ନୌକା ନନ୍ଦିଘୋଷରେ ବିଜେକଲେ ମହାପ୍ରଭୁ: ଲୀଳାକ୍ଷେତ୍ର କାଙ୍କଣଶିଖରୀ

Advertisment
ନୌକା ନନ୍ଦିଘୋଷରେ ବିଜେକଲେ ମହାପ୍ରଭୁ: ଲୀଳାକ୍ଷେତ୍ର କାଙ୍କଣଶିଖରୀ

Mahaprabhu on the boat

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲାର ଚିଲିକା ହ୍ରଦ ଭିତରେ ଥିବା ଶ୍ରୀଜଗନ୍ନାଥ ଐତିହ୍ୟ କ୍ଷେତ୍ର କାଙ୍କଣଶିଖରୀରେ ଅନୁଷ୍ଠିତ ହୋଇଛି ନିଆରା ଘୋଷଯାତ୍ରା। ପ୍ରତିବର୍ଷ ଭଳି ଏଥର ବି ଚିଲିକାର ନୀଳ ଜଳରାଶିରେ ଚତୁର୍ଦ୍ଧାମୂର୍ତ୍ତି ନୌକାରେ ବିଜେ କରିଛନ୍ତି। ନୌକା ରୂପକ ନନ୍ଦିଘୋଷ ଡଙ୍ଗାରେ ଶ୍ରୀଜଗନ୍ନାଥ ଲୀଳା କ୍ଷେତ୍ର କାଙ୍କଣଶିଖରୀ ପୀଠ ଚତୁଃପାର୍ଶ୍ବର ଚିଲିକା ଜଳରେ ଶ୍ରୀଜିଉମାନଙ୍କୁ ପ୍ରଦକ୍ଷଣ କରାଯାଇ ଲୀଳାମଣ୍ଡପକୁ ବିଜେ କରାଯାଇଛି।

ଆଜି ସକାଳୁ ଶ୍ରୀଜିଉମାନଙ୍କ ମଙ୍ଗଳଆଳତି ପରେ ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାପରେ ଶ୍ରୀଜିଉମାନଙ୍କୁ ତଡ଼ପ ଲାଗି ବେଶ ଓ ପରେ ସେନାପଟା ଲାଗି ହୋଇଥିଲା। ଚାମର ଛତି ସହ ଘଣ୍ଟ ଘଣ୍ଟା କାହାଳୀ ମୃଦଙ୍ଗ ବାଦନ ଓ ହରିବୋଲ ହୁଳହୁଳି ଧ୍ୱନି ମଧ୍ୟରେ ପୀଠ ସଂଲଗ୍ନ ଚିଲିକାଘାଟକୁ ରୋଷଣୀରେ ନିଆଯାଇଥିଲା। ରଥ ପୂଜାର୍ଚ୍ଚନା ସରିବାପରେ ଭକ୍ତମାନଙ୍କର ଗହଣରେ ପଣ୍ଡିତ ମନୋଜ ଦାଶ ଓ ଅନ୍ୟ ପଣ୍ଡିତମାନେ ଠାକୁରମାନଙ୍କ ବିଜେ ପ୍ରତିମାଙ୍କୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ରଥାକୃତି ସୁସଜ୍ଜିତ ନନ୍ଦିଘୋଷ ଡଙ୍ଗାରେ ବିଜେ କରାଇଥିଲେ।

ପୀଠ ସଭାପତି ଡ. ସୁଶାନ୍ତ କୁମାର ସାହୁ ଆଦ୍ୟ ସେବକ ହାଡୁବନ୍ଧୁ ପଟ୍ଟନାୟକଙ୍କୁ ଛେରାପହଁରା ନୀତି ସମ୍ପନ୍ନ କରିବାକୁ ନିବେଦନ କରିବା ପରେ ଛେରାପହଁରା ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଚିଲିକାର ନୀଳ ଜଳରାଶି ବଡ଼ଦାଣ୍ଡ ପାଲଟିଥିଲା। ମାଦଳା ପାଞ୍ଜିର ତଥ୍ୟ ଅନୁଯାୟୀ ୧୭୩୧ ଓ ୧୭୩୨ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ମୁସ୍‌ଲିମ ଶାସକ ତକି ଖାଁଙ୍କ ଶ୍ରୀମନ୍ଦିର ଆକ୍ରମଣକୁ ଏଡ଼ାଇ ସେତେବେଳେ ପଣ୍ଡା ପଢ଼ିଆରୀମାନେ ଗୋପନରେ ଶ୍ରୀଜିଉମାନଙ୍କୁ ବ୍ରହ୍ମଗିରି ପଟୁ ଚିଲିକା ହ୍ରଦ ଭିତରେ ଭେଳାରେ ଆଣି ନଈରୀ ନିକଟସ୍ଥ ଗଙ୍ଗାଯମୁନା ଘାଟର ଅନତିଦୂରରେ ଥିବା କାଙ୍କଣଶିଖରୀ ପରିସରରେ ରଖିଥିଲେ। ଏହାପରେ ନଈରୀ ଗ୍ରାମର ଶୈବପୀଠ ହରିହରେଶ୍ବର ମହାଦେବଙ୍କ ପୀଠରେ ଶ୍ରୀଜିଉମାନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ସେତେବେଳେ ରଥଯାତ୍ରା ପଡ଼ିଥିବାରୁ ପରମ୍ପରା ରକ୍ଷା ପାଇଁ ଶଗଡ଼ିରେ ଠାକୁରମାନଙ୍କୁ ବିଜେ କରାଇ ନଈରୀ ଦାଣ୍ଡରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଐତିହ୍ୟକୁ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ କାଙ୍କଣଶିଖରୀ ପୀଠରେ ଗତ ୧୦ ବର୍ଷ ଧରି ଚିଲିକା ଜଳରେ ଶ୍ରୀଜିଉମାନଙ୍କର ଏହି ଅନନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe