କେନ୍ଦୁଝରରେ ଫିକା ପଡ଼ିଲା ମକର ମେଳା

କେନ୍ଦୁଝରରେ ଫିକା ପଡ଼ିଲା ମକର ମେଳା

କେନ୍ଦୁଝର/ଚମ୍ପୁଆ : ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଜିଲ୍ଲାର କୋଣ ଅନୁକୋଣରୁ ଲୋ‌କେ ଏହି ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ମକର ପାଇଁ ସପ୍ତାହେ ଆଗରୁ ଲୋକ‌େ ପ୍ରସ୍ତୁତି କରିଥାନ୍ତି। ‌ହେଲେ ଏଥର କରୋନା କଟକଣା ସାଙ୍ଗକୁ ଲଗାଣ ବର୍ଷା ଏହି ପର୍ବକୁ ଫିକା କରିଦେଇଛି। ଲୋକେ କେବଳ ଘରେ ପିଠାପଣା କରି ମକର ପାଳିଛନ୍ତି। ବିଭିନ୍ନ ସ୍ଥାନରେ ହେଉଥିବା ମକରମେଳା ବାତିଲ ହୋଇଥିବା ବେଳେ ଲୋକେ ଦେବଦର୍ଶନରୁ ବଞ୍ଚିତ ହୋଇଛନ୍ତି।

ମକର ସଂକ୍ରାନ୍ତି ହେଉଛି ଏକ କୃଷିଭିତ୍ତିକ ପର୍ବ। ଧାନ ଅମଳ ସରିବା ପରେ ଲୋକେ ଏହି ପର୍ବକୁ ଜାକଜମକରେ ପାଳନ କରିଥାନ୍ତି। ମକର ପୂର୍ବରୁ ଲୋକେ ସାପ୍ତାହିକ ହାଟକୁ ଯାଇ ନୂଆ ପୋଷାକ ଏବଂ ବିଭିନ୍ନ ସାମଗ୍ରୀ କିଣିଥାନ୍ତି। ଏଥିପାଇଁ ହାଟ ଗୁଡ଼ିକରେ ପ୍ରବଳ ଭିଡ଼ ହୋଇଥାଏ। ମକର ଦିନ ଲୋକେ ସକାଳୁ ନଦୀନାଳ ସମେତ ବିଭିନ୍ନ ଜଳାଶୟରେ ବୁଡ଼ ପକାଇ ନୂଆବସ୍ତ୍ର ପିନ୍ଧି ଠାକୁର ଦର୍ଶନ କରିଥାନ୍ତି। ଘରକୁ ଆସି ପିଠାପଣା ଖାଇ ମକର ପାଳିଥାନ୍ତି। ବିଶେଷ କରି ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ଲୋକେ ଦୁଇତିନ ଧରି ଏହି ପର୍ବକୁ ପ‌ାଳନ କରିଥାନ୍ତି।

publive-image

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ମକର ସଂକ୍ରାନ୍ତିରେ ପ୍ରବଳ ଭିଡ଼ ହୋଇଥାଏ। ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ଆସି ମା’ଙ୍କ ଦର୍ଶନ କରିଥାନ୍ତି। ‌ଏଥର କୋଭିଡ କଟକଣା ପାଇଁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ମନ୍ଦିର ନିକଟରେ ପୁଲିସ ପଇଁତରା ମାରୁଥିବା ବେଳେ ଲୋକେ ଫାଟକ ପାଖରେ ମା’ଙ୍କୁ ମୁଣ୍ଡିଆ ମାରି ଫେରି ଯାଇଥିବା ଦେଖିବାକୁ ମିଳିଛି। ଏହାଛଡ଼ା ଘଟଗାଁ ବ୍ଲକ୍‌ ବର୍‌ହାଟିପୁରାର ନୀଳକଣ୍ଠେଶ୍ବର, ତେଲକୋଇ ବ୍ଲକ୍‌ ଅନ୍ତର୍ଗତ ବିମଳା, ବାଂଶପାଳର କାଦକଳା, କେନ୍ଦୁଝର ସଦର ବ୍ଲକ୍‌ର କାଦଗଡ଼ ବିଶ୍ବେଶ୍ବର ମନ୍ଦିର, ହାଟଡିହି ବ୍ଲକ୍‌ର ଗଡ଼ଚଣ୍ଡୀ ପୀଠ, ଭାଟିଆଶୁଣୀ, ଆମ୍ବୋ, ଘସିପୁରା ବ୍ଲକ୍‌ର ଗଁପୁର ରଘୁନାଥଜିଉ ପୀଠ, ଶଙ୍ଖେଇଶୁଣୀ, ହରିଚନ୍ଦନପୁରର ଧାନବେଣି, ପାଟଣା ବ୍ଲକ୍‌ର ଭୀମକୁଣ୍ଡ, ଚମ୍ପୁଆ ବ୍ଲକ୍‌ର କେଶରୀକୁଣ୍ଡ, ରୁପାକୁଣ୍ଡ ଏବଂ ରାମତୀର୍ଥରେ ମକର‌ମେଳା ଆୟୋଜିତ ହୋଇଥାଏ। ମେଳାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀମାନେ ଆସି ପସରା ମେଲାଇଥାନ୍ତି। ହେଲେ କରୋନା କଟକଣା ପାଇଁ ଏଥର କୌଣସି ସ୍ଥାନରେ ମେଳା ବସିପାରି ନାହିଁ। କିଛି ସ୍ଥାନରେ ସ୍ଥାନୀୟ ବ୍ୟବସାୟୀମାନେ ନିଜ ସାମଗ୍ରୀ ବିକ୍ରିବଟା କରୁଛନ୍ତି। କାଁଭାଁ ଲୋକେ କିଣାକିଣି କରୁଥିବ‌ା ଦେଖିବାକୁ ମିଳିଛି।

ସେହିପରି ବୈତରଣୀ ନଦୀ ସମେତ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡ, ଚମ୍ପୁଆର କେଶରୀକୁଣ୍ଡ ଓ ରୁପାକୁଣ୍ଡରେ ବୁଡ଼ ପକାଇବା ପାଇଁ ହଜାର ହଜାର ଲୋକ ଭିଡ଼ ଜମାଇଥାନ୍ତି। ଏଥର ଲଗାଣବର୍ଷା ଯୋଗୁଁ ଏସବୁ ସ୍ଥାନ ଖାଁଖାଁ ରହିଛି। ଲୋକେ ନିଜନିଜ ଘରେ ମକର ପର୍ବ ପାଳନ କରିଛନ୍ତି। ଲୋକେ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରି ନାହାନ୍ତି। ସେହିପରି ମେଳା ବନ୍ଦ ରହିଥିବାରୁ ଲୋକଙ୍କ ମଧ୍ୟରେ ମକରକୁ ନେଇ ସେଭଳି ଉତ୍ସାହ ଦେଖିବାକୁ ମିଳିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe