Quora
ପୁରୀ : ଶ୍ରୀମନ୍ଦିର ଆନନ୍ଦବଜାରରେ ବାରମ୍ବାର ବିଶୃଙ୍ଖଳା ଓ ଭକ୍ତଙ୍କୁ ଆକ୍ରମଣ ପରେ ଶୃଙ୍ଖଳା ଆଣିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଏ ଉପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ସହ ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦବଜାର ସମ୍ପର୍କିତ ପ୍ରାୟ ୨୦ଟି ପ୍ରସଙ୍ଗରେ ଏହି ବୈଠକରେ ବିଧିବଦ୍ଧ ଆଲୋଚନା ସହ ଆବଶ୍ୟକ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆବଶ୍ୟକ ବିଚାରବିମର୍ଶ ଓ ସୁପାରିସ ପାଇଁ ଏକ ସବ୍କମିଟି ଗଠନ କରାଯାଇଛି। ଏହି କମିଟି ୭ରୁ ୧୦ ଦିନ ଭିତରେ ଆବଶ୍ୟକ ସୁପାରିସ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ପ୍ରଦାନ କରିବା ପରେ ଏହି ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନିଆଯାଇଛି।
business.siteଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ସୁରକ୍ଷା ପ୍ରଶାସକ ଭି ଏସ୍ ଚନ୍ଦ୍ରଶେଖର ରାଓ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ଜଗନ୍ନାଥ କର ଓ ମାଧବ ମହାପାତ୍ର, ସୁଆର ମହାସୁଆର ନିଯୋଗ ସଭାପତି ଓ ସଂପାଦକ, ନିଯୋଗର ବରିଷ୍ଠ ସଦସ୍ୟମାନେ ଥିଲେ। ବୈଠକରେ ଆନନ୍ଦବଜାରର ବିଭିନ୍ନ ବିଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, କେବଳ ସ୍ବତ୍ବଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ମହାପ୍ରସାଦ ବିକ୍ରି କରିବେ। ଏହାର ତାଲିକା ସୁଆର ମହାସୁଆର ନିଯୋଗ ପ୍ରଦାନ କରିବ। କିଏ, କେଉଁଠି, କେତେ ପରିମାଣର ମହାପ୍ରସାଦ ବିକ୍ରି କରିବ, ତାର ସବିଶେଷ ତାଲିକା ନିଯୋଗ ଦେବ। ଏହି ତାଲିକା ଆଧାରରେ ଅଣସୁପକାର ଓ ଅନ୍ୟ ବ୍ୟକ୍ତିଙ୍କୁ ଆନନ୍ଦବଜାରରୁ ତଡ଼ାଯିବ। କେଉଁ ଜାଗାରେ ସୁପକାରମାନେ ମହାପ୍ରସାଦ ବିକିବେ, ସ୍ଥାନ ଚିହ୍ନଟ ହେବ। ସେହି ଅନୁସାରେ ଷ୍ଟଲ୍ ସବୁର ନମ୍ବରିଂ ହେବ ଓ ସାଇନେଜ୍ ଲାଗିବ।
The New Indian Expressସୁପକାରମାନଙ୍କୁ ପରିଚୟପତ୍ର ବି ସେହି ଅନୁସାରେ ପ୍ରଦାନ କରାଯିବ। ଭକ୍ତଙ୍କୁ ସହାୟତା ତଥା ତତ୍କାଳ ପୁଲିସ ସହାୟତା ପାଇଁ ଆନନ୍ଦବଜାରରେ ପୁଲିସ ସହାୟତା କେନ୍ଦ୍ର ଖୋଲିବ। ମହାପ୍ରସାଦ ବିକ୍ରି ବେଳେ କେହି ଭକ୍ତଙ୍କ ବାଟ ଓଗାଳି ପାରିବେନି। ଭକ୍ତଙ୍କ ପ୍ରସାଦ ସେବନ ଜାଗାରେ ପିଢ଼ା, ଖଟ ଆଦି ପକାଇ ପାରବେନି। ଆନନ୍ଦବଜାରରେ ପଲିଥିନ୍ ପକାଯିବନି। ଆବଶ୍ୟକ ଜାଗାରେ ଶ୍ରୀମନ୍ଦିର ପ୍ରଶାସନ ତାରପିନର ବ୍ୟବସ୍ଥା କରିବ। କୋଇଲି ବୈକୁଣ୍ଠ, ଭୋଗମଣ୍ଡପ ନିକଟରେ ମହାପ୍ରସାଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେବ। କେବଳ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ଭୋଗ ହିଁ ଆନନ୍ଦବଜାରରେ ବିକ୍ରି ହେବ। କ୍ଷୀରା, ରାବିଡ଼ି ଆଦି ବିକ୍ରି ବନ୍ଦ ହେବ। ଆନନ୍ଦବଜାର ମାଳି ଦୋକାନରେ ଖେଳଣା ବନ୍ଧୁକ ସହ ଅନ୍ୟାନ୍ୟ ଖେଳଣା ବିକ୍ରି ବିକ୍ରି ବନ୍ଦ ହେବ। କେବଳ ଧାର୍ମିକ ଜିନିଷ ବିକ୍ରି ହେବ। ବାସି ମହାପ୍ରସାଦ ବିକ୍ରି ରୋକିବା ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ନିୟମିତ ଯାଞ୍ଚ କରିବେ। ମହାପ୍ରସାଦରେ ଡାଲ୍ଡା ଘିଅ ବ୍ୟବହାର ହେଲେ, କାର୍ଯ୍ୟାନୁଷ୍ଠାନ ହେବ। ଭୋଗମଣ୍ଡପରୁ ମହାପ୍ରସାଦ ବାହରିବା ପରେ ବୋଝିଆମାନେ ବାଇଶି ପାହାଚ ପାର୍ଶ୍ବରେ ଆନନ୍ଦବଜାରକୁ ଥିବା ବାଟ ଦେଇ ମହାପ୍ରସାଦ ନେବା ଆଣିବା କରିବେ। ଦର ତାଲିକା ବି ଖୁବଶୀଘ୍ର ଲାଗିବ। ଯଦ୍ବାରା ଭକ୍ତମାନେ ଶୋଷଣମୁକ୍ତ ହୋଇପାରିବେ। ଆନନ୍ଦବଜାର ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହେବ।
ଏହି ନିଷ୍ପତ୍ତି ଉପରେ ନିଯୋଗ ସହ ଆଲୋଚନା କରି ଆବଶ୍ୟକ ସୁପାରିସ ପାଇଁ ଆନନ୍ଦବଜାର ଶୃଙ୍ଖଳା ସବ୍କମିଟି ଗଠନ କରାଯାଇଛି। ଏଥିରେ ଶ୍ରୀମନ୍ଦିର ତିନିଜଣ ପ୍ରଶାସକ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର କମାଣ୍ଡାଣ୍ଡ୍, ତିନି ପରିଚାଳନା କମିଟି ସଦସ୍ୟ, ସୁଆର ମହାସୁଆର ନିଯୋଗ ସଭାପତି, ସଂପାଦକ ଓ ବରିଷ୍ଠ ସଦସ୍ୟ ଦାମୋଦର ମହାସୁଆର ପ୍ରମୁଖ ରହିଛନ୍ତି।
Follow Us