ମାଳିପଦର ମିଥ୍ୟା ଏନକାଉଣ୍ଟର ଘଟଣା: କୋତାମେଟାରେ ଚାଲିଥିବା ରାସ୍ତା ଅବରୋଧରୁ ଲୋକଙ୍କୁ ଉଠାଇନେଲା ପୁଲିସ

ମାଳିପଦର ମିଥ୍ୟା ଏନକାଉଣ୍ଟର ଘଟଣା: କୋତାମେଟାରେ ଚାଲିଥିବା ରାସ୍ତା ଅବରୋଧରୁ ଲୋକଙ୍କୁ ଉଠାଇନେଲା ପୁଲିସ

ମାଲକାନଗିରି: କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମାଳିପଦର ଜଙ୍ଗଲରେ ୨ଜଣକୁ ପୁଲିସ ମାଓବାଦୀ ଦର୍ଶାଇ ଏନକାଉଣ୍ଟର କରିବା ଘଟଣାକୁ ବିରୋଧ କରି କୋତାମେଟାରେ ଚାଲିଥିବା ରାସ୍ତା ଅବରୋଧରୁ ଲୋକଙ୍କୁ ଉଠାଇ ନେଇଛି ମାଲକାନଗିରି ପୁଲିସ। ମୃତ ଧନ କମାରଙ୍କ ଶବ ଓ ନ୍ୟାୟ ସହ କ୍ଷତିପୂରଣ ଦେବାକୁ ଦାବି କରି ରାତି ତମାମ ଚାଲିଥିଲା ରାସ୍ତାରୋକ। ଆଜି ସକାଳୁ ସକାଳୁ ରାସ୍ତା ଅବରୋଧ ହଟାଇବାକୁ ମାଲକାନଗିରି ପୁଲିସ କଡା ପଦକ୍ଷେପ ଗ୍ରହଣ କରିଥିଲା। ରାସ୍ତା ଅବରୋଧ କରିଥିବା ଲୋକଙ୍କ ସହ ଆଦିବାସୀ ନେତା ଶରତ ବୁରୁଦାଙ୍କୁ ମଧ୍ୟ ଉଠାଇ ନେଇଛି ପୁଲିସ। ଏହାଫଳରେ ମାଲକାନଗିରି - ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ସ୍ବାଭାବିକ ହେବାରେ ଲାଗିଛି ଯାନବାହାନ ଚଳାଚଳ।

ସୂଚନା ମୁତାବକ ଗତ ୧୦ ତାରିଖ ଦିନ ୨ଜଣ ବ୍ୟକ୍ତି ବୈପାରିଗୁଡା ମାଲିଗୁଡ଼ା ଜଙ୍ଗଲରେ କାଉଡ଼ି ଯୋଗେ ଗଞ୍ଜେଇ ନେଇ ଯାଉଥିବା ବେଳେ, ସେହି ସମୟରେ କୋରାପୁଟ ଜିଲ୍ଲା ପୁଲିସ ତଥା ଏସଓଜି ଓ ଡିଭିଏଫ ଯବାନ ଗଂଜେଇ ଚାଲାଣକାରୀଙ୍କ ଉପରେ ଗୁଳିଚାଳନା କରିଥିଲେ। ତେବେ ପୁଲିସ ଗୁଳିରେ ମାଲକାନଗିରି ଭେଜାଗୁଡା ପଞ୍ଚାୟତର ସର୍ଗିଗୁଡା ଗ୍ରାମର ୪୧ ବର୍ଷୀୟ ଧନ କମାର ନାମକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ, ଅନ୍ୟ ଜଣେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ନୁଆଗୁଡା ଗାଁର ଜୟ କୁମାର ନାଗ ବୋଲି ଜଣାପଡିଥିଲା। ଏହି ଘଟଣାରେ ନିରୀହ ଲୋକଙ୍କୁ ନକ୍ସଲ ସଜାଇ ପୁଲିସ ଏନକାଉଣ୍ଟର କରି ମାରିଥିବା ଅଭିଯୋଗ ଆଣିଥିଲେ ଗ୍ରାମବାସୀ ଓ ପରିବାର ଲୋକ। ଏନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା ପ୍ରକାଶ ପାଇଥିଲା। ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଧନ କମାର ଗରିବ ଶ୍ରେଣୀର ହୋଇଥିବାରୁ ତାର ପରିବାରକୁ ୩୦ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦାବି ସହିତ ଶବକୁ ଖୁବଶିଘ୍ର ହସ୍ତାନ୍ତର ପାଇଁ ଦାବି କରି ରବିବାର ଦିନ ଜୟପୁର-ମାଲକାନଗିରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ।

publive-image

ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦାଙ୍କ ନେତୃତ୍ବରେ ଶହ ଶହ ମହିଳା ପୁରୁଷ ରବିବାର ଦିନ ତମାମ ରାସ୍ତାକୁ ଅବରୋଧ କରିଥିବା ବେଳେ ସଂଧ୍ୟାରେ ମାଲକାନଗିରି ତହସିଲର ଅତିରିକ୍ତ ତହସିଲଦାର, ମାଥିଲି ତହସିଲଦାର ଏବଂ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଲୋକେ କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ଏବଂ ଶବକୁ ତୁରନ୍ତ ହସ୍ତାନ୍ତର ନକରିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଏଥିସହିତ ଆଜି ସକାଳେ ଗୋବିନ୍ଦପାଲ୍ଲୀ ଘାଟିରେ ଗଛ ପକାଇ ସଂପୂର୍ଣ୍ଣ ରୂପେ ୩୨୬ ଜାତୀୟ ରାଜପଥକୁ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଥିଲେ।। ପୁଲିସ ଏବଂ ପ୍ରଶାସନ ଲୋକଙ୍କୁ ବୁଝାସୁଝା କରିବାରେ ନାକେଦମ ହୋଇଥିବା ବେଳେ ଲୋକେ ନିଜ ଜିଦରେ ଅଟଳ ରହିଥିଲେ। ରାତି ତମାମ ରାସ୍ତା ଅବରୋଧ କରି ବସି ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe