ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ଅଣକୁଶଳୀ ଶ୍ରମିକଙ୍କୁ ଏବେ ଦୈନିକ ମିଳିବ ଅଧିକ ୯୬.୪୦ ଟଙ୍କା ମଜୁରି

Advertisment
ଖୋର୍ଦ୍ଧାରେ ମନରେଗା: ଆବେଦନକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ କାମ ପାଇବାରୁ ବଂଚିତ

Representative Photo

ସୁନ୍ଦରଗଡ଼: ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ବା ନରେଗା ଯୋଜନାରେ ଜିଲ୍ଲାର ଅଣକୁଶଳୀ ଶ୍ରମିକଙ୍କୁ ଏଣିକି ଦୈନିକ ୩୦୩ ଟଙ୍କା ୪୦ ପଇସା ହାରରେ ମଜୁରି ମିଳିବ। ଆଗରୁ ଦୈନିକ ମଜୁରି ୨୦୭ ଟଙ୍କା ରହିଥିଲା। ଏବେ ଦୈନିକ ଅଧିକ ୯୬ ଟଙ୍କା ୪୦ ପଇସା ମଜୁରି ପ୍ରଦାନ କରାଯିବ। ଏହି ଅତିରିକ୍ତ ଅର୍ଥ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିରୁ ପ୍ରଦାନ କରାଯିବ।

କୋଭିଡ୍‌ ମହାମାରୀ ପରିସ୍ଥିତିରେ ଜିଲ୍ଲାର ଶ୍ରମିକ ଏବଂ ସାଧାରଣ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ନରେଗା ଯୋଜନାରେ ଅଧିକ କର୍ମ ନିଯୁକ୍ତି ଲାଗି ଜିଲ୍ଲା ପ୍ରଶାସନ ଉଦ୍ୟମ କରି ଆସୁଛି। ଜିଲ୍ଲାର ଗ୍ରାମାଞ୍ଚଳ ଶ୍ରମିକମାନଙ୍କ ମଜୁରି ବୃଦ୍ଧି କରିବା ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପ୍ରସ୍ତାବ ଦେଇଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ବିଭାଗ କେନ୍ଦ୍ରକୁ ସୁପାରିଶ କରିଥିଲା। କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ଫଳରେ ଏବେ ଜିଲ୍ଲାର ନରେଗା ହିତାଧିକାରୀମାନେ ଦୈନିକ ଅତିରିକ୍ତ ୯୬ ଟଙ୍କା ୪୦ ପଇସା ମଜୁରି ପାଇବେ।

୨୦୨୦-୨୧ ଆର୍ଥିକ ବର୍ଷରେ ନରେଗା ଅଧୀନରେ ୧ କୋଟି ୪୩ ଲକ୍ଷ ୧୬ ହଜାର ୩୧୬ଟି ଶ୍ରମ ଦିବସ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୨୮ ଅକ୍ଟୋବର ସୁଦ୍ଧା ୮୩ ଲକ୍ଷ ୮୨ ହଜାର ୭୩୩ ଶ୍ରମ ଦିବସ ସୃଷ୍ଟି ହୋଇପାରିଛି। ତେଣୁ ବଳକା ୫୯ ଲକ୍ଷ ୩୩ ହଜାର ୫୮୩ଟି ଶ୍ରମ ଦିବସ ହାସଲ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏ ବାବଦରେ ବର୍ଦ୍ଧିତ ମଜୁରି ଲାଗି ଡିଏମଏଫ ପାଣ୍ଠିରୁ ୫୭ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯିବ। ଏହି ମଜୁରି ବୃଦ୍ଧି ଅକ୍ଟୋବର ୨୯ ତାରିଖରୁ ସୁନ୍ଦରଗଡ଼ ଜିଲ୍ଲାରେ ଲାଗୁ କରାଯିବ।

ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବାସ ଫେରନ୍ତା ବ୍ୟକ୍ତି ଏବଂ ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ହାତରେ ଯଥେଷ୍ଟ କାମ ଯୋଗାଇବା ପାଇଁ ପ୍ରଶାସନ ଉଦ୍ୟମ କରୁଛି। ତା’ସାଙ୍ଗକୁ ଠିକଣା ସମୟରେ ସେମାନେ ଯେପରି ମଜୁରି ବାବଦ ଅର୍ଥ ପାଇ ପାରିବେ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯାଉଛି। ନରେଗା ଯୋଜନାରେ ଆଗ୍ରହୀ ସମସ୍ତ ପରିବାର ହାତରେ କାମ ଯୋଗାଇ ଦେବା ପ୍ରଶାସନର ଲକ୍ଷ୍ୟ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe