ମମିତା ମେହେରଙ୍କ ହତ୍ୟା ମାମଲା: ହାଇକୋର୍ଟରେ ଦାଖଲ ହେଲା ତଦନ୍ତର ଷ୍ଟାଟସ ରିପୋର୍ଟ

Advertisment
ମମିତା ମେହେରଙ୍କ ହତ୍ୟା ମାମଲା: ହାଇକୋର୍ଟରେ ଦାଖଲ ହେଲା ତଦନ୍ତର ଷ୍ଟାଟସ ରିପୋର୍ଟ

କଟକ: ମମିତା ମେହେର ହତ୍ୟା ମାମଲାରେ ସରକାର ହାଇକୋର୍ଟରେ ତଦନ୍ତର ସାନି ସ୍ଥିତି ନେଇ ରିପୋର୍ଟ ଦାଖଲ କରିଛନ୍ତି। ଜଷ୍ଟିସ ବିଶ୍ୱଜିତ୍ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରେ ମୁଦା ଲଫାପାରେ ଏହି ଷ୍ଟାଟସ୍ ରିପୋର୍ଟ ସରକାର ଦାଖଲ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨ ସପ୍ତାହ ପରେ କର ଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ମମିତାଙ୍କ ପିତା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେର ଘଟଣାର ନିରପେକ୍ଷ ତଥା ତ୍ୱରିତ ତଦନ୍ତ ଓ ମାମଲାର ଫାଷ୍ଟ ଟ୍ରାକ କୋର୍ଟର ବିଚାର କରିବା ନେଇ ଆବେଦନ କରିଛନ୍ତି। ଏହି ମାମଲାରେ ରାଜ୍ୟ ସରକାର, ପୁଲିସ ଡିଜି, ବଲାଙ୍ଗୀର ଏସପି ଓ ସିନ୍ଦିକେଲା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ବଲାଙ୍ଗୀର ଜିଲା ଝରଣୀ ଗାଁର ମମିତା ମେହେର କଳାହାଣ୍ଡି ମହାଲିଙ୍ଗ ପବ୍ଲିକ ସ୍କୁଲରେ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଥିଲେ। ଅକ୍ଟୋବର ୮ ତାରିଖରେ ସେ ଘରୁ ବସ ଯୋଗେ ସ୍କୁଲ ଅଭିମୁଖେ ବାହାରି ଥିଲେ। ଚାନ୍ଦତାରା ଛକରେ ବସରୁ ଓହ୍ଲାଇ ସ୍କୁଲର ସଭାପତି ଗୋବିନ୍ଦ ସାହୁଙ୍କ କାରରେ ଯାଇଥିଲେ। ଏହାପରେ ନିଖୋଜ ହୋଇଯାଇଥିଲେ ମମିତା। ଅକ୍ଟୋବର ୧୩ ରେ ସିନ୍ଧେକେଲା ଥାନାରେ ମମିତାଙ୍କ ପରିବାର ନିଖୋଜ ନେଇ ଅଭିଯୋଗ କରିଥିଲେ। ଅକ୍ଟୋବର ୧୪ ରେ ଗୋବିନ୍ଦ ସାହୁକୁ ପୁଲିସ ଅଟକ ରଖିଥିବା ବେଳେ ଅକ୍ଟୋବର ୧୭ ରାତିରେ ସେ ପୁଲିସ କବଜାରୁ ଫେରାର ହୋଇଯାଇଥିଲା। ଅକ୍ଟୋବର ୧୯ ରେ ମହାଲିଙ୍ଗ ଷ୍ଟାଡିୟମ ପରିସରରୁ ପୋଡା ଯାଇଥିବା ମୃତଦେହ ମାଟି ତଳୁ ଉଦ୍ଧାର ହୋଇଥିଲା। ଅକ୍ଟୋବର ୧୯ ରେ ନିକଟସ୍ଥ ଏକ ଗାଁରୁ ଆଖୁ କିଆରୀ ଭିତରୁ ଗୋବିନ୍ଦ ସାହୁକୁ ଗିରଫ କରିଥିଲା ପୁଲିସ। ମମିତାଙ୍କ ପରିବାର ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ମାମଲାର ତଦନ୍ତ ଚାଲିଥିବା ବେଳେ ଏହାକୁ ବିଭିନ୍ନ ଭାବେ ଗଣମାଧ୍ୟମ ଓ ରାଜନୈତିକ ଦଳ ଦର୍ଶାଉଛନ୍ତି। ଅପରାଧରେ ଅଭିଯୁକ୍ତ ଗୋବିନ୍ଦ ସଂପୃକ୍ତ ଥିବା ନେଇ ସ୍ବୀକାର କରିଥିଲା। ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମୃତ ପୀଡିତାଙ୍କ ଚରିତ୍ରକୁ ନେଇ ଅପମାନଜନକ ମନ୍ତବ୍ୟ ଦିଆଯାଇଥିଲା। ରାଜନୈତିକ ଦଳ ଗୁଡିକ ରାଜନୀତିକରଣ କରିଛନ୍ତି ଏହି ଘଟଣାର। ପୀଡିତ ଓ ଶୋକସନ୍ତପ୍ତ ପରିବାରର ମର୍ଯ୍ୟାଦା ହାନି ହୋଇଛି। କେତେକ ଗଣମାଧ୍ୟମରେ ମିଛ ଖବର ପ୍ରସାରଣ କରାଯାଇଥିଲା। ତଦନ୍ତ ଚାଲିଥିବା ସ୍ଥିତିକୁ ରାଜନୈତିକ ଦଳ ଓ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ଘର ବାହାରେ ଗଣମାଧ୍ୟମ ଭ୍ୟାନ୍ ଗୁଡିକ କ୍ୟାମ୍ପ୍ କରି ଆବେଦନକାରୀଙ୍କ ମନ୍ତବ୍ୟ ନେବାକୁ ଚେ‌ଷ୍ଟା କରୁଛନ୍ତି। ଆବେଦନକାରୀଙ୍କ ବ୍ୟକ୍ତିଗତ ‌ଜୀବନରେ ହସ୍ତକ୍ଷେପ କରିବାରୁ ଗଣମାଧ୍ୟମକୁ ନିବୃତ୍ତ ରଖିବାକୁ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଏ ନେଇ କୌଣସି ପ୍ରକାର ସହଯୋଗ ମିଳୁ ନାହିଁ। ତେଣୁ ପୀଡିତାଙ୍କ ବାପା‌ ଓ ଭାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ବାଧ୍ୟ ହୋଇଛନ୍ତି। ଯଥା ଶୀଘ୍ର ଘଟଣାର ତଦନ୍ତ ‌ଶେଷ କରି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏହା ଦ୍ବାରା ପୀଡିତା ତ୍ବରିତ ନ୍ୟାୟ ପାଇବେ। ଆବେଦନକାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାର ସୁରକ୍ଷିତ ରଖିବାକୁ ତଥା ଗଣମାଧ୍ୟମ ଓ ରାଜନୈତିକ ଦଳ ନିକଟରୁ ପୀଡିତ ପରିବାରକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe