କୋଭିଡ ଟିକାକରଣ ଯେପରି ବ୍ୟାଘାତ ନ ହେବ ଦୃଷ୍ଟି ଦିଅ: ମିସନ୍ ଇନ୍ଦ୍ରଧନୁଷ ୪.୦ର ଶୁଭାରମ୍ଭ

Advertisment
ମିଳୁନି ଟିଡି ଟିକା, ସ୍ବାସ୍ଥ୍ୟାନୁଷ୍ଠାନରୁ ଫେରୁଛନ୍ତି ଗର୍ଭବତୀ

hospitalpharmacyeurope.com

ଭୁବନେଶ୍ବର: ରାଜ୍ୟରେ ମିସନ୍ ଇନ୍ଦ୍ରଧନୁଷ ୪.୦ ଆରମ୍ଭ ହୋଇଛି। ୨ବର୍ଷରୁ କମ୍ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଉଛି। ତେବେ ମିସନ୍ ଇନ୍ଦ୍ରଧନୁଷ ପାଇଁ କୋଭିଡ ଟିକାକରଣ ଯେପରି ପ୍ରଭାବିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡରେ ରାଜ୍ୟ ଷ୍ଟିଅରିଂ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଗତ ୨ବର୍ଷ ଭିତରେ ଘରେ ଜନ୍ମଲାଭ କରିଥିବା ଶିଶୁ, ଗ୍ରାମ ବାହାରେ ଜୀବିକା ପାଇଁ ନିୟୋଜିତ ପରିବାର, ଯାଯାବର ଆଦିମ ଅଧିବାସୀ, ସହରାଞ୍ଚଳ ବସ୍ତି, ଦୁର୍ଗମ ଅଞ୍ଚଳ, ଶିଶୁ ଆଶ୍ରୟ ଗୃହ, ବନ୍ଦୀଶାଳା ଆଦି ସ୍ଥାନରେ ଥିବା ଶିଶୁ ଓ ଗର୍ଭବତୀ ମହିଳାଙ୍କ ଟିକାକରଣ ଉପରେ ବିଶେଷ ଦୃଷ୍ଟି ଦେବା ଲାଗି ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କହିଲେ, ଏନ୍‌ଏଫ୍‌ଏଚ୍‌ଏସ୍‌-୫ର ରିପୋର୍ଟ ଅନୁସାରେ ରାଜ୍ୟରେ ପୂର୍ଣ୍ଣ ଟିକାକରଣ ହାର ୯୦.୫ ପ୍ରତିଶତ ରହିଛି। ଜାତୀୟ ସ୍ତରରେ ଏହା ୭୬.୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୧୪ ପଏଣ୍ଟ ଅଧିକ। ଅନ୍ୟ ରାଜ୍ୟଙ୍କ ତୁଳନାରେ ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ଜାତୀୟ ସ୍ତରରେ ସର୍ବାଗ୍ରେ ରହିଛି। ପୂର୍ଣ୍ଣ ଟିକାକରଣରେ ମୁଖ୍ୟତଃ ୧୨ ପ୍ରକାରର ରୋଗର ନିବାରଣ ପାଇଁ ପ୍ରତି‌ଷେଧକ ଟିକା ଦିଆଯାଏ। ପୋଲିଓ, ଜଣ୍ଡିସ୍, ଯକ୍ଷ୍ମା, ଡିପ୍‌ଥେରିଆ, ଲହରା କାଶ, ଧନୁଷ୍ଟଙ୍କାର, ମସ୍ତିଷ୍କ ଜ୍ବର, ନିମୋନିଆ, ମିଳିମିଳା, ରୁବେଲା, ହଇଜା, ଜାପାନୀ ଜ୍ବର ଆଦି ରୋଗର ନିବାରଣ ପାଇଁ ଏକାଧିକ ସଂଖ୍ୟକ ଡୋଜ୍ ଦେଇ ପୂର୍ଣ୍ଣ ଟିକାକରଣ କରାଯାଇଥାଏ। ଏନ୍‌ଏଫ୍‌ଏଚ୍‌ଏସ୍‌ର ତଥ୍ୟ ଅନୁଯାୟୀ ରାଜ୍ୟର ୨୦ଟି ଜିଲ୍ଲରେ ପୂର୍ଣ୍ଣ ଟିକାକରଣ ହାର ୯୦ ପ୍ରତିଶତରୁ ଅଧିକ ଥିବା ବେଳେ ୧୦ଟି ଜିଲ୍ଲାରେ ଏହାର କମ୍ ରହିଛି। ରାଜ୍ୟର ୧୨ଟି ଜିଲ୍ଲାର ୧୬୮ଟି ବ୍ଲକ୍‌ରେ ମିସନ୍ ଇନ୍ଦ୍ରଧନୁଷ ୪.୦ କାର୍ଯ୍ୟକାରୀ ହେବ। ଏହି ଟିକାକରଣ ୩ଟି ପର୍ଯ୍ୟାୟରେ କରାଯିବ। ଗତକାଲି ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୪ରୁ ଦ୍ବିତୀୟ ପର୍ଯ୍ୟାୟ ଓ ମେ’୨ରୁ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ। ପ୍ରତି ପର୍ଯ୍ୟାୟର ଅବଧି ୭ଦିନ ରହିଛି। କଟକ, ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ଖୋର୍ଧା, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଟିକାକରଣ ହେବ।

ବୈଠକରେ ‌ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ରଂଜନା ଚୋପ୍ରା, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ, ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ, ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ସମେତ ୟୁନିସେଫ୍, ୟୁଏନ୍‌ଡିପି ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe