ବରଗଡ଼: ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଟାଲ ନିବାସୀ ମହେନ୍ଦ୍ର ବଢ଼େଇଙ୍କ ଗୁରୁବାର ପ୍ରାୟ ରାତି ୧୦ଟା ବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ନର୍ସିଂହୋମ୍ରେ ପରଲୋକ ଘଟିଛି। ଦୁଇ ଦିନ ତଳେ ହୃଦ୍ଘାତଜନିତ ସମସ୍ୟା କାରଣରୁ ସେ ଚିକିତ୍ସାଧୀନ ଥିଲେ। ଗୁରୁବାର ତାଙ୍କ ହୃଦ୍ପିଣ୍ଡର ଅସ୍ତ୍ରୋପଚାର କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସୁଧୁରୁଥିବା ବେଳେ ଅଚାନକ ରାତିରେ ବିଗିଡ଼ି ଯାଇଥିଲା। ଶେଷରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ବର୍ଗତ ବଢ଼େଇ ତାଙ୍କ ପଛରେ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ଛାଡ଼ି ଯାଇଛନ୍ତି। ସୂଚନାଯୋଗ୍ୟ ସ୍ବର୍ଗତ ବଢ଼େଇ ପୂର୍ବରୁ ଜଣେ ପ୍ରଶାସନିକ ଅଧିକାରୀ ଥିଲେ।
ପ୍ରଶାସନିକ ଅଧିକାରୀ ଭାବେ ଶେଷଥର ପାଇଁ ନୂଆପଡ଼ା ଜିଲ୍ଲାର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। ପଦ୍ମପୁର ଉପନିର୍ବାଚନ ବେଳେ ସେ ନିଜ ପଦରୁ ଇସ୍ତଫା ଦେଇ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ। ଏହା ପରେ ତାଙ୍କୁ ଦଳର ପ୍ରବକ୍ତା ଏବଂ ପରେ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିଲା। ସ୍ବର୍ଗତ ବଢ଼େଇ ଜଣେ ସମାଜସେବୀ ଥିଲେ। କୋଭିଡ୍ ସମୟରେ ପଦ୍ମପୁର ଉପଖଣ୍ଡର ବିଭିନ୍ନ ଗ୍ରାମକୁ ପହଂଚି ଲୋକଙ୍କୁ ନାନା ସହାୟତା କରି ବେଶ୍ ଲୋକପ୍ରିୟ ହୋଇଥିଲେ। ସ୍ବର୍ଗତ ବଢ଼େଇ ପଦ୍ମପୁର ବିଧାନସଭା ଆସନର ଟିକେଟ୍ ଦାବିଦାର ଭାବେ ମଧ୍ୟ ଚର୍ଚ୍ଚାରେ ରହିଥିଲେ।
Follow Us