en.gaonconnection.com
କଟକ : ମାଳିପର୍ବତ ବକ୍ସାଇଟ୍ ଖଣିକୁ ନେଇ ଅନୁଷ୍ଠିତ ଜନଶୁଣାଣିକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଜନଶୁଣାଣିରେ ନିୟମ ଉଲ୍ଲଂଘନ ନେଇ ରହିଥିବା ଅଭିଯୋଗ ଉପରେ କୋରାପୁଟ ଏଡିଏମ୍ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ପରିବେଶ ମଞ୍ଜୁରୀ ପ୍ରସଂଗରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ମାଳିପର୍ବତ ବକ୍ସାଇଟ୍ ଖଣି ପାଇଁ ଏ ପର୍ଯ୍ୟନ୍ତ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇ ନାହିଁ। ଯଦି ପରିବେଶ ମଞ୍ଜୁରୀ ଏ ପର୍ଯ୍ୟନ୍ତ ଦିଆଯାଇ ନଥିବ ତେବେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହା ପ୍ରଦାନ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଆର.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନିରଂଜନ ଖିଲ୍ଲୋ ଓ ଅନ୍ୟମାନଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ, ହିଣ୍ଡାଲ୍କୋକୁ କୋରାପୁଟ ଜିଲ୍ଲାର ମାଳିପର୍ବତ ବକ୍ସାଇଟ୍ ଖଣି ଲିଜ୍ ମିଳିଥିଲା। ଏହି ବକ୍ସାଇଟ୍ ଖଣି ପ୍ରକଳ୍ପ ସଂପର୍କିତ ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି ଲାଗି ନୋଟିସ୍ ଜାରି କରାଯାଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ୨୦୨୧ ନଭେମ୍ବର ୨୨ରେ ଅନୁଷ୍ଠିତ ଜନଶୁଣାଣି ପୂର୍ବ ଦିନ ଏହି ପ୍ରକଳ୍ପକୁ ବିରୋଧ କରୁଥିବା କେତେକ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏଥି ସହିତ ଜନଶୁଣାଣି ଦିନ ସ୍ଥାନୀୟ ବାସିନ୍ଦାଙ୍କୁ ଶୁଣାଣିସ୍ଥଳର ତିନି କିଲୋମିଟର ଦୂରରୁ ଅଟକାଇ ଦିଆଯାଇଥିଲା। କେତେକ ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ଜନଶୁଣାଣି କରାଯାଇଥିଲା ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିୟମ ଉଲ୍ଲଂଘନ କରି ସ୍ଥାନୀୟ ବାସିନ୍ଦାଙ୍କୁ ଏହି ଜନଶୁଣାଣିରୁ ଜାଣିଶୁଣି ଦୂରରେ ରଖାଯାଇଥିଲା। ଏପରି ଜନଶୁଣାଣି ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କୋରାପୁଟ ଜିଲ୍ଲାପାଳ ଏଡିଏମ୍, ଏସ୍ପି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପି.କେ. ଜେନା ମାମଲା ପରିଚାଳନା କରୁଛନ୍ତି।
Follow Us