ଆବାସିକ ବିଦ୍ୟାଳୟରେ ବ୍ୟାପିଲା ମ୍ୟାଲେରିଆ: ୧୦୩ ଛାତ୍ରଛାତ୍ରୀ ପଜିଟିଭ୍

ଆଜି ବିଶ୍ବ  ମ୍ୟାଲେରିଆ ଦିବସ: ମ୍ୟାଲେରିଆ ଆକ୍ରାନ୍ତରେ ଓଡ଼ିଶାର ଅଲୋଡ଼ା ରେକର୍ଡ

Dangerous Zika Infected Mosquito Bite on Yellow Background. Leishmaniasis, Encephalitis, Yellow Fever, Dengue, Malaria Disease, Mayaro or Zika Virus Infectious Culex Mosquito Parasite Insect Macro.

ରାୟଗଡ଼ା/କଲ୍ୟାଣସିଂହପୁର: ଯାହା ଭୟ ଥିଲା ତାହା ହିଁ ହେଲା। ରାୟଗଡ଼ା ଜିଲ୍ଲାରେ କାୟା ବିସ୍ତାର କରିସାରିଲାଣି ମ୍ୟାଲେରିଆ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍କ୍ରିନିଂ ସମୟରେ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ଯାହା ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ତଳ ଅଞ୍ଚଳବାଡ଼ି ଆଶ୍ରମ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ଆଜି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ପ୍ରାୟ ୨୩୦ଜଣ ପିଲାଙ୍କ ରକ୍ତ ପରୀକ୍ଷା ପରେ ସେଥିରୁ ୧୦୩ଜଣ ଛାତ୍ରଛାତ୍ରୀ ମ୍ୟାଲେରିଆ ପଜିଟିଭ୍‌ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ଗୋଟିଏ ବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ମ୍ୟାଲେରିଆ ଆକ୍ରନ୍ତ ହେବା ସ୍ବାସ୍ଥ୍ୟ ବିଭାଗକୁ ଚକିତ କରିଛି। ଆକ୍ରାନ୍ତଙ୍କ ମଧ୍ୟରେ ୧୫ଜଣଙ୍କ ଠାରେ ଜ୍ବରର ଲକ୍ଷଣ ରହିଥିବାରୁ ସ୍ବାସ୍ଥ୍ୟ ବିଭାଗର ନିଦ ହଜିଯାଇଛି। ଖରାଛୁଟି ପରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ନିକଟରେ ଜ୍ବରର ଲକ୍ଷଣ ରହିଥିଲା। ତେଣୁ ଏହି ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା ବୋଲି ଜଣାପଡ଼ିଛି। ସ୍ଥିତି ସଂଗିନ ହେବା ପୂର୍ବରୁ ନିୟନ୍ତ୍ରଣ କରିବାକୁ ପୂରା ଜୋର ଲଗାଇଦେଇଛି ସ୍ବାସ୍ଥ୍ୟ ବିଭାଗ। ତେଣୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜାରି ରହିଛି।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କେତେ ଜଣ ଛାତ୍ରଛାତ୍ରୀ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି। କେତେ ଜଣ ଛାତ୍ରଛାତ୍ରୀ ଅନ୍ୟ କାରଣରୁ ଅସୁସ୍ଥ ହୋଇଛନ୍ତି ତାହାର ତଥ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରକାଶ କରିନାହିଁ। ଯାଞ୍ଚ ପ୍ରକ୍ରିୟା ଶେଷ ହେବାପରେ ବାସ୍ତବ ସଂଖ୍ୟା କେତେ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଜିଲ୍ଲା କଲ୍ୟାଣ ବିଭାଗ ଏଭଳି ଭୟାବହ ସ୍ଥିତି ଉତ୍ପନ୍ନ ହେବ ବୋଲି ବହୁ ପୂର୍ବରୁ ହିଁ ଆଶଙ୍କା କରିଥିଲା। ତେଣୁ ଗତ ୨ତାରିଖ ଦିନ ଜିଲ୍ଲା କଲ୍ୟାଣ ଅଧିକାରୀ ଲିଖିତ ଭାବେ ଏହି ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାଏଙ୍କୁ ଜଣାଇଥିଲେ। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ହଷ୍ଟେଲଗୁଡ଼ିକରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। କିଛି ଛାତ୍ରଛାତ୍ରୀ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବାରୁ ସଂଖ୍ୟା ଯେମିତି ନ ବଢ଼ିବ ସେଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅବଗତ କରିଥିଲେ। ତେବେ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ଜିଲ୍ଲାରେ ମ୍ୟାଲେରିଆରେ ଆକ୍ରାନ୍ତ ହେବା ଆଦୌ ନୂଆ କଥା ନୁହେଁ। ପ୍ରତିବର୍ଷ ବର୍ଷାଦିନେ ହଜାର ହଜାର ଛାତ୍ରଛାତ୍ରୀ ଆକ୍ରାନ୍ତ ହେଉଛନ୍ତି। ଗତବର୍ଷ ମଧ୍ୟ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲରେ ୨୨୨୬ଜଣ ଛାତ୍ରଛାତ୍ରୀ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe