ଅଣସର ଘରେ ମହାପ୍ରଭୁଙ୍କ ଚକାବିଜେ, ଶ୍ରୀଜିଉଙ୍କ ସୁସ୍ଥତା ପାଇଁ ଶ୍ରୀମନ୍ଦିରକୁ ଗଲା ମହୌଷଧି ‘ଦଶମୂଳ’

ଆଜି ଖଳିଲାଗି ଏକାଦଶୀ, ମହାପ୍ରଭୁ ପିନ୍ଧିବେ ରକ୍ତବସ୍ତ୍ର

ଅଣସର ଘରେ ମହାପ୍ରଭୁଙ୍କ ଚକାବିଜେ, ଶ୍ରୀଜିଉଙ୍କ ସୁସ୍ଥତା ପାଇଁ ଶ୍ରୀମନ୍ଦିରକୁ ଗଲା ମହୌଷଧି ‘ଦଶମୂଳ’

ପୁରୀ : ପବିତ୍ର ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ି ଅସୁସ୍ଥ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି। ଅସୁସ୍ଥ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ନାନାଦି ଗୁପ୍ତସେବା। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ସେବକ, ସୁନା ଗୋସେଇଁ ସେବକମାନେ ମହାପ୍ରଭୁଙ୍କ ଅଣସରକାଳୀନ ଏହି ଗୁପ୍ତନୀତି ସମ୍ପାଦନ କରୁଛନ୍ତି। ଏକବସ୍ତ୍ର ହୋଇ ଅଣସର ବାସଠାରୁ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି। ଦୈନିନ୍ଦିନ ଚକଟା ଭୋଗ ଓ ଅନ୍ୟାନ୍ୟ ନୀତି ସମ୍ପାଦନ କରୁଛନ୍ତି। ଶ୍ରୀଅଙ୍ଗରେ ଲାଗି ହେବାପାଇଁ ବିଭିନ୍ନ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ ଔଷଧ ଯୋଗାଇ ଦିଆଯାଉଛି। ବଡ଼ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇଥିବା ବେଳେ ଶୁଦ୍ଧ ସୁଆର ସେବକମାନେ ଓଷୁଅ ଯୋଗାଇ ଦେଇଛନ୍ତି। ସମାନ୍ୟ ସୁସ୍ଥ ଅନୁଭବ କରିବା ପରେ ଆଜି ବିଧି ମୁତାବକ ଅଣସରରେ ଥିବା ତିନି ଠାକୁର ଚକାବିଜେ କରିଛନ୍ତି।

ଅନ୍ୟପଟେ ଶ୍ରୀମନ୍ଦିର ବୈଦ୍ୟମାନେ ଦଶମୂଳ ପ୍ରସ୍ତୁତ କରି ଗୁରୁବାର ଦିନ ଗାରଦରେ ଦାଖଲ କରିଛନ୍ତି। ଏକାଦଶୀ ତିଥି ଅର୍ଥାତ୍‍ ଆଜି ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀଅଙ୍ଗର ଉପଚାର କରାଯିବ। ଏଥିସହ ଆଜି ମହାପ୍ରଭୁଙ୍କ ଖଳି ଲାଗି ଏକାଦଶୀ ନୀତି ଅନୁଷ୍ଠିତ ହେବ। ମାନବ ଶରୀର ଭଳି ମହାପ୍ରଭୁ ଆଜି ରକ୍ତବସ୍ତ୍ର ପରିଧାନ କରିବେ। ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବ।

ପରମ୍ପରା ମୁତାବକ, ଗୁରୁବାର ଦିନ ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୋଇଛି। ଶୟନରତ ଅବସ୍ଥାରେ ଅଣସର ପିଣ୍ଡିରେ ବିଶ୍ରାମ କରୁଥିବା ମହାପ୍ରଭୁ ଗୁରୁବାର ଦିନ ଚକା ଉପରେ ବିଜେ କରି ବସିଛନ୍ତି। ଗୁରୁବାର ଦିନ ନୀତି ମୁତାବକ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଛି। ବିଶ୍ରାମାବସ୍ଥାରୁ ଚକା ଉପରେ ବିଜେ(ଚକା ଉପରେ ବସିବା) ହେବା ସ୍ଥିତି ମହାପ୍ରଭୁଙ୍କ ସୁସ୍ଥତାର ପରିଚୟ ଦେଇଛି। ଚକାବିଜେ ହେବା ପରେ ଶ୍ରୀମନ୍ଦିରକୁ ଦଶମୂଳ(ମୋଦକ) ବିଜେ କରାଯାଇଛି। ମହାପ୍ରଭୁଙ୍କ କବିରାଜମାନେ ଏହି ଔଷଧକୁ ଦୀର୍ଘଦିନ ଶୁଦ୍ଧପୁତ ଭାବରେ ପ୍ରସ୍ତୁତ କରିଛନ୍ତି। ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ରାନୁସରଣରେ ଏହି ମହୌଷଧୀ ପ୍ରସ୍ତୁତ ହୋଇଛି। ଏକାଦଶୀ ତିଥି ଅର୍ଥାତ୍‍ ଆସନ୍ତାକାଲି ଅସୁସ୍ଥ ଶ୍ରୀବିଗ୍ରହମାନଙ୍କୁ ଦଶମୂଳ ମୋଦକ ଲାଗି କରିବାର ବିଧି ରହିଛି। ସ୍ନାନପୂର୍ଣିମା ପରେ ଅସୁସ୍ଥ ଶ୍ରୀଜିଉମାନଙ୍କ ଆରୋଗ୍ୟ ଲାଗି ଶ୍ରୀମନ୍ଦିର ବୈଦ୍ୟମାନେ ପ୍ରଭୁଙ୍କ ଲାଗି ହେବାକୁ ଥିବା ଏହି ଦଶମୂଳକୁ ଦୀର୍ଘ ଦିନ ଧରି ପ୍ରସ୍ତୁତି କରିବାରେ ସପରିବାର ନିୟୋଜିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe