କରୋନା କଟକଣାରେ ଅସହ୍ୟ ହେଲାଣି ପେଟର ଭୋକ : ଆଦିବାସୀଙ୍କ ପାଇଁ ଜୀବିକା ଯୋଗାଇଛି ମହୁଲଫୁଲ

Advertisment
କରୋନା କଟକଣାରେ ଅସହ୍ୟ ହେଲାଣି ପେଟର ଭୋକ : ଆଦିବାସୀଙ୍କ ପାଇଁ ଜୀବିକା ଯୋଗାଇଛି ମହୁଲଫୁଲ

ଦଶପଲ୍ଲା : କରୋନା ସଂକ୍ରମଣ ପାଇଁ ସାରା ଦେଶ ଏବେ ତାଲା ବନ୍ଦ। ଗାଁ’ଠାରୁ ସହର ଚାରିଆଡ଼ ଖାଁ ଖାଁ। ଗରିବ ଖଟିକିଆଙ୍କଠାରୁ ଆରମ୍ଭ କରି ଆଦିବାସୀ ସଂପ୍ରଦାୟର ସମସ୍ତ ପରିବାର ହରାଇ ବସିଛନ୍ତି ରୋଜଗାର। କରୋନା କଟକଣା ପାଇଁ ହାତବାନ୍ଧି ବସି ରହିଥିବା ଏହି ଆଦିବାସୀଙ୍କ ପାଇଁ ଏବେ ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ ଏକ ଜୀବିକା ହୋଇଛି। ମହୁଲ ଗରିବ ପରିବାର ପାଇଁ ଏକ ଅର୍ଥକାରୀ ବୃକ୍ଷ ହୋଇଥିବା ବେଳେ ସକାଳୁ ସଞ୍ଜ ଯାଏଁ ଟାଇଁ ଟାଇଁ ଖରାରେ ହଜାର ହଜାର ଆଦିବାସୀ ପରିବାର ଏବେ ମହୁଲ ଫୁଲ ସଂଗ୍ରହରେ ଲାଗି ପଡ଼ିଛନ୍ତି। ଆଦିବାସୀ ବହୁଳ ତଥା ବଣଜଙ୍ଗଲ ଘେରା ଅଂଚଳ ମଧ୍ୟରେ ଏହି ମହୁଲ ଗଛ ବହୁ ମାତ୍ରାରେ ରହିଥିବା ବେଳେ ଏହି କରୋନା କଟକଣା ସମୟରେ ମହୁଲ ଫୁଲ ସଂଗ୍ରହ ଏମାନଙ୍କ ଜୀବନ ଜୀବିକାର ଉତ୍ସ ପାଲଟିଛି। ମୁଖ୍ୟତଃ ବର୍ଷକରେ ୪୦ ଦିନ ବା ଦେଢ଼ ମାସ ଏହି ମହୁଲ ଫୁଲକୁ ସଂଗ୍ରହ କରାଯାଇଥାଏ। ବସନ୍ତ ଋତୁ ତଥା ଫାଲଗୁନ୍‌ ମାସ ଦୋଳ ପୂର୍ଣ୍ଣିମାଠାରୁ ପଣା ସଂକ୍ରାନ୍ତି ମଧ୍ୟରେ ଏହି ଗଛରୁ ଫୁଲ ଝଡ଼ିଥାଏ। ଦଶପଲ୍ଲା ବ୍ଲକ୍‌ର ୨୦ଟି ପଞ୍ଚାୟତ ମଧ୍ୟରୁ ଅର୍ଦ୍ଧାଧିକ ପଞ୍ଚାୟତ ବା ଆଦିବାସୀ ବହୁଳ ପୋଖରୀଗୋଛା, ଚଢ଼େୟାପଲ୍ଲୀ, କଳସାଖମଣ, ନୂଆଗାଁ, ବାଣୀଗୋଛା, ଟାକରା, କୁଜାମେଣ୍ଢି, ଦୁଡ଼ା, କୁଲୁରୁକୁମ୍ପା, ନଛିପୁର ଓ ଘୁଗୁଡିପଡା ପ୍ରଭୃତି ପଞ୍ଚାୟତର ହଜାର ହଜାର ଆଦିବାସୀ ପରିବାର ଏହି ମହୁଲ ଫୁଲ ସଂଗ୍ରହରେ ଲାଗିପଡ଼ିଛନ୍ତି।

publive-image

ତାଲାବନ୍ଦ ଯୋଗୁ କାମଧନ୍ଦା ହରାଇ ବସିଥିବା ଏସବୁ ପରିବାର ପାଇଁ ଏବେ ପେଟର ଭୋକ ଅସହ୍ୟ ହୋଇ ପଡ଼ିଥିବା ବେଳେ ଚଳିତ ବର୍ଷ ମହୁଲ ଫୁଲ ସଂଗ୍ରହ କରିବା ଏମାନଙ୍କ ପାଇଁ ପ୍ରକୃଷ୍ଟ ସମୟ ପାଲଟିଛି। ଏଥି ସହିତ ଗାଈଗୋରୁ, ଛେଳିମେଣ୍ଢା ଓ ବନ୍ୟଜନ୍ତୁଙ୍କ ପାଇଁ ମଧ୍ୟ ଏହା ଆହାର ଯୋଗାଇଛି। ହଜାର ହଜାର ପରିବାର ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଭୋର୍‌ରୁ ଜଙ୍ଗଲକୁ ଯାଉଥିବା ବେଳେ ଦିନରେ ପ୍ରାୟ ୪ରୁ ୫ ଥର ଏହି ଫୁଲ ସଂଗ୍ରହ ହୋଇଥାଏ। ଏହାକୁ ସଂଗ୍ରହ କରିବା ପରେ ଟାଣ ଖରାରେ ପ୍ରାୟ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ଶୁଖାଯାଇଥାଏ। ଏହି ମହୁଲ ଫୁଲକୁ ବ୍ୟବହାର କରି ଆଦିବାସୀମାନେ ମୁଖ୍ୟତଃ ବିଭିନ୍ନ ପର୍ବପର୍ବାଣୀରେ ବର୍ଷତମାମ୍ ପିଠାପଣା ପ୍ରସ୍ତୁତ କରିଥାନ୍ତି। ଏଥି ସହିତ ଗାଈଗୋରୁଙ୍କୁ ଗୋଖାଦ୍ୟ ଭାବେ ଖାଇବାକୁ ଦିଆଯାଇଥାଏ। ମାତ୍ର ଚଳିତ ବର୍ଷ କରୋନା କଟକଣା ପାଇଁ ଏସବୁ ପରିବାର ନିଜର ଜୀବିକା ହରାଇ ବସିବା ସହ ବହୁ ଦୁର୍ଦ୍ଦିନ ମଧ୍ୟ ଦେଇ ଗତି କରୁଛନ୍ତି। ପରିବାରର ଆର୍ଥିକ ମାନଦଣ୍ତ ଦୁର୍ବଳ ହୋଇ ପଡ଼ିଥିବା ବେଳେ ବର୍ଷତମାମ୍ ଏହାକୁ ସାଇତି ନ ରଖି ବ୍ୟବସାୟୀଙ୍କ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି।

ଗୋଟିଏ ପାର୍ଶ୍ବରେ ଦେଖିବାକୁ ଗଲେ ସରକାର ପ୍ରତିବର୍ଷ ଏହି ଲଘୁ ବନଜାତ ଦ୍ରବ୍ୟର ନିର୍ଦ୍ଧାରିତ ମୂଲ୍ୟ ଧାର୍ଯ୍ୟ କରିଥାନ୍ତି। ଗାଁ’ ଗାଁ’ରେ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ ସଚେତନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି। ଏହାକୁ ସଂଗ୍ରହ କରିବା ପାଇଁ ନିର୍ଦିଷ୍ଟ କିଛି କ୍ଲବ୍‌ ବା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଅନୁମତି ମଧ୍ୟ ଦିଆଯାଇଥାଏ। କିନ୍ତୁ ଦେଖିବାକୁ ଗଲେ ଦଶପଲ୍ଲା ଭଳି ଏହି ଆଦିବାସୀ ବହୁଳ ତଥା ଅନୁନ୍ନତ ଅଂଚଳରେ ଅନେକ ସଂସ୍ଥା ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବା ପାଇଁ ଅନୁମତି ପାଇଥିଲେ ମଧ୍ୟ ଏହାକୁ ସଂଗ୍ରହ କରୁନାହାନ୍ତି। ପରୋକ୍ଷରେ ବ୍ୟବସାୟୀଙ୍କ ସହିତ ସଲାସୁତରା କରି ଚୁପ୍ ବସି ରହୁଥିବା ବେଳେ ଏସବୁ ପରିବାର ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe