ମହୁଲ ସଂଗ୍ରହକାରୀଙ୍କୁ ମିଳୁନି ଉଚିତ ପ୍ରାପ୍ୟ, ମୁନାଫା ଉଠାଉଛନ୍ତି ବାହାର ଦଲାଲ

Advertisment

ମହୁଲର ଦର ନିର୍ଦ୍ଧାରଣ ଦାବି

ମହୁଲର ଦର ନିର୍ଦ୍ଧାରଣ ଦାବି

ମହୁଲ ସଂଗ୍ରହକାରୀଙ୍କୁ ମିଳୁନି ଉଚିତ ପ୍ରାପ୍ୟ, ମୁନାଫା ଉଠାଉଛନ୍ତି ବାହାର ଦଲାଲ

Sambad

ସିଙ୍ଗଡ଼ା: ଆଦିବାସୀ ଅଧ୍ୟୁଷିତ କରଞ୍ଜିଆ ବ୍ଲକ୍‌ରେ ଲୋକମାନେ ପ୍ରାୟ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ଆବଶ୍ୟକତା ମେଣ୍ଟାଇଥାନ୍ତି। ଏହି ଗରିବ ଆଦିବାସୀମାନେ ରାତିପାହିଲେ ଜଙ୍ଗଲରୁ ମହୁଲ ଫୁଲ, ଲାଖ, ଝୁଣା, ଶାଳପତ୍ର, ଶାଳକାଠି ପ୍ରଭୃତି ସଂଗ୍ରହ କରି  ନିକଟ ହାଟ ବଜାରରେ ବିକ୍ରୟ କରି ଜୀବିକା ନିର୍ବାହ କରିଥାନ୍ତି।  ବର୍ତ୍ତମାନ ମହୁଲ ଫୁଲର ସଂଗ୍ରହ ସମୟ। ମହୁଲ ଫୁଲ ଆଦିବାସୀଙ୍କ ପେଟକୁ ଦାନା ଯୋଗାଇଥାଏ। ମହୁଲରୁ ତେଲ ସଂଗ୍ରହ, ଏହାକୁ ଶୁଖାଇ ଏହାକୁ ଖାଦ୍ୟ ସହିତ ବ୍ୟବହାର କରିବା ଏବଂ ଔଷଧୀୟ ଗୁଣ ଥିବାରୁ ବିଭିନ୍ନ ପ୍ରକାର ଔଷଧରେ ବ୍ୟବହୃତ ହୋଇଥାଏ।

ବିଶେଷ ଭାବେ ଦେଶୀ ମଦ ତିଆରିରେ ଆବଶ୍ୟକ ହେଉଥିବାରୁ ଚାହିଦା ରହିଛି। ଏହା କିଲୋ ପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ମାତ୍ର ଏଠାକୁ ବାହାରୁ ବେପାରୀମାନେ ଆସି ଶସ୍ତାରେ କିଣି ମୋଟା ଅଙ୍କର ଫାଇଦା ଉଠାଇଥାନ୍ତି। ତାଟୋରେ ଥିବା‌ ଦେଶୀ ମଦ ଭାଟି ମହୁଲରୁ ତିଆରି ପାଇଁ ଅନୁମତି ପାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

କରଞ୍ଜିଆ ବ୍ଲକରେ ୩ ଜଣ ବ୍ୟକ୍ତି ବିଷ୍ଣୁପ୍ରସାଦ ପଟୱାରୀ, ରାଣାପ୍ରତାପ ଖାଟୁଆ ଏବଂ ହରିଶ୍ଚନ୍ଦ୍ର ରାଉତ ମହୁଲ ଫୁଲ କିଣି ଯୋଗାଇଥାନ୍ତି। ଏମାନଙ୍କ ବ୍ୟତିତ ପ୍ରତ୍ୟେକ ସାପ୍ତାହିକ ହାଟ ଓ ବଜାରରେ ଏହାର ୧୦ ଗୁଣା ବେପାରୀ ମହୁଲ  କିଣୁଥିବା ଦେଖିବାକୁ ମିଳିଛି। ସରକାର ମହୁଲ ପାଇଁ କୌଣସି ସରକାରୀ ମୂଲ୍ୟ ଧାର୍ଯ୍ୟ କରିନଥିବାରୁ ବ୍ୟବସାୟୀମାନେ ମହୁଲ ସଂଗ୍ରହକାରୀଙ୍କୁ ଠକି ମାଲାମାଲ ହେଉଛନ୍ତି। ଏହାଛଡ଼ା ଅନୁମତିପ୍ରାପ୍ତ ମହୁଲ ବ୍ୟବସାୟୀମାନେ ଅନୁମତି ପାଇଥିବା ଅଞ୍ଚଳରୁ ମହୁଲ କ୍ରୟ ନକରି ଅନ୍ୟ ଅଞ୍ଚଳରୁ ମହୁଲ ଦଲାଲଙ୍କ ସାହାଯ୍ୟରେ କ୍ରୟ କରୁଛନ୍ତି। କିଛି ଜିଲ୍ଲା ବାହାରର ଦଲାଲ ଗାଁ ଗାଁ ବୁଲି ମହୁଲ କ୍ରୟ କରୁଥିବା ଦେଖିବାକୁ ମିଳିଛି। ବିଭାଗ ସବୁ ଜାଣିଶୁଣି ଚୁପ୍‌ ରହୁଛି। କାରଣ ଏଥିରେ ମୋଟା ଅଙ୍କର ଅର୍ଥ କାରବାର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସରକାର ମହୁଲର ଧାର୍ଯ୍ୟ ଦର ନିର୍ଦ୍ଧାରଣ କଲେ ନିକଟ ହାଟବଜାରରେ ବିକ୍ରି କରି ଉପଯୁକ୍ତ ପାରିଶ୍ରମିକ ମିଳିବା ସହ ଆଦିବାସୀ ପରିବାରଙ୍କ ଆର୍ଥିକ ଅବସ୍ଥା ସୁଧାର ଆସିବ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe