ଜନଜାତି ଓ ପଛୁଆବର୍ଗଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ମୂଳ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

Advertisment

ଜନଜାତିଙ୍କ ପାଇଁ ସଂରକ୍ଷିତ ସବୁ ବିଧାନସଭା ଓ ଲୋକସଭା ଆସନ ଜିତିବାକୁ ଆହ୍ବାନ ଦେଲେ

ଜନଜାତିଙ୍କ ପାଇଁ ସଂରକ୍ଷିତ ସବୁ ବିଧାନସଭା ଓ ଲୋକସଭା ଆସନ ଜିତିବାକୁ ଆହ୍ବାନ ଦେଲେ

ଜନଜାତି ଓ ପଛୁଆବର୍ଗଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ମୂଳ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅତୀତରେ ପଛୁଆ ଶ୍ରେଣୀ ଉପେକ୍ଷିତ, ଅବହେଳିତ ଓ ନିଷ୍ପେସିତ ଅବସ୍ଥାରେ ଥିଲେ। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ଦକ୍ଷତାକୁ ଚିହ୍ନି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ଅବସ୍ଥାପିତ କରିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ଆମକୁ ରାଜ୍ୟର ଜନଜାତି ଓ ପଛୁଆ ବର୍ଗଙ୍କୁ ଶିକ୍ଷିତ ଓ ସଚେତନ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ଆଗକୁ ବଢ଼ିବାରେ ସାହାଯ୍ୟ ଓ ସହଯୋଗ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ରାଜ୍ୟ ତଥା ଦେଶର ସନ୍ତୁଳିତ ବିକାଶ ସମ୍ଭବ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଆଜି ଜୟଦେବ ଭବନ ଠାରେ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ତରଫରୁ ନବ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଓଡ଼ିଶାବାସୀ ଏକଜୁଟ ହେବାକୁ ଆହ୍ବାନ ଦେଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନଜାତି ସଂପ୍ରଦାୟ ବିଜେପି ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ଏଥର ସମୁଦାୟ ୩୩ରୁ ୧୮ଟି ବିଧାନସଭା ଏବଂ ୫ରୁ ୪ଟି ସାଂସଦ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଆଗାମୀ ଦିନରେ ଜନଜାତିଙ୍କ ବିଶ୍ୱାସଭାଜନ ହୋଇ ସମସ୍ତ ୩୩ଟି ବିଧାନସଭା ଏବଂ ୫ଟି ସାଂସଦ ଆସନ ଜିତିବାକୁ ସେ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ଏସ୍‌ଟି ମୋର୍ଚ୍ଚା ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ସାଂସଦ ଅନନ୍ତ ନାୟକ, ନବ ଚରଣ ମାଝୀ, ପୂର୍ବତନ ମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସାଧାରଣ ସଂପାଦକ ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମୋର୍ଚ୍ଚାର ଦାୟିତ୍ୱ, କାର୍ଯ୍ୟ ସଂପାଦନା ଏବଂ ଭୂମିକା ସଂପର୍କରେ ମତ ରଖିଥିଲେ। ଏହାସହ ପେସା ଓ ଜଙ୍ଗଲ ଜମି ଅଧିକାର ଆଇନର କାର୍ଯ୍ୟକାରିତା, ଲଘୁ ବନ୍ୟଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଏବଂ ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ୱୟ ରଖି କାମ କରିବାକୁ ମତ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe