କୁବେରପୁରୀରେ ଅପପୁଷ୍ଟି: ଯୋଡ଼ା ଅଞ୍ଚଳରେ ୪୩୯୬ ଶିଶୁ ଅପପୁଷ୍ଟିର ଶିକାର

Advertisment
ବିଆଇପିଏଫ୍‌ ପକ୍ଷରୁ ‘ଆଇଡିଏଟ୍‌-୨୦୨୧’: କ୍ଷୁଧା ଏବେ ନ୍ୟାୟର ପ୍ରସଙ୍ଗ ପାଲଟିଛି

Fact Hunt

କେନ୍ଦୁଝର : ଯେଉଁଠି ପ୍ରାଚୁର୍ଯ୍ୟର ପାହାଡ଼, ସେଇଠି ଭୋକର ଭୂଗୋଳ। ରାଜ୍ୟ ସରକାର ସର୍ବାଧିକ ରାଜସ୍ବ ପାଉଥିବା କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳରେ ପୁଷ୍ଟିକର ଖାଦ୍ୟ ଅଭାବରୁ ଏବେ ପ୍ରାୟ ୪୩୯୬ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଖୋଦ୍‌ ସରକାରୀ ତଥ୍ୟ କହୁଛି। କେବଳ ଯୋଡ଼ା ନୁହେଁ କେନ୍ଦୁଝର ଜିଲ୍ଲାର ଅନ୍ୟ ବ୍ଲକ୍‌ରେ ମଧ୍ୟ ଏହି ସଂଖ୍ୟା ଅତ୍ୟନ୍ତ ଚିନ୍ତାଜନକ ରହିଛି।

କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ଅଞ୍ଚଳରେ ରାଜ୍ୟର ସର୍ବାଧିକ ଲୁହାପଥର ଖଣି ରହିଛି। ଏକାଧିକ ଶିଳ୍ପାନୁଷ୍ଠାନ ମଧ୍ୟ ଏଠାରେ ଗଢ଼ି ଉଠିଛି। ଏହି ଅଞ୍ଚଳରୁ ରାଜ୍ୟ ସରକାର ହଜାର ହଜାର କୋଟି ରାଜସ୍ବ ପାଉଥିବାବେଳେ ସ୍ଥାନୀୟ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ଯେତିକି ଗୁରୁତ୍ବ ଦେବା କଥା ଦେଉନାହାନ୍ତି। ସରକାରୀ ସୂଚନା ଅନୁସାରେ, ୨୦ ବର୍ଷ ମଧ୍ୟରେ ସରକାର ଏଠାରୁ ୨୩ ହଜାର ୭୮୦ କୋଟି ଟଙ୍କା ରାଜସ୍ବ ସଂଗ୍ରହ କଲେଣି। ୨୦୦୧-୦୨ ମସିହାରେ ଏଠାରୁ ମାତ୍ର ୨୫ କୋଟି ୪୦ ଲକ୍ଷ ୮୬ ହଜାର ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିଲା। ୨୦୧୯-୨୦ରେ ଏହା ୪୬୨୪ କୋଟି ୭୯ ଲକ୍ଷ ୯୭୭ ହଜାର ଟଙ୍କାରେ ପହଞ୍ଚିଛି।

ଗୋଟିଏ ପଟେ ଯୋଡ଼ା ଖଣି ଅଞ୍ଚଳ ରାଜ୍ୟ ରାଜକୋଷକୁ ପରିପୂର୍ଣ୍ଣ କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧି କରି ଚାଲିଥିବାବେଳେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଅଭାବ ଅନଟନରେ କାଳ କାଟୁଛନ୍ତି। ଯୋଡ଼ା ବ୍ଲକ୍‌ ଆଇସିଡିଏସ୍‌ ପ୍ରୋଜେକ୍ଟ ଅଧୀନରେ ଥିବା ଅଞ୍ଚଳରେ ଅପପୁଷ୍ଟି ପ୍ରଭାବରେ ୩୬୧୨ ଶିଶୁଙ୍କ ମଧ୍ୟମ ଓଜନ ଏବଂ ୧୫୪ ଶିଶୁଙ୍କ ଅତ୍ୟନ୍ତ କମ୍ ଓଜନ ଥିବା ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ଯୋଡ଼ା ପୌରାଞ୍ଚଳରେ ୫୮୪ଜଣ ଶିଶୁ ମଧ୍ୟମ ଓଜନ ଓ ୪୬ଜଣ ଶିଶୁଙ୍କ ଅତ୍ୟନ୍ତ କମ୍ ଓଜନ ଥିବା ଜଣାପଡ଼ିଛି। କେବଳ ଯୋଡ଼ା ନୁହେଁ, ଜିଲ୍ଲାର ଅନ୍ୟ ବ୍ଲକ୍‌ ଗୁଡ଼ିକରେ ମଧ୍ୟ ସମାନ ସ୍ଥିତି। ସରକାରୀ ତଥ୍ୟ ଅନୁସାରେ, ୨୦୨୧ ଜୁଲାଇ ମାସ ପର୍ଯ୍ୟନ୍ତ ଜିଲ୍ଲାର ୧୪ଟି ଆଇସିଡିଏସ୍‌ ପ୍ରୋଜେକ୍ଟ ଅଞ୍ଚଳରେ ୧ ଲକ୍ଷ ୭୮ ହଜାର ୪୯୦ ଜଣ ଶୂନରୁ ୫ବର୍ଷ ବୟସର ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୫୦ ହଜାର ୧୩୨ଜଣ ଶିଶୁଙ୍କ ଶାରୀରିକ ଅଭିବୃଦ୍ଧି ଠିକ୍‌ ରହିଛି। ୨୨ ହଜାର ୩୩୬ଜଣ ଶିଶୁଙ୍କ ଶାରୀରିକ ଅଭିବୃଦ୍ଧି ମଧ୍ୟମ ଧରଣର ରହିଛି। ୧୧୧୯ଜଣ ଶିଶୁଙ୍କ ଓଜନ ବୟସ ଅନୁସାରେ ଅତ୍ୟନ୍ତ କମ୍ ରହିଛି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣିଖାଦାନରୁ ସରକାର ସର୍ବାଧିକ ରାଜସ୍ବ ପାଉଥିବା ସତ୍ତ୍ବେ ଏଠାରେ ଏତେ ପରିମାଣର ଶିଶୁ ଅପପୁଷ୍ଟିର ଶିକାର ହେବା ଚିନ୍ତାଜନକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe