ଉତ୍ସବମୁଖର ବ୍ରହ୍ମପୁର ସହର; ଗୋପାଳପୁର ବେଳାଭୂମିରେ ଦାଣ୍ଡିଆ ନାଇଟ୍

Advertisment
ଉତ୍ସବମୁଖର ବ୍ରହ୍ମପୁର ସହର; ଗୋପାଳପୁର ବେଳାଭୂମିରେ ଦାଣ୍ଡିଆ ନାଇଟ୍

ବ୍ରହ୍ମପୁର: ଶକ୍ତି ପୀଠମାନଙ୍କରେ ଗତକାଲି ରାତିରେ ମହାନବମୀ ପୂଜାପାଠ ଶେଷ ହୋଇଥିବା ବେଳେ ଆଜି ଅସ୍ଥାୟୀ ପୂଜା ମଣ୍ତପଗୁଡ଼ିକରେ ପାଳିତ ହୋଇଛି ମହାନବମୀ। ଏଥିପାଇଁ ସମଗ୍ର ବ୍ରହ୍ମପୁର ସହର ଏବେ ଉତ୍ସବମୁଖର। ସୁଦୃଶ୍ୟ ଆଲୋକମାଳା, ଭଳିକି ଭଳି ତୋରଣ, ସୁସଜ୍ଜିତ ପୂଜା ମଣ୍ଡପରେ ସାରା ସହର ଝଲସୁଛି। ବୈଦିକ ମନ୍ତ୍ରୋଚାରଣ, ହୋମଯଜ୍ଞ ସହ ମା’ଙ୍କ ପୂଜାର୍ଚ୍ଚନାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ସନ୍ଧ୍ୟା ଆଳତି ଦେଖିବା ମା’ଙ୍କ ଆଶିଷ ଲାଭ କରିବା ପାଇଁ ପୂଜା ମଣ୍ଡପ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ଭଜନ ସମାରୋହ, ମେଲୋଡ଼ି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି।

ଆଜି ରବିବାର ଥିବାରୁ ବିଜିପୁର, କମାପଲ୍ଲୀ, ହନୁମାନ ବଜାର, ଗିରିଜା ଛକ, ଗିରି ମାର୍କେଟ୍ ଛକ, ବଡ଼ବଜାର, ଟାଟାବେଞ୍ଜ ଛକ, ଜନାନା ହସ୍‌ପିଟାଲ୍‌ ରୋଡ, ଅଟୋନଗର, ପରିବା ମାର୍କେଟ୍, କୋର୍ଟପେଟା ଛକ ସମେତ ସମସ୍ତ ପୂଜା ମଣ୍ଡପରେ ଦିନ ସାରା ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପୂଜା ମଣ୍ତପ ଗୁଡ଼ିକ ଘଣ୍ଟ, ବାଦ୍ୟ, ଶଙ୍ଖ ଓ ପାରମ୍ପରିକ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଥିଲା। ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ହୋଇସାରିଥିବାରୁ, ବାପାମା’ଙ୍କ ସହ ପିଲାମାନେ ମେଢ ବୁଲି ପୂଜା ଛୁଟିର ମଜା ଉଠାଉଛନ୍ତି। ଦେବୀ ପୀଠ ଗୁଡ଼ିକ ମଧ୍ୟ ଦିନ ସାରା ଚଳଚଂଚଳ ରହିଥିଲା। ଅନ୍ୟପକ୍ଷେ ପୁରୁଣା ବ୍ରହ୍ମପୁରରେ ମା’ କୁଠାରୀଙ୍କ ଯାତ୍ରା ଏବଂ ଗୋସାଇଁ ନୂଆଗାଁରେ ମା’ କାଳୁଆଙ୍କ ଯାତ୍ରା ମହା ଆଡ଼ମ୍ବର ସହକାରେ ପାରମ୍ପରିକ ରୀତି ନୀତି ଅନୁସାରେ ପାଳିତ ହେଉଛି। ପୁଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତ୍ୟେକ ପୂଜା ମଣ୍ତପକୁ ଜନସାଧାରଣଙ୍କ ଯାତାୟାତ ପାଇଁ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯାଇଛି।

publive-image

ଗୋପାଳପୁର: ଆଜି ଗୋପାଳପୁର ବେଳାଭୂମିରେ ଦାଣ୍ଡିଆ ନାଇଟ ଅନୁଷ୍ଠିତ ହୋଇଥିଲା। ଗୋପାଳପୁର ଟୁରିଜିମ ଡେଭେଲପମେଣ୍ଟ କମିଟି ଏବଂ ବ୍ରହ୍ମପୁରର ଶ୍ରୁତି ଡ୍ୟାନ୍ସ ଏକାଡେମି ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଯୁବକ ଯୁବତୀ, ପର୍ଯ୍ୟଟକ, ସ୍ଥାନୀୟ ଲୋକ ଯୋଗ ଦେଇଥିଲେ। ଆୟୋଜକ କମିଟି ସଭାପତି ୱାଇ.ଶ୍ରୀନିବାସ, ସମ୍ପାଦକ ସରୋଜ୍ ରଥ, ଶ୍ରୁତି ଡ୍ୟାନ୍ସ ଏକାଡେମିର ସନ୍ତୋଷିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସ୍ଥାନୀୟ ପୋଲିସ ନିୟୋଜିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe