ବୋଦାସାରେ ବିଜେଡି କର୍ମୀଙ୍କୁ ହତ୍ୟା ଘଟଣା: ଛେଳି ଫାର୍ମରୁ ମୁଖ୍ୟ ଅଭିଯୁକ୍ତକୁ ଉଠାଇନେଲା ପୁଲିସ

ବୋଦାସାରେ ବିଜେଡି କର୍ମୀଙ୍କୁ ହତ୍ୟା ଘଟଣା: ଛେଳି ଫାର୍ମରୁ ମୁଖ୍ୟ ଅଭିଯୁକ୍ତକୁ ଉଠାଇନେଲା ପୁଲିସ

ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ବୋଦାସା ଗ୍ରାମରେ ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ନରେଶ ମାଝି (୩୯)କୁ ଗିରଫ କରିଛି ସ୍ଥାନୀୟ ପୁଲିସ। ଶନିବାର ପୂର୍ବାହ୍ଣରେ ବେଣାଗାଡ଼ିଆ ପଞ୍ଚାୟତର ବରକୋଳି ଗ୍ରାମ ଅଧୀନ ଗାଣ୍ଡୁ ସ୍ଵାଇଁଙ୍କ ଛେଳି ଫାର୍ମରୁ ଉଠାଇ ଆଣିଥିଲା ସ୍ଥାନୀୟ ପୁଲିସ। ୩ ଦିନ ଧରି ପୁଲିସକୁ ଚକ୍‌ମା ଦେଉଥିବା ନରେଶ କିନ୍ତୁ ଆଜି ପୁଲିସ କବ୍‌ଜାରୁ ଖସି ପାରିନଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୋମାମାଡ଼ ଘଟଣା ପରେ ବ୍ରହ୍ମପୁର ଫେରାର ହେବା ପାଇଁ ଯୋଜନା ଚଳାଇଥିଲା। ତେବେ ପଇସା ଅଭାବ ସହ ପରିଚୟପତ୍ର ଯୋଗାଡ଼ ପାଇଁ ନରେଶ ଯୋଜନା କରୁଥିବା ପୁଲିସକୁ ସୂଚନା ମିଳିଥିଲା। ଘଟଣା ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଥିବା ବେଳେ ସମଗ୍ର ବ୍ଲକ୍‌ ଅଞ୍ଚଳରେ ପୁଲିସ ସର୍ଚ୍ଚ ଅପରେସନ୍‌ ଚଳାଇଥିଲା। ଏଥି ସହିତ ଆଖପାଖ ପଞ୍ଚାୟତରେ ପୁଲିସ ଜାଲ ବିଛାଇଥିଲା। ସେହିପରି ଲୋକଙ୍କ ମଧ୍ୟରେ ବୋମାମାଡ଼ ଘଟଣା ନେଇ ଆକ୍ରୋଶ ଥିବା ଏବଂ ଭୋଟ୍‌ ଗଣତି କାର୍ଯ୍ୟରେ ଥିବା ପୁଲିସ ବିଭାଗ କିନ୍ତୁ କ୍ରାଇମ୍‌ ସିନ୍‌ ରିକ୍ରିଏସନ କରିନାହିଁ। ଅନ୍ୟ ପକ୍ଷରେ ପୂରା ଘଟଣାର ମାଷ୍ଟର ମାଇଣ୍ଡ୍‌ କୁହାଯାଉଥିବା ପ୍ରତାପ ସାମନ୍ତରାୟ ସମେତ ଅନ୍ୟ ୪ ଜଣ ଏବେବି ଫେରାର୍‌ ଅଛନ୍ତି। ନରେଶକୁ ଆଜି ଗିରଫ କରି ପୁଲିସ ବିସ୍ଫୋରକ ଦ୍ରବ୍ୟ ଆଇନ ସହ ୩୦୨, ୧୧୪ ଦଫାରେ ଅପରାହ୍ଣରେ କୋର୍ଟଚାଲାଣ କରିଥିବା ନେଇ ଥାନାଧିକାରୀ ବିଶ୍ୱଜିତ ରାଉତରାୟଙ୍କଠାରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ ବୁଧବାର ସନ୍ଧ୍ୟାରେ ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ଘଟଣାରେ ବୋଦାସା ଗ୍ରାମର ବିଜେଡି କର୍ମୀ ପ୍ରଶାନ୍ତ ତାରେଣିଆ (୩୫) ଙ୍କ ମୃତ୍ୟୁ ଘଟିଥିଲା। ବାଇକ୍‌ ଯୋଗେ ପ୍ରଶାନ୍ତ ଓ ଗ୍ରାମର ଚିତ୍ତରଞ୍ଜନ ଖୁଣ୍ଟିଆ ଏବଂ ଜ୍ୟୋତିରଞ୍ଜନ ରାଉତରାୟ ଗାଁକୁ ଫେରୁଥିବା ବେଳେ ଅଭିଯୁକ୍ତ ନରେଶ ବୋମାମାଡ଼ କରି ଫେରାର୍‌ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe