ମା’ ହେବା ଜିଦ୍‌ରେ ଅଟଳ ‘ମଲ୍ଲୀ’, ସପ୍ତାହେ ହେଲା ଆଚରଣରେ ଅସ୍ବାଭାବିକ ପରିବର୍ତ୍ତନ

Advertisment
ମା’ ହେବା ଜିଦ୍‌ରେ ଅଟଳ ‘ମଲ୍ଲୀ’, ସପ୍ତାହେ ହେଲା ଆଚରଣରେ ଅସ୍ବାଭାବିକ ପରିବର୍ତ୍ତନ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳସ୍ଥିତ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ଧଳା କୁମ୍ଭୀର ‘ମଲ୍ଲୀ’ ମା’ ହେବା ଜିଦ୍‌ରେ ଅଟଳ। ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବା ମଲ୍ଲୀ ଅଣ୍ତା ଦେବା ନିମନ୍ତେ ବସା ବାନ୍ଧିବା ପ୍ରକ୍ରିୟାରେ ବ୍ୟସ୍ତ। ଅଣ୍ତା ଦେବା ଓ ମା’ ହେବା ଜିଦ୍‌ରେ ସପ୍ତାହେ ହେଲା ତା’ର ଆଚରଣରେ ଅସ୍ବାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ମଲ୍ଲୀ ପୂର୍ବରୁ ୨ଥର ଅଣ୍ତା ଦେଇଥିଲା। ସେଥିରୁ କିନ୍ତୁ ଛୁଆ ବାହାରି ନ ଥିଲା। ଏଥର ତା’ର ଚାଲିଚଳନ ଓ ବ୍ୟବହାରରେ ପରିବର୍ତ୍ତନରୁ ଚଳିତବର୍ଷ ପୁଣି ଅଣ୍ତା ଦେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି।

ଉଲ୍ଲେଖଥାଉକି, ମଲ୍ଲୀ ୫୦ ଡିସିମିଲ ବିଶିଷ୍ଟ ଆବଦ୍ଧ ପୋଖରୀରେ ଜୀବନ ବିତାଉଛି। ଏହି ପୋଖରୀକୁ ଭିତରକନିକା ନଈ ସହିତ ସଂଯୋଗ କରାଯାଇଛି। ନଈର ଜୁଆର ପାଣି ଏହି ପୋଖରୀ ମଧ୍ୟକୁ ଆସିଥାଏ। ଜୁଆର ସହିତ ମାଛ ମଧ୍ୟ ପୋଖରୀକୁ ଆସିଥାଏ। ମଲ୍ଲୀ ଏ ବର୍ଷ ଅଣ୍ତା ଦେବାପାଇଁ ବସା କରିବା ନିମନ୍ତେ ତା’ ଜାଗା ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଆବଦ୍ଧ ପୋଖରୀର ଉଚ୍ଚାସ୍ଥାନରେ କାଠି, କୁଟା ଓ ଖରଖରି ପତ୍ର ବସା କରିବା ପାଇଁ ଠୁଳ କରିବା ଆରମ୍ଭ କରିଛି। ଏଥିପାଇଁ ଗତ ୭/୮ ଦିନ ହେଲା ମଲ୍ଲୀ ଅସ୍ବାଭାବିକ ଆଚରଣ କରୁଛି। ପୂର୍ବରୁ ଦିନକୁ ୩ ରୁ ୪ କିଲୋ କଙ୍କଡା ଖାଉଥିଲା। ୮ଦିନ ହେଲା ତାର ନିୟମିତ ଖାଦ୍ୟଠାରୁ ଦିନକୁ ପ୍ରାୟ ୧ କେଜି କମ୍ ଖାଉଛି। ତାକୁ ଖାଇବାକୁ ଦେଉଥିବା ବନ କର୍ମଚାରୀ ପୂର୍ବରୁ ତା’ ପୋଖରୀ ନିକଟରେ ପହଞ୍ଚି ନାଁ ଧରି ଡାକିଦେଲେ, ମଲ୍ଲୀ ଖାଇବା ପାଇଁ ଦୌଡ଼ି ଆସୁଥିଲା। ମାତ୍ର ୮ଦିନ ହେଲା ଆଉ ଡାକ ଶୁଣୁନି। ଇଚ୍ଛା ହେଲେ ଖାଇବାକୁ ଆସୁଛି, ନ ହେଲେ ଆସୁନି। ମଲ୍ଲୀର ଏହି ଅସ୍ବାଭାବିକ ପ୍ରକ୍ରିୟା ଅଣ୍ତା ଦେବାର ପୂର୍ବ ସୂଚନା ବୋଲି ବନ କର୍ମଚାରୀଙ୍କଠାରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe