ଶିକ୍ଷାଦାନ ପାଇଁ ଭିନ୍ନ ତଥା ସଫଳ ପ୍ରୟାସ : ମାଇକ୍‌ରୁ ପାଠ ଶୁଣୁଛନ୍ତି ଛାତ୍ରଛାତ୍ରୀ

Advertisment

କଣ୍ଟ୍ରୋଲ ରୁମ୍‌ରୁ ହେଉଛି ଶିକ୍ଷାଦାନ, ୫ ଜିଲ୍ଲାରେ ଆରମ୍ଭ କରିବାକୁ ଛତିଶଗଡ଼ ସରକାରଙ୍କ ନିଷ୍ପତ୍ତି

କଣ୍ଟ୍ରୋଲ ରୁମ୍‌ରୁ ହେଉଛି ଶିକ୍ଷାଦାନ, ୫ ଜିଲ୍ଲାରେ ଆରମ୍ଭ କରିବାକୁ ଛତିଶଗଡ଼ ସରକାରଙ୍କ ନିଷ୍ପତ୍ତି

ଶିକ୍ଷାଦାନ ପାଇଁ ଭିନ୍ନ ତଥା ସଫଳ ପ୍ରୟାସ : ମାଇକ୍‌ରୁ ପାଠ ଶୁଣୁଛନ୍ତି ଛାତ୍ରଛାତ୍ରୀ

ମାଲକାନଗିରି : କରୋନା ପାଇଁ ସାରାଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ। ଏଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ନୂଆ ନୂଆ ପଦ୍ଧତିରେ ଶିକ୍ଷାଦାନ କରିବାକୁ ପ୍ରାୟାସ ଜାରି ରଖିଛନ୍ତି। ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ସତ୍ତ୍ବେ ଦୁର୍ଗମ ଅଞ୍ଚଳର ପିଲା ଶିକ୍ଷାରୁ ବଞ୍ଚିତ ହୋଇ ରହିଛନ୍ତି। ତେବେ ଏମିତି ସ୍ଥିତିର ମୁକାବିଲା ପାଇଁ ଛତିଶଗଡ଼ର ବସ୍ତର ଜିଲ୍ଲା ଭାଟପାଲ ଗାଁରେ ଆରମ୍ଭ ହୋଇଥିବା ପରୀକ୍ଷା ମୂଳକ ପଦକ୍ଷେପ ସଫଳ ହୋଇଛି। ଗୋଟିଏ ଗାଁରୁ ଆରମ୍ଭ ହୋଇଥିବା ଏହି ନୂଆ ପଦ୍ଧତି ଶିକ୍ଷାଦାନ ଏବେ ପୂରା ପଞ୍ଚାୟତରେ ଲାଗୁ କରାଯାଇଛି। ଏଥିପାଇଁ ଶିକ୍ଷା ବିଭାଗ ତଥା ପ୍ରଶାସନକୁ ବିଶେଷ କସରତ କରିବାକୁ ପଡ଼ି ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ରକ୍ଷା କରାଯାଇଛି। ସେହିପରି ଶିକ୍ଷକମାନେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଏଠାରେ ନିଭାଇଛନ୍ତି।

ଭାଟପାଲ ଗାଁରେ ଗତ କିଛି ଦିନ ହେଲା ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁର ବିଭିନ୍ନ ଉଚ୍ଚ ସ୍ଥାନରେ ବନ୍ଧା ହୋଇଛି ମାଇକ। ଏହି ମାଇକ ନିକଟରେ ୫ରୁ ୬ଜଣ ଲେଖାଏଁ ପିଲା ଶୃଙ୍ଖଳା ରକ୍ଷା କରି ବସୁଛନ୍ତି। ଏହାପରେ ଆରମ୍ଭ ହେଉଛି ଶ୍ରେଣୀ। ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍‌ରୁ ପାଳି କରି ଶିକ୍ଷକାମାନେ ପଢ଼ାଉଛନ୍ତି। ଯାହାକୁ ମାଇକ ଦ୍ବାରା ପିଲାଙ୍କ ନିକଟରେ ପହଞ୍ଚା ଯାଉଛି। କେବଳ ପାଠ୍ୟକ୍ରମ ନୁହଁ କୃଷି, ସ୍ବାସ୍ଥ୍ୟ, ପାଣିପାଗ ସଂପର୍କିତ ତଥ୍ୟ ସହ ମହାପୁରୁଷଙ୍କ ଜୀବନୀ ବିଷୟରେ ବି ପିଲାଙ୍କୁ କୁହାଯାଉଛି। ଗୋଟିଏ ଗାଁରୁ ଏହି ଅଭିନବ ଶିକ୍ଷାଦାନ ପ୍ରଣାଳୀ ଆରମ୍ଭ ହୋଇଥିଲା। ସ୍ଥାନୀୟ ସରପଞ୍ଚ ରିୟୋ ନାରାୟଣ କଶ୍ୟପଙ୍କ ଉଦ୍ୟମରେ ପରବର୍ତ୍ତୀ ସମୟରେ ସଂପୂର୍ଣ୍ଣ ପଞ୍ଚାୟତରେ ଏହାକୁ ଲାଗୁ କରାଯାଇଥିଲା। ଜୁନ୍ ମାସ ଦ୍ବିତୀୟ ସପ୍ତାହରୁ ଆରମ୍ଭ ହୋଇ ବର୍ତ୍ତମାନ ବି ଚାଲିଥିବା ସୂଚନା ମିଳିଛି।

publive-image

ମାଇକ ଯୋଗେ ଶିକ୍ଷାଦାନ ଖବର ଯେତିକି ରୋଚକ ସେଥିତି ଉତ୍କଣ୍ଠାପୂର୍ଣ୍ଣ। ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିବା ପରେ ଜିଲ୍ଲାପାଳ ମଧ୍ୟ ଚକିତ ହୋଇଯାଇଥିଲେ। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଗୋଟିଏ ଟିମ୍ ଗଠନ କରି ଏହାର ଅନୁସନ୍ଧାନ କରିବାକୁ ପଠାଇଥିଲେ। ଏହି ଟିମ୍ ଗାଁରେ ପହଞ୍ଚି ଶିକ୍ଷାଦାନ ପ୍ରଣାଳୀ ଅନୁଧ୍ୟାନ କରିବା ସହ ପିଲାଙ୍କୁ ପଢ଼ା ଯାଇଥିବା ପାଠ୍ୟକ୍ରମରୁ ମଧ୍ୟ ବହୁ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ଠିକ୍ ଠିକ୍ ଦେଇଥିଲେ ଛାତ୍ରଛାତ୍ରୀମାନେ। ସେହିପରି ସରକାର କୋଭିଡ୍-୧୯ ପାଇଁ ଲାଗୁ କରିଥିବା ନିୟମକୁ ମଧ୍ୟ ଠିକ୍ ରୂପେ ପାଳନ କରାଯାଉଥିବା ଟିମ୍ ଦେଖିବାକୁ ପାଇଥିଲା। ଜିଲ୍ଲା ପ୍ରଶାସନକୁ ଏନେଇ ରିପୋର୍ଟ ଦିଆଯିବା ପରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା।

ରାଜ୍ୟ ସରକାର ମଧ୍ୟ ଏଭଳି ଅଭିନବ ଉପାୟକୁ ଗ୍ରହଣ କରିଥିବା ସୂଚନା ମିଳିଛି। ଆଗଷ୍ଟ ୧୫ ତାରିଖ ଦିନ ଛତିଶଗଡ଼ ରାଜ୍ୟର ଆହୁରି ୫ଟି ଜିଲ୍ଲାରେ ଏଭଳି ଶିକ୍ଷାଦାନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ନିଜେ ଏହି ନୂଆ ଶିକ୍ଷାଦାନ ପ୍ରଣାଳୀକୁ ଉଦ୍‌ଘାଟନ କରିବେ ବୋଲି ସୂଚନା ମିଳିଛି। ବସ୍ତର ଭଳି ଆଦିବାସୀ ଅଧ୍ୟୁଷିତ ତଥା ନକ୍ସଲ ପ୍ରବଣ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଏହି ଶିକ୍ଷାଦାନ ପ୍ରଣାଳୀ ଏବେ ସାରା ରାଜ୍ୟକୁ ଶିକ୍ଷାର ଆଲୋକ ଦେଖାଇବାକୁ ଯାଉଛି। ଏହି ଖବର ସୀମାନ୍ତ ଓଡ଼ିଶାରେ ପହଞ୍ଚିବା ପରେ ଆମ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଏଭଳି ଶିକ୍ଷାଦାନ ଆରମ୍ଭ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe