିତ ହେଉନଥିବାରୁ ପ୍ରବଳ ଠେଲାପେଲା ଭିତରେ ଭକ୍ତମାନେ ଦର୍ଶନ କରିଛନ୍ତି।

ମହାପ୍ରଭୁଙ୍କ ବାମନ ଅବତାରର ସର୍ବମୟ ସ୍ବରୂପକୁ ମନେ ପକାଇ ଏହି ବେଶ କରାଯାଇଥାଏ। ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଆରମ୍ଭ ହୋଇଥିଲା। ଖୁଣ୍ଟିଆ, ଚାଙ୍ଗଡ଼ା, ମେକାପ ଓ ସିଂହାରୀ ସେବକମାନେ ଏହି ବେଶ କରିଥିଲେ। ମସ୍ତକରେ ସୁନା କିରୀଟ, ଚନ୍ଦ୍ର-ସୂର୍ଯ୍ୟ ସାଙ୍ଗକୁ ସୋଲ, କନା, ବେତ, କଇଁଥ ଅଠା ଆଦି ବ୍ୟବହାର କରାଯାଇ ଏହି ବେଶ ପ୍ରସ୍ତୁତ କରାଯାଇଥିଲା। ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ଶଙ୍ଖ ଓ ଚକ୍ର, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ହାତରେ ହଳ ଓ ମୂଷଳ ଦେଖିବାକୁ ମିଳିଥିଲା। ଅବକାଶଠାରୁ ଭୋଗମଣ୍ଡପ ପର୍ଯ୍ୟନ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିଥିଲେ। ଏହି ସମୟରେ ଶ୍ରୀମନ୍ଦିରରେ ଶରତ ରାହାସ କରାଯାଇଥିଲା। ଏ ନେଇ ସନ୍ଧ୍ୟା ଧୂପ ପରେ ମଦନମୋହନ ଆଜ୍ଞାମାଳ ପାଇ ଜଗମୋହନ ଖଟରେ ବିଜେ ହୋଇଥିଲେ। ସେଠାରେ ଭୋଗ ବନ୍ଦାପନା ପରେ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା।

ଆସନ୍ତାକାଲି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ହେବ। କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ରାଜାଧିରାଜ ତଥା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେପଟେ ପଞ୍ଚୁକରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶ୍ରୀଜଗନ୍ନାଥ ବଲ୍ଲଭ ମଠଠାରୁ ବ୍ୟାରିକେଡ୍‌ରେ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ାଯିବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe