ପୁରୀ: ସ୍ତ୍ରୀକୁ ସନ୍ଦେହ କରିବା କେତେ ଭୟଙ୍କର ହୋଇପାରେ, ତାର ପରିଣତି ଆଜି ପୁରୀ କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସ୍ତ୍ରୀକୁ ସନ୍ଦେହ କରି ସ୍ବାମୀ ନିଜ ନାବାଳକ ପୁତୁରାର ତଣ୍ଟିରେ ଖଣ୍ଡା ପୂରାଇ ବୀଭତ୍ସ ଭାବେ ହତ୍ୟା କରିଛି। ଅନ୍ୟ ୫ ଜଣଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛି। ଆହତମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଥିରୁ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ମୃତ ନାବାଳକ ହେଲେ, ସୌମ୍ୟରଂଜନ ପ୍ରଧାନ(୧୭)। ସେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ର। ଆହତମାନେ ହେଲେ, ନନ୍ଦିନୀ ମହାନ୍ତି(୩୦), ଟିକିନା ଦାସ(୬୨), ଗୀତାରାଣୀ ଦାସ(୩୫), ସୁକାନ୍ତ ପ୍ରଧାନ(୪୪), ବିଶ୍ବରଂଜନ ଦାସ(୨୮)। ହତ୍ୟାକାରୀ ନୃସିଂହକୁ ପୁଲିସ ଗିରଫ କରିଥିବା ବେଳେ ଭାଇ କାଶୀନାଥ ମହାପାତ୍ର ଓ ଅନ୍ୟମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।
କୁମ୍ଭାରପଡ଼ା ଥାନା ଉପରମାଳିସାହିର ନୃସିଂହନାଥ ସେହି ସାହିର ନନ୍ଦିନୀଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ନୃସିଂହ ନନ୍ଦିନୀଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲେ। ବାପଘରକୁ ଯିବା ଓ ରହିବାକୁ ବାରଣ କରିଥିଲେ। ଏଥିପାଇଁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ବାରମ୍ବାର ଝଗଡ଼ା ଲାଗିବାରୁ ନନ୍ଦିନୀ ଆସି ତାଙ୍କ ବାପଘରେ ରହୁଥିଲେ। ଆଜି ସକାଳେ ହଠାତ୍ ନୃସିଂହ ଆସି ନନ୍ଦିନୀ ଓ ଅନ୍ୟ ପରିବାର ସଦସ୍ୟଙ୍କୁ ଧମକଚମକ ଦେଇ ଯାଇଥିଲା। ନନ୍ଦିନୀକୁ ତାଙ୍କ ଘରକୁ ନ ଛାଡ଼ିଲେ, ସମସ୍ତଙ୍କୁ ମାରିଦେବି ବୋଲି କହିଥିଲା। ଭୟଭୀତ ହୋଇ ନନ୍ଦିନୀଙ୍କ ସହ ତାଙ୍କ ପରିବାର ସଦସ୍ୟ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ନନ୍ଦିନୀ ଓ ଅନ୍ୟମାନେ ଘରକୁ ଫେରି ଆଲୋଚନା କରୁଥିବାବେଳେ ନୃସିଂହ ତାଙ୍କ ପରିବାରଲୋକଙ୍କୁ ଆଣି ପ୍ରଥମେ ପାଟିତୁଣ୍ଡ କରିଥିଲା। ଏହାରି ଭିତରେ ଥାନାରେ କାହିଁକି ଅଭିଯୋଗ କଲ କହି ଅତର୍କିତ ଭାବେ ଏକ ଖଣ୍ଡାରେ ସମସ୍ତଙ୍କୁ ଆକ୍ରମଣ କରିଥିଲା। ନନ୍ଦିନୀଙ୍କ ବଡ଼ ଭଉଣୀଙ୍କ ପୁଅ ସୌମ୍ୟରଂଜନ ଅଟକାଇବାକୁ ଚେଷ୍ଟା କରିବାରୁ ନୃସିଂହ ଖଣ୍ଡାକୁ ସିଧା ତା’ ବେକରେ ଭର୍ତ୍ତି କରି ଦେଇଥିଲା। ପରେ ସେ ନନ୍ଦିନୀ, ତାଙ୍କ ମା’ ଟିକିନା, ଭଉଣୀ ଗୀତାରାଣୀ ଓ ଭିଣୋଇ ସୁକାନ୍ତଙ୍କୁ ଆକ୍ରମଣ କରିଥିଲା। ସୁକାନ୍ତଙ୍କ ପେଟରେ ଖଣ୍ଡା ଭର୍ତ୍ତି କରିଦେଇଥିଲା। ନନ୍ଦିନୀ, ଗୀତାରାଣୀ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ଟିକିନା ଓ ସୁକାନ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
Follow Us