ସ୍କୁଲ ପାଠ୍ୟକ୍ରମରେ ‘ବୃକ୍ଷରୋପଣ’ ବାଧ୍ୟତାମୂଳକ କରାଯାଉ

Advertisment
ସ୍କୁଲ ପାଠ୍ୟକ୍ରମରେ ‘ବୃକ୍ଷରୋପଣ’ ବାଧ୍ୟତାମୂଳକ କରାଯାଉ

The Better India

ମଣିଷ ସମାଜ ପାଇଁ ଗୋଟିଏ ଗଛର ଅବଦାନ ଦେଢ଼କୋଟି
ଜୀବନକାଳ ମଧ୍ୟରେ ୫ କୋଟି ଟଙ୍କାର ଅମ୍ଳଜାନ ଗ୍ରହଣ କରୁଛି

ଭୁବନେଶ୍ୱର : ମଣିଷର ଜୀବନଧାରଣ ପାଇଁ ଶୁଦ୍ଧ ଅମ୍ଳଜାନ କେତେ ଗୁରୁତ୍ବପୂର୍ଣ୍ଣ, ତାହା ଆମକୁ ଏହି କରୋନା କାଳ ଶିକ୍ଷା ଦେଇଛି। କରୋନା ପୀଡ଼ିତ ହଜାର ହଜାର ଗୁରୁତର ରୋଗୀ କିପରି ଅମ୍ଳଜାନ ନ ପାଇ ପ୍ରାଣ ହରାଇଲେ, ପୂରା ମଣିଷ ସମାଜ ତା’ର ସାକ୍ଷୀ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ମଣିଷ ପାଇଁ ଦିନକୁ ୧୧ହଜାର ଲିଟର ଅମ୍ଳଜାନ ଆବଶ୍ୟକ। ଶରୀରକୁ ଯେତେ ଅମ୍ଳଜାନ ଯାଇଥାଏ, ସେତେ ଭୂତାଣୁକୁ ଶରୀରରୁ ତଡ଼ିବାରେ ସହାୟକ ହୁଏ। ତେବେ ପ୍ରକୃତି କେଉଁ ଆବହମାନ କାଳରୁ ଆମକୁ ଗଛ ଜରିଆରେ ମାଗଣାରେ ଅମ୍ଳଜାନ ଯୋଗାଇ ଆସୁଛି। ଗଛ ପାଇଁ ଆଜି ପୂରା ଜୀବଜଗତ ତିଷ୍ଠି ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଆମ ଉତ୍ତରପିଢ଼ିଙ୍କୁ ଏ ବିଷୟରେ ଜ୍ଞାନ ଦେବା ସହ ବୃକ୍ଷର ଅନ୍ୟାନ୍ୟ ଉପକାରିତା ସଂପର୍କରେ ଜଣାଇବା ନିହାତି ଆବଶ୍ୟକ ହୋଇପଡ଼ିଛି। ଆରମ୍ଭରୁ ଶିଶୁଟିକୁ ଏ ସଂପର୍କ‌ରେ ଶିକ୍ଷା ଦିଆଗଲେ, ସେ ଗଛ ଲଗାଇବା ସହ ତା’ର ଯତ୍ନ ନେବ। ତେଣୁ ସ୍କୁଲ ପାଠ୍ୟକ୍ରମରେ ବୃକ୍ଷରୋପଣକୁ ବାଧ୍ୟତାମୂଳକ କରାଯାଉ ବୋଲି ପରିବେଶବିତ୍‌ ଓ ବୁଦ୍ଧିଜୀବୀମହଲ‌ରେ ମତ ପ୍ରକାଶ ପାଇଛି।

ଏ ସଂପର୍କରେ ବିଶିଷ୍ଟ ପରିବେଶବିତ୍‌ ଡ. ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବା କଥା, ସଂସ୍କୃତରେ ଯେମିତି ବୃକ୍ଷ ଆର୍ୟୁବେଦ ଏକ ବିଷୟ ରହିଛି, ସେମିତି ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି କଲେଜ ପାଠ୍ୟକ୍ରମ ପର୍ଯ୍ୟନ୍ତ ବୃକ୍ଷରୋପଣ ସ୍ଥାନ ପାଇବା ନିହାତି ଆବଶ୍ୟକ। ଗୋଟିଏ ଗଛ ତା’ର ୫୦ ବର୍ଷ ଜୀବନକାଳ ଭିତରେ ମନୁଷ୍ୟଜଗତ ପାଇଁ ଦେଢ଼ କୋଟି ଟଙ୍କାର ଅବାଦନ ରଖୁଛି। ଅମ୍ଳଜାନ ସୃଷ୍ଟି କରିବା, ବାୟୁ ବିଶୋଧନ କରିବା, ଜଳଚକ୍ର ସୃଷ୍ଟି କରିବା, ମୃତ୍ତିକା ସଂରକ୍ଷଣ ଏବଂ ଅନ୍ୟ ଜୀବଜନ୍ତୁମାନଙ୍କୁ ବା‌ସସ୍ଥାନ ଆଦି ପ୍ରଦାନ କରିବା ସହିତ ଖାଦ୍ୟ ଯୋଗାଉଛି। ଏହା ଶିକ୍ଷା ମାଧ୍ୟମରେ ସମସ୍ତେ ବୁଝିବା ଦରକାର। କାରଣ ଜଣେ ମନୁଷ୍ୟ ତା’ ଜୀବନକାଳ ଭିତରେ ୫‌କୋଟି ଟଙ୍କାର ଅମ୍ଳଜାନ ଗ୍ରହଣ କରୁଛି। ସେ ଯଦି ତା’ ଜୀବନକାଳ ଭିତରେ ତିନୋଟି ବୃକ୍ଷରୋପଣ କରି ତା’ର ସଠିକ ଯତ୍ନ ନେଇ ତାକୁ ବଡ଼ କରିପାରିବ, ତେବେ ସେ ଗ୍ରହଣ କରୁଥିବା ଅମ୍ଳଜାନ ପରିଶୋଧ ହୋଇଯିବ।

‌ସେହିପରି ଶିକ୍ଷୟିତ୍ରୀ ବିସ୍ମିତା ମଞ୍ଜରୀ ବିଶ୍ବାଳଙ୍କ କହିବା କଥା ହେଲା, ବର୍ତ୍ତମାନ ସମୟର ପିଲାମାନେ ବୃକ୍ଷରୋପଣ ଏବଂ ଏହାର ଯତ୍ନ ବିଷୟରେ ଅବଗତ ନାହାନ୍ତି। ସେଥିପାଇଁ ସେମାନେ ଗଛ ଲଗାଇବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯଦି ସରକାର ଶିକ୍ଷା ବ୍ୟବସ୍ଥାରେ ତଥା ପାଠ୍ୟକ୍ରମରେ ଏହାକୁ ବାଧ୍ୟତାମୂଳକ କରିବେ, ଅନେକ ଛାତ୍ରଛାତ୍ରୀ ଏହାକୁ ଅଧ୍ୟୟନ କରି ବୃକ୍ଷରୋପଣ ସହ ତା’ର ଳାଳନପାଳନ କରିବେ। ଏହାଦ୍ବାରା ଆମ ବାୟୁମଣ୍ଡଳର ସୁରକ୍ଷା ହୋଇପାରିବ ଏବଂ ବର୍ତ୍ତମାନ ଯେମିତି ଋତୁଚକ୍ର ସଠିକ୍‌ ଭା‌ବେ ପରିବର୍ତ୍ତନ ହେଉନାହିଁ, ତାହାକୁ ରୋକା ଯାଇପାରିବ।

ବାଲେଶ୍ବର ଜିଲ୍ଲା ବିଜ୍ଞାନ ପରିଦର୍ଶକ କୃଷ୍ଣମୋହନ ସିଂହଙ୍କ କହିବାନୁଯାୟୀ, ବୃକ୍ଷ ନଥିଲେ ଜୀବଜଗତର ସ୍ଥିତି ଅସମ୍ଭବ। ବୃକ୍ଷ ଆମକୁ ଅମ୍ଳଜାନ ସହ ଆଲୋକ ସଂଶ୍ଲେଷଣ ପ୍ରକ୍ରିୟାରେ ଖାଦ୍ୟ ଯୋଗାଇଥା‌ଏ। କିନ୍ତୁ ସ୍ବାର୍ଥନ୍ବେଷୀ ମଣିଷ ଆଧୁନିକତା ନାଁରେ ଗଛ କାଟି ଚାଲିଛି। ବହୁ ବଡ଼ ବଡ଼ ଜଙ୍ଗଲ ଛାରଖାର ହୋଇଯାଉଛି। ଭାରତରେ ଆଗରୁ ୩୩ ପ୍ରତିଶତ ଜଙ୍ଗଲ ଥିବା ବେଳେ ତାହା ଏବେ ପାଖାପାଖି ୨୫ପ୍ରତିଶତକୁ ଖସି ଆସିଲାଣି। ଫଳରେ ପରିବେଶର ସନ୍ତୁଳନ ବିଗିଡ଼ି ଯାଉଛି। ଏହା ବନ୍ୟା, ବାତ୍ୟା ଭଳି ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକକୁ ନିମନ୍ତ୍ରଣ କରୁଛି। ତେଣୁ ରାଜ୍ୟ ସରକାର ଏହାକୁ ହୃଦୟଙ୍ଗମ କରି ସ୍କୁଲ ପାଠ୍ୟକ୍ରମରେ ବୃକ୍ଷରୋପଣ ସଂପର୍କିତ ଏକ ବିଷୟକୁ ସ୍ଥାନ ଦେବା ନିହାତି ଜରୁରୀ ହୋଇପଡ଼ିଛି। ଏହାଦ୍ବାରା ପିଲାଟି ଛୋଟବେଳୁ ଏ ସଂପର୍କରେ ସଚେତନ ହେବା ସହ ତାକୁ କାମରେ ଲଗାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe