ରାୟଗଡ଼ାରେ ମ୍ୟାଲେରିଆ ଉପରମୁହାଁ: ଜୁନ୍‌ ସୁଦ୍ଧା ୩୭୧୨ ଆକ୍ରାନ୍ତ, ୩ ମୃତ

Advertisment
ଆଜି ବିଶ୍ବ  ମ୍ୟାଲେରିଆ ଦିବସ: ମ୍ୟାଲେରିଆ ଆକ୍ରାନ୍ତରେ ଓଡ଼ିଶାର ଅଲୋଡ଼ା ରେକର୍ଡ

Dangerous Zika Infected Mosquito Bite on Yellow Background. Leishmaniasis, Encephalitis, Yellow Fever, Dengue, Malaria Disease, Mayaro or Zika Virus Infectious Culex Mosquito Parasite Insect Macro.

ରାୟଗଡ଼ା: ମହାମାରୀର କେନ୍ଦ୍ର ହେବାକୁ ଯାଉଛି ରାୟଗଡ଼ା ଜିଲ୍ଲା। ଝାଡ଼ାବାନ୍ତି ଓ ଡିପ୍‌ଥେରିଆର ପ୍ରକୋପ ସାମାନ୍ୟ ଥମିବା ପରେ ବଢ଼ିବାରେ ଲାଗିଛି ମ୍ୟାଲେରିଆ ସଂକ୍ରମଣ। ଚଳିତବର୍ଷ ଜାନୁଆରିରୁ ଜୁନ୍‌ ସୁଦ୍ଧା ଜିଲ୍ଲାରେ ୩୭୧୨ ଆକ୍ରାନ୍ତ ହୋଇସାରିଲେଣି ଓ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟର ଛାତ୍ରଛାତ୍ରୀ ଥିଲେ। ତେବେ ମୃତକଙ୍କ ସଂଖ୍ୟା ଏହାଠାରୁ ଅଧିକ ହେବ ବୋଲି କୁହାଯାଉଛି।

ପରିସ୍ଥିତି ଏବେ ଗମ୍ଭୀର ଥିଲେ ସୁଦ୍ଧା ଏଥିପ୍ରତି ସରକାର କିମ୍ବା ସ୍ବାସ୍ଥ୍ୟ ବିଭାଗ ବିଶେଷ ଚିନ୍ତାରେ ରହିବା ଭଳି ଲାଗୁନି। ଜୁନ୍‌ ପରିସଂଖ୍ୟନରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। କେବଳ ଜୁନ୍‌ ମାସରେ ଜିଲ୍ଲାର ୧୨୦୪ଜଣ ଆକ୍ରାନ୍ତ ହୋଇଛି। ଜୁଲାଇର ସଂକ୍ରମଣ ରିପୋର୍ଟ ଏଯାଏ ମିଳିନି। ତେବେ ବିଶ୍ବସ୍ତ ସୂତ୍ର ଅନୁସାରେ ୧୫୦୦ରୁ ଊର୍ଦ୍ଧ୍ବ ପଜିଟିଭ୍‌ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ମିଳିସାରିଲାଣି। ବହୁ ସଂଖ୍ୟାରେ ରିପୋର୍ଟ ଏଯାଏ ହସ୍ତଗତ ହୋଇନି। ଅଗଷ୍ଟ ୧୦ରେ ଜୁଲାଇ ସଂକ୍ରମଣର ଚୂଡ଼ାନ୍ତ ରିପୋର୍ଟ ମିଳିବ। ଯେଉଁ ଗତି‌ରେ ମ୍ୟାଲେରିଆ ସଂକ୍ରମଣ ବଢ଼ୁଛି କେବଳ ଜୁଲାଇ ମାସରେ ୨୫୦୦ ପାଖାପାଖି ପଜିଟିଭ୍‌ ରିପୋର୍ଟ ମିଳିବ ବୋଲି ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି।

୨୦୧୫ରେ ରାୟଗଡ଼ା ଜିଲ୍ଲାରେ ମ୍ୟାଲେରିଆ ସଂକ୍ରମଣ ଅଣାୟତ୍ତ ହୋଇଥିଲା। ସେହିବର୍ଷ ଜିଲ୍ଲାରେ ମୋଟ ୬୮,୭୯୧ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ୧୦ଜଣ ମୃତ୍ୟୁବରଣ କରିଥିଲେ। ସେହିପରି ୨୦୧୬ରେ ୬୯,୮୬୭ ରିପୋର୍ଟ ପଜିଟିଭ‌୍ ଆସିଥିଲା ବେଳେ ୬ଜଣ ମୃତ୍ୟୁବରଣ କରିଥିଲେ। ଯଦିଓ ଏହି ରିପୋର୍ଟ ସରକାରୀ ଥିଲା। ବେସରକାରୀ ଭାବେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିଲା। ତେଣୁ ୨୦୧୬-୧୭ ବର୍ଷରେ ସରକାର ‘ଦମନ ଅଭିଯାନ’ ଆରମ୍ଭ କଲେ। ଯାହାର ସୁଫଳ ମଧ୍ୟ ପରବର୍ତ୍ତୀ ବର୍ଷ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୧୯ ମସିହା ବେଳକୁ ସଂକ୍ରମଣ ବହୁ ପରିମାଣରେ କମିଥିଲା। ୨୦୨୧ ମସିହାରେ ଜିଲ୍ଲାରୁ ମାତ୍ର ୨୭୦୦ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ସରକାର ବଣ୍ଟନ କରିଥିବା ଔଷଧୀୟ ମଶାରି ଗୁଣବତ୍ତା ୨୦୨୨ ମସିହାରେ ଶେଷ ହୋଇଯିବାରୁ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଗତବର୍ଷ ରାଜ୍ୟରେ ସର୍ବାଧିକ ୯୬୮୪ଜଣ ମ୍ୟାଲେରିଆ ସଂକ୍ରମିତ ରାୟଗଡ଼ା ଜିଲ୍ଲାର ଥିଲେ। ଚଳିତବର୍ଷ ମଧ୍ୟ ଦ୍ରୁତଗତିରେ ସଂକ୍ରମତି ଚିହ୍ନଟ ହେଉଛନ୍ତି।

ବଢ଼ୁଥିବା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଠୋସ୍‌ ପଦକ୍ଷେପ ନେବାକୁ ଗୁରୁତ୍ବ ଦେଇନାହାନ୍ତି। ମଶାରି ପାଇଁ କେନ୍ଦ୍ର ସରକାରଙ୍କୁ କେବଳ ବାରମ୍ବାର ଚିଠି ଲେଖୁଛନ୍ତି। ଏମିତିରେ କିଭଳି ମ୍ୟାଲେରିଆ ନିୟନ୍ତ୍ରଣ ହେବ ବୋଲି ପ୍ରଶ୍ନ ଉଠିଛି। ସଂକ୍ରମଣ ବୃଦ୍ଧି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକା। କେନ୍ଦ୍ର କିମ୍ବା ରାଜ୍ୟ ସରକାର କାହିଁକି ମଶାରି ବଣ୍ଟନକୁ ଗୁରୁତ୍ବ ଦେଉନାହାନ୍ତି ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି। ଜୁନ୍‌ ମାସ ସୁଦ୍ଧା ଅବିଭକ୍ତ କୋରାପୁଟ ଜିଲ୍ଲାମାନଙ୍କ ମଧ୍ୟରୁ ରାୟଗଡ଼ାରେ ସର୍ବାଧିକ ମ୍ୟାଲେରିଆ ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe