ବଡ଼ଦାଣ୍ଡ ମଝିରେ ଥିଲା ‘ମାଳିନୀ’ ନଦୀ: ଗଢ଼ା ହେଉଥିଲା ୬ ରଥ

Advertisment

ନଦୀ ଆରପଟେ ରହୁଥିଲା ୩ ଶଗଡ଼ି ରଥ, ଦୋଳଚାପରେ ନଈ ପାରି ହେଉଥିଲେ ଚତୁର୍ଦ୍ଧା ମୂର୍ତ୍ତି

ନଦୀ ଆରପଟେ ରହୁଥିଲା ୩ ଶଗଡ଼ି ରଥ, ଦୋଳଚାପରେ ନଈ ପାରି ହେଉଥିଲେ ଚତୁର୍ଦ୍ଧା ମୂର୍ତ୍ତି

ବଡ଼ଦାଣ୍ଡ ମଝିରେ ଥିଲା ‘ମାଳିନୀ’ ନଦୀ: ଗଢ଼ା ହେଉଥିଲା ୬ ରଥ

— PURIWAVES

ପୁରୀ: କିମ୍ବଦନ୍ତୀ କହେ, ଆଜିର ସୁଦୃଶ୍ୟ ପବିତ୍ର ବଡ଼ଦାଣ୍ଡରେ ଦିନେ ମାଳିନୀ ନଦୀ ପ୍ରବାହିତ ହେଉଥିଲା। ତେଣୁ ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ଯାତ୍ରାରେ ଯିବାକୁ ୬ଟି ରଥର ଆବଶ୍ୟକ ପଡ଼ୁଥିଲା। ବଳଗଣ୍ଡି ପର୍ଯ୍ୟନ୍ତ ତିନି ସୁଦୃଶ୍ୟ ରଥ ଆସୁଥିଲା। ସେହିପରି ଆଉ ତିନିଟି ରଥ ମାଳିନୀ ନଦୀର ଅପର ପାର୍ଶ୍ବରେ ୪ ଚକିଆ ଶଗଡ଼ି ସଦୃଶ ନିର୍ମିତ ହୋଇ ରହୁଥିଲା। ମହାପ୍ରଭୁ ନଦୀ ପାର ହୋଇ ଯିବାପରେ ଏହି ରଥରେ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଉଥିଲେ। ୧୮୫୯ ମସିହାରେ ଭିକାରୀ ପଟ୍ଟନାୟକଙ୍କ ରଚିତ ‘ରଥ ଚକଡ଼ା’ ପୋଥି ଅନୁସରଣ ପୂର୍ବକ ଗବେଷକ ସ୍ବର୍ଗତ ସଦାଶିବ ରଥଶର୍ମା ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ଅଷ୍ଟମ ଓ ନବମ ଶତାବ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀଙ୍କ ରାଜତ୍ବ ସମୟରେ ଶ୍ରୀମନ୍ଦିରର ଉଚ୍ଚତା ୪୮ ହାତ ଥିଲା। ଶ୍ରୀବିଗ୍ରହମାନେ ୨ ହାତ ୧୦ ଆଙ୍ଗୁଳିର ଥିଲେ। ରଥର ଉଚ୍ଚତା ଥିଲା ୧୮ ହାତ। ତିନି ରଥ ସମ୍ଭବତଃ ସମାନ ଥିଲା। କିନ୍ତୁ ୬ଟି ରଥ ହେଉଥିଲା। ବଳଗଣ୍ଡି ପର୍ଯ୍ୟନ୍ତ ତିନି ରଥ ଯାଉଥିଲା। ସେଠାରୁ ମାଳିନୀ ନଦୀର ଅପର ପାର୍ଶ୍ବରେ ଥିବା ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନି ରଥ ନିର୍ମିତ ହେଉଥିଲା। ଏହି ତିନିରଥ ଚାରିଚକିଆ ଶଗଡ଼ି ସଦୃଶ ହେଉଥିଲା। ଏହି ତିନିଟି ରଥ ମାଳିନୀ ନଈର ଉତ୍ତର ଭୂମିରେ ଆଡ଼ପ ମଣ୍ଡପ ଦିଗକୁ ଯାଉଥିଲା। ତେବେ ସିଂହଦ୍ବାରରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥ ୧୬ ଚକିଆ, ୧୪ ଚକିଆ ଓ ୧୨ ଚକିଆ ଥିଲା। ବଳଗଣ୍ଡିରେ ରଥ ପହଞ୍ଚିବା ପରେ ଦୋଳଚାପରେ ନଈ ପାରି ହୋଇ ଆର ପଟକୁ ଯାଉଥିଲେ। ‘ରଥ ଚକଡ଼ା’ର ଏକ ପଦ ହେଲା, ‘ପାଟଣା ରଥ ଚାରି ଚକିଆ, କିଆ ପଟୁଳାରେ ହୋଇଛି ଠିଆ।’

ଯଯାତି କେଶରୀଙ୍କ ପରେ ପରଶୁ କେଶରୀ ନାମକ ରାଜା ଦୁଇବର୍ଷ ରାଜତ୍ବ କରିଥିଲେ। କିନ୍ତୁ ତାଙ୍କ ସମୟରେ ରଥ ଥରେ ହେଲେ ୧୮ ହାତିଆ ହୋଇପାରି ନଥିଲା। ମୂଷଳ ଧାରାରେ ବର୍ଷା ଯୋଗୁଁ ରଥଯାତ୍ରା ନହୋଇ ଛୋଟ ରଥ ସିଂହଦ୍ବାରରେ ରହି ଦକ୍ଷିଣାମୁଖୀ ପୂଜା ହୋଇଥିଲା। ପରବର୍ତ୍ତୀ ସମୟରେ ଚୋଡ଼ଗଙ୍ଗ ଦେବ ଦେଉଳକୁ ୧୨୫ ହାତ ପର୍ଯ୍ୟନ୍ତ ବଢ଼ାଇଥିଲେ। ଫଳରେ ରଥ ୩୨ ହାତିଆ କଲେ। ରଥ ଛଅଟି ହାତୀ ଦ୍ବାରା ଟଣା ଯାଉଥିଲା। ଚୋଡ଼ଗଙ୍ଗ ଦେବ ରଥ ଦଉଡ଼ି ଧରି ଟାଣିବା ପରେ ଅନ୍ୟମାନେ ଓ ହାତୀ ମିଶି ରଥ ଟାଣୁଥିଲେ। ସେତେବେଳେ ମଧ୍ୟ ୬ଟି ରଥ ହେଉଥିଲା।

ଷୋଡ଼ଶ ଶତାବ୍ଦୀରେ ରଚିତ ମାଦଳା ପାଞ୍ଜି ମୁତାବକ, ବୀର ନରସିଂହ ଦେବଙ୍କ ରାଜତ୍ବ କାଳରେ ବାଙ୍କୀ ମୁହାଣ ପୋତା ହୋଇଥିଲା। ନଦୀ ପୋତାଯିବାରୁ ସେବେଠାରୁ ୬ ରଥ ବଦଳରେ ତିନି ରଥ କରାଗଲା। ଗୁଣ୍ଡିଚା ମନ୍ଦିରର କାଠ ମଣ୍ଡପକୁ ପଥର ମଣ୍ଡପରେ ରୂପାନ୍ତରିତ କରାଯାଇଥିଲା। ଆଉ କିଛି ଗବେଷକଙ୍କ ସୂଚନା ମୁତାବକ, ଲାଙ୍ଗୁଳା ନରସିଂହ ଦେବଙ୍କ ପରବର୍ତ୍ତୀ ରାଜା ପ୍ରଥମ ଭାନୁଦେବ (୧୨୬୪-୧୨୭୮)ଙ୍କ ସମୟରେ ମାଳିନୀ ନଦୀ ପୋତି ହେବା ପରେ ୬ ରଥ ପରିବର୍ତ୍ତେ ତିନି ରଥ ହେବାର ବ୍ୟବସ୍ଥା ହୋଇଥିଲା। ଗବେଷକ ଡ. ନୀଳକଣ୍ଠ ମିଶ୍ରଙ୍କ ଉଲ୍ଲେଖ ପ୍ରକାରେ, ୧୨୭୦ ମସିହାରେ ମାଧବାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆଗମନ କରିଥିଲେ। ଗୋଟିଏ ଯାତ୍ରାରେ ଦୁଇ ପ୍ରକାର ରଥ ବ୍ୟବହାର ଶାସ୍ତ୍ର ବିରୋଧୀ ବୋଲି ସେ ମତ ଦେବାରୁ ମାଳିନୀ ନଦୀ ପୋତି ବଡ଼ଦାଣ୍ଡରେ ମାତ୍ର ତିନିଟି ରଥରେ ରଥଯାତ୍ରା ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ। ତେଣୁ ଗଙ୍ଗ ସମ୍ରାଟ ଅନଙ୍ଗ ଭୀମ ଦେବଙ୍କ ପୁତ୍ର ପ୍ରଥମ ଭାନୁଦେବ ଏହି ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe