southodishaupdates.com
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ ମାଲଗାଁ ପଞ୍ଚାୟତ ୱାର୍ଡ ନଂ-୧୩ର ୱାର୍ଡସଭ୍ୟା ମମତା ମହାନ୍ତିଙ୍କୁ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲାପାଳ ଗୁରୁବାର ଅଯୋଗ୍ୟ ଘୋଷଣା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ମାଲଗାଁ ପଞ୍ଚାୟତର ୱାର୍ଡ ନଂ-୧୩ରେ ସିଙ୍ଗଝରନ ଗ୍ରାମର ମମତା ମହାନ୍ତି ୱାର୍ଡସଭ୍ୟା ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କର ୧୯୯୫ ଏପ୍ରିଲ ୨୧ ତାରିଖ ସୁଦ୍ଧା ସରକାରଙ୍କ ନିୟମ ଅନୁଯାୟୀ ୨ରୁ ଅଧିକ ସନ୍ତାନ ଥିବା ଦର୍ଶାଇ ସିଙ୍ଗଝରନ ଗ୍ରାମର କେଶରୀ ଦୁର୍ଗା ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ବୋର୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ରିପୋର୍ଟ ଅନୁଯାୟୀ ମମତା ମହାନ୍ତିଙ୍କ ୩ଟି ସନ୍ତାନ ଥିବା ଜଣାପଡ଼ିଥିଲା। ୨ରୁ ଅଧିକ ସନ୍ତାନ ଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲାପାଳ ମମତା ମହାନ୍ତିଙ୍କୁ ମାଲଗାଁ ପଞ୍ଚାୟତର ୱାର୍ଡ ନଂ-୧୩ର ୱାର୍ଡସଭ୍ୟା ପଦବିକୁ ଅଯୋଗ୍ୟ ଘୋଷଣା କରିଛନ୍ତି। ମିଥ୍ୟା ସତ୍ୟପାଠ କରି ଅଯୋଗ୍ୟ ଘୋଷିତ ହେଲେ ୬ ମାସ ଜେଲ୍ ପ୍ରାବଧାନ ଥିଲେ ମଧ୍ୟ ଏଭଳି ମିଥ୍ୟା ସତ୍ୟପାଠ ବିଭିନ୍ନ ସ୍ଥାନରେ ଦାଖଲ ହେଉଥିବା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ଏଭଳି ବହୁ ମାମଲା ବିଚାରାଧୀନ ଥିଲେ ମଧ୍ୟ ରାଜନୈତିକ ଚାପ ଯୋଗୁଁ ରଫାଦଫା ହେଉଥିବା ଅଭିଯୋଗ ମଧ୍ୟ ହେଉଛି।
Follow Us