ଜୟଦେବଙ୍କ ଉପରେ ନିର୍ମିତ ହେବ ବହୁଭାଷୀ ଚଳଚ୍ଚିତ୍ର

Advertisment
ଜୟଦେବଙ୍କ ଉପରେ ନିର୍ମିତ ହେବ ବହୁଭାଷୀ ଚଳଚ୍ଚିତ୍ର

ଭୁବନେଶ୍ୱର : ଓଡ଼ିଆ ଜାତିର ରତ୍ନ ‘ଗୀତଗୋବିନ୍ଦ’ର ରଚୟିତା କବି ଜୟଦେବଙ୍କ କବିତ୍ୱ ଓ ବ୍ୟକ୍ତିତ୍ୱକୁ ନେଇ ନିର୍ମିତ ହେବ ଆଉ ଏକ ଜୟଦେବ ଚଳଚ୍ଚିତ୍ର। ଏଥିରେ ଗବେଷଣା ଭିତ୍ତିକ ତଥ୍ୟ ରହିବ। ହୃଦୟକୁ ଛୁଇଁବା ଭଳି ଚଳଚ୍ଚିତ୍ର ପ୍ରସ୍ତୁତ ହେବ। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଅନ୍ୟ ବିଦେଶୀ ଭାଷାରେ ନିର୍ମିତ ହେବ ଏହି ଚଳଚ୍ଚିତ୍ର। ନ୍ୟୁୟୋର୍କ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା ଆମେରିକାରେ ଅବସ୍ଥାପିତ ଓଡ଼ିଆ ଡ.ସୁଧାକର ମିଶ୍ର ଏମିତି ଏକ ଆହ୍ଵାନମୂଳକ ନିଷ୍ପତ୍ତି ନେଇଛନ୍ତି। ଏନେଇ ଏବେଠୁ ସ୍କ୍ରିପ୍‌ଟ କାମ ଆରମ୍ଭ ହୋଇଛି।

ଜୟଦେବ ଗବେଷକ ପ୍ରଫୁଲ୍ଲ ତ୍ରିପାଠୀ, ଓଡ଼ିଶୀ ସଂଗୀତର ଗବେଷକ ଡ. କୀର୍ତନ ନାରାୟଣ ପାଢ଼ୀ, ତୀର୍ଥାନନ୍ଦ ମହାନ୍ତି, ସରୋଜ ମିଶ୍ରଙ୍କୁ ନେଇ କାହାଣୀ ସମ୍ବନ୍ଧରେ ଆଲୋଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଡ.ବିଜୟ ମିଶ୍ର। ଡ. ମିଶ୍ର ପୂର୍ବରୁ ଜୟଦେବଙ୍କ ଉପରେ ନିର୍ମିତ ଧାରାବାହିକର କାହାଣୀ ଓ ସଂଳାପ ରଚନା କରି ଚର୍ଚିତ ହୋଇଥିବା ବେଳେ ଏଥର ଏହି ଚଳଚ୍ଚିତ୍ରର କାହାଣୀ ଓ ସଂଳାପ ଦାୟିତ୍ୱ ମଧ୍ୟ ନିଭାଇବେ। ଏହାର ନିର୍ଦେଶନା ଦାୟିତ୍ୱରେ ରହିଛନ୍ତି ଦୂରଦର୍ଶନର ପୂର୍ବତନ ନିର୍ଦେଶକ ରବୀନ୍ଦ୍ରନାଥ ମିଶ୍ର। ନାଟ୍ୟକାର ଡ.ମିଶ୍ରଙ୍କ କହିବା ମୁତାବକ ରାଧା ତତ୍ତ୍ୱର ଆଦ୍ୟ ପ୍ରମାଣିକ ଦସ୍ତାବିଜ୍‌ ହେଉଛି ଗୀତଗୋବିନ୍ଦ। ତେଣୁ ଏହାକୁ ନେଇ ଚଳଚ୍ଚିତ୍ର ନିର୍ମିତ ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ଆହ୍ଵାନମୂଳକ।

ନିର୍ଦେଶକ ରବୀନ୍ଦ୍ରନାଥ ମିଶ୍ରଙ୍କ କହିବା ମୁତାବକ, ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ଜାତିର ସମ୍ପତ୍ତି ‘ଗୀତଗୋବିନ୍ଦ’ ଏବଂ ଜୟଦେବଙ୍କୁ ବିଶ୍ୱସ୍ତରରେ ପହଞ୍ଚାଇବା ଆମର ଲକ୍ଷ୍ୟ ରହିଛି। ସେଥିପାଇଁ ବହୁ ଗବେଷକଙ୍କ ପରାମର୍ଶ ସହ ଅନେକ ଐତିହାସିକ ଦସ୍ତାବିଜ୍‌କୁ ଟିକିନିଖି ଅନୁଶୀଳନ କରାଯାଉଛି। ଏହା ସମଗ୍ର ବିଶ୍ୱରେ ଜୟଦେବ ଓ ଗୀତଗୋବିନ୍ଦର ଅନେକ ଅନାଲୋଚିତ ଦିଗକୁ ଉନ୍ମୋଚନ କରିବାରେ ସହାୟକ ହେବ। ଗବେଷକ ପ୍ରଫୁଲ୍ଲ ତ୍ରିପାଠୀ କହିଛନ୍ତି, ଜୟଦେବ ବିଶ୍ୱ କବି। ତେଣୁ ବିଶ୍ୱ ଦରବାରରେ ତାଙ୍କୁ ପହଞ୍ଚାଇବା ପାଇଁ ଏହି ଚଳଚ୍ଚିତ୍ର ନିର୍ମାଣ ଅନେକ ମହତ୍ତ୍ୱ ରଖୁଛି। ତେବେ ଚଳଚ୍ଚିତ୍ରଟି କେତେ ସମୟ ଅବଧିର ହେବ ଏବଂ ଏଥିପାଇଁ କେତେ ବଜେଟ୍‌ ଖର୍ଚ କରାଯିବ ସେ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ଖୁବ୍‌ଶୀଘ୍ର ସ୍ତିର ହେବ। ମାସେ ଭିତରେ କାହାଣୀ ଓ ସଂଳାପ କାମ ସାରିବା ପରେ ଏହାର ସୁଟିଂ କରାଯିବ। ସମ୍ଭବତଃ ଜର୍ମାନ୍‌, ଫ୍ରେଞ୍ଚ୍‌ ସମେତ ଅନ୍ୟ ବିଦେଶୀ ଭାଷାରେ ଏହା ଅନୁଦିତ ହେବ। ତେବେ ଖାଲି ଏହା ପ୍ରଦର୍ଶିତ ହେବ ନାହିଁ, ବରଂ ବିଦେଶରେ ଅନେକ ସଂଗ୍ରହାଳୟରେ ମଧ୍ୟ ଏହି ଚଳଚ୍ଚିତ୍ରଟି ସଂରକ୍ଷଣ କରାଯିବ ବୋଲି ସୁଧାଂଶୁ ରଂଜନ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe