ବଣ୍ଡାଘାଟିରେ ୨୫ କିମି ଦୂରରେ ବୁଥ୍ , ମତଦାନ କରିବାକୁ ଗଲେ ନାହିଁ ବରଗୁଡ଼ା ଗ୍ରାମବାସୀ

Advertisment
ବଣ୍ଡାଘାଟିରେ ୨୫ କିମି ଦୂରରେ ବୁଥ୍ , ମତଦାନ କରିବାକୁ ଗଲେ ନାହିଁ ବରଗୁଡ଼ା ଗ୍ରାମବାସୀ

ମାଲକାନଗିରି : ଗାଁ ଠାରୁ ୨୫ କିଲୋମିଟର ଦୂରରେ ରହିଛି ବୁଥ୍। ତେଣୁ ମତଦାନ କରିବାକୁ ଗଲେନାହିଁ ଗ୍ରାମବାସୀ। ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ଅଞ୍ଚଳରେ।

ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ଦୁଇଟି ପ଼ଞ୍ଚାୟତରେ ୨୩ଟି ବୁଥ୍ ରହିଛି। ସେଥିମଧ୍ୟରୁ ବହୁ ବୁଥ୍ ଅତି ସମ୍ବେଦନଶୀଳ ଭାବେ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଛି। ତେବେ ଦୂର ଦୂରାନ୍ତରେ ରହିଥିବା ଗ୍ରାମର ଲୋକଙ୍କୁ ମୁଦୁଲିପଡ଼ା ପଞ୍ଚାୟତ ସଦର ମହକୁମାକୁ ଆସି ଭୋଟ ଦେବାକୁ ମତଦାନ କେନ୍ଦ୍ର କରାଯାଇଥିଲା। ମୁଦୁଲିପଡ଼ା ଠାରୁ ପ୍ରାୟ ୨୫ କିମି ଦୂରରେ ଥିବା ବରଗୁଡ଼ା ଗାଁ ଦୁର୍ଗମ ତଥା ଅତି ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଏହି ଗ୍ରାମବାସୀଙ୍କ ପାଇଁ ମୁଦୁଲିପ଼ଡ଼ା ଠାରେ ସ୍ବତନ୍ତ୍ର ବୁଥ୍ ପ୍ରଶାସନ ପକ୍ଷରୁ କରାଯାଇଥିଲା। ସେହି ଅନୁସାରେ, ଏହି ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଏବଂ ଅନ୍ୟ ଅଧିକାରୀମାନେ ସକାଳୁ ମତଦାନ କେନ୍ଦ୍ର ଖୋଲି ଭୋଟରମାନଙ୍କୁ ଜଗି ରହିଥିଲେ। କିନ୍ତୁ ଭୋଟ ଦେବାକୁ କେହି ହେଲେ ଜଣେ ଆସୁନଥିବା ଦେଖିବାକୁ ମିଳିଥିଲା। ବୁଥ୍ ଠାରୁ ବାରିବେଡ଼ା ଗ୍ରାମ ୨୫ କିଲୋମିଟର ଦୂରରେ ରହିଥିଲା ବେଳେ ଗ୍ରାମବାସୀ ବୁଥ୍‌କୁ ଆସିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା। ଏପରିକି ବାରିବେଡ଼ା ଗାଁକୁ ପକ୍କା ରାସ୍ତା ନଥିବା ବେଳେ ଯାତାୟାତ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ତେଣୁ ଭୋଟ ଦେବାକୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ପୋଲିଂ ଅଧିକାରୀ ଏବଂ ଏଜେଣ୍ଟମାନେ ଦିନ ତମାମ ଭୋଟର ମାନଙ୍କୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା।

ତେବେ ବହୁ ସମୟରେ ମାତ୍ର ୯ ଜଣ ଭୋଟର ବହୁ କଷ୍ଟରେ ବୁଥ୍‌ରେ ପହଞ୍ଚି ମତଦାନ କରିଥିଲେ। ବାରିବେଡ଼ା ଗାଁରେ ମୋଟ ୩୪ ଭୋଟର ରହିଥିଲା ବେଳେ ସେଥିମଧ୍ୟରେ ପୁରୁଷ ଭୋଟର ୧୮ ଓ ମହିଳା ଭୋଟର ୧୬ ଜଣ ରହିଛନ୍ତି। ଅପରପକ୍ଷରେ ଗ୍ରାମ ଠାରୁ ଏତେ ଦୂରରେ ବୁଥ୍ କରାଗଲା କାହିଁକି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ବଣ୍ଡାଘାଟିରେ ଏଭଳି ବହୁ ସ୍ଥାନ ରହିଛି ଯାହା ଗ୍ରାମ ଠାରୁ ବହୁ ଦୂରରେ ବୁଥ୍ କରାଯାଇଛି। ଯାହାଫଳରେ ଦୂର ଦୂରାନ୍ତରରୁ ଲୋକେ ବୁଥ୍‌କୁ ଆସି ଭୋଟ ଦେବାକୁ ଅମଙ୍ଗ ହେଉଥିବା ଦେଖାଦେବା ସହ ମତଦାନ ହାର ମଧ୍ୟ ବହୁତ କମ୍ ହୋଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe