Dangerous Zika Infected Mosquito Bite on Yellow Background. Leishmaniasis, Encephalitis, Yellow Fever, Dengue, Malaria Disease, Mayaro or Zika Virus Infectious Culex Mosquito Parasite Insect Macro.
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ମାରାତ୍ମକ ହେଲାଣି ମ୍ୟାଲେରିଆ। ଜିଲ୍ଲାରେ ଦ୍ବିତୀୟ ମୃତ୍ୟୁ ହୋଇଛି। ମୃତକ ରାୟଗଡ଼ା ବ୍ଲକ ବଡ଼ରାଇସିଂ ଆଶ୍ରମ ବିଦ୍ୟାଳୟର ଷଷ୍ଠଶ୍ରେଣୀ ଛାତ୍ର ଚାନ୍ଦୁ କଲକା (୧୧) ବୋଲି ସୂଚନା ମିଳିଛି। ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ମୃତ୍ୟୁ ସଂଖ୍ୟା ବଢ଼ିବା ସ୍ବାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଚଳିତ ଶିକ୍ଷାବର୍ଷରେ ଆଶ୍ରମ ବିଦ୍ୟାଳୟରେ ଚାନ୍ଦୁ ନାଁ ଲେଖାଇଥିଲେ। ଗତ ୧୩ରେ ଚାନ୍ଦୁ ବିଦ୍ୟାଳୟକୁ ପ୍ରଥମକରି ଆସିଥିଲେ। ଦିନକ ପରେ ଅସୁସ୍ଥ ହୋଇଯିବାରୁ ରକ୍ତ ପରୀକ୍ଷା କରିବାରୁ ମ୍ୟାଲେରିଆ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ତୁରନ୍ତ ତାକୁ ଜେମାଦେଈପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ପ୍ରଧାନଶିକ୍ଷକ ରାମଚନ୍ଦ୍ର ସେନାପତି ଗତ୧୬ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଏହା ସତ୍ତ୍ବେ ଚନ୍ଦୁର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଥିଲା। ତେଣୁ ଡାକ୍ତର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ରେଫର କରିଥିଲେ। ଗତ ୧୭ରେ କୋରାପୁଟରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜକୁ ରେଫର କରାଯାଇଥିଲା।
ପ୍ରଧାନଶିକ୍ଷକ ଏକ ଆମ୍ବୁଲାନ୍ସ ଯୋଗେ ଗୁରୁବାର ଚାନ୍ଦୁକୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ଖବର ଲେଖାହେବା ବେଳକୁ ପ୍ରଧାନଶିକ୍ଷକ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଆଣୁଥିବା ଜଣାପଡିଛି। ଫୋନ୍ ନ ଉଠାଇବାରୁ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ବାଳଙ୍କ ପ୍ରତିକ୍ରିୟା ମିଳିପାରିନି। କିଛିଦିନ ତଳେ ଦୁର୍ଗାପାଡ଼ୁ ଆଶ୍ରମ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ମ୍ୟାଲେରିଆରେ ମୃତ୍ୟୁ ହୋଇଥିଲା। ଜିଲ୍ଲାରେ ରହିଥିବା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପରିଚାଳିତ ଆବାସିକ ବିଦ୍ୟାଳୟଗୁଡ଼ିକରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ିବାରେ ଲାଗିଛି। ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ବିଶେଷ ଫରକ ପଡ଼ିନଥିବା ଦେଖିବାକୁ ମିଳିଛି।
Follow Us