ମମିତା ହତ୍ୟା ମାମଲା: କ୍ଲିନ୍‌ଚିଟ୍ ପାଇଁ ତରତର

Advertisment
ମମିତା ମେହେର ହତ୍ୟା ମାମଲା: ପରିବାର ଲୋକଙ୍କୁ ୧୦ ଲକ୍ଷର ସହାୟତା

୧୨୦ ଦିନ ଅଛି, ପୁଲିସ ସରଜମିନ୍ ତଦନ୍ତ କଲେ ଆହୁରି ସତ୍ୟ ଉନ୍ମୋଚନ ହେବ: ଆଇନଜୀବୀ
ପ୍ରେସମିଟ୍ ଓ କୋର୍ଟଚାଲାଣ ରିପୋର୍ଟରେ ନାହିଁ ତାଳମେଳ!
ଯୌନ ନିର୍ଯାତନାର ଶିକାର ଛାତ୍ରୀ, ମହିଳା କର୍ମଚାରୀଙ୍କ ବୟାନ ରେକର୍ଡ ହେଲାଣି କି?

ଭୁବନେଶ୍ୱର : ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ପ୍ରାୟ ମାସେ ହେଲା ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରି ବିରୋଧୀ ଆନ୍ଦୋଳନ ଚଳାଇଥିବା ବେଳେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ସାମ୍ବାଦିକ ସମ୍ମିଳନୀରେ ଏକପ୍ରକାର କ୍ଲିନଚିଟ୍ ଦେଇଛନ୍ତି। ଗୋବିନ୍ଦ ଓ ତାର ଡ୍ରାଇଭର ରାଧେ ବ୍ୟତୀତ ଆଉ କାହାର ସମ୍ପୃକ୍ତି ନାହିଁ ବୋଲି କହିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଇବାରେ ପୁଲିସ ହାତରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ଡିଆଇଜି ଶ୍ରୀ କୁମାର କହିଛନ୍ତି।

ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦଙ୍କ ମତରେ ଗୋବିନ୍ଦ କୋର୍ଟଚାଲାଣ ଦିନ ଡିଆଇଜି ଦୀପକ କୁମାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ମୁଖ୍ୟ ଅଭିଯୁକ୍ତର ଗୋଟିଏ ଅନୈତିକ ସମ୍ପର୍କ ବିଷୟରେ ମମିତା ଜାଣିଥିଲେ। ସେ ଏହାକୁ ପ୍ରଘଟ କରିଦେବ ବୋଲି କହିଥିଲେ। ଗୋବିନ୍ଦ ଯୋଜନାବଦ୍ଧ ଭାବେ ମମିତାଙ୍କୁ ହତ୍ୟା କଲା। କିନ୍ତୁ ଏବେ ତଦନ୍ତକାରୀ ଅଧିକାରୀ କୋର୍ଟଚାଲାଣ ରିପୋର୍ଟରେ ଦର୍ଶାଇଛନ୍ତି ଯେ ସ୍କୁଲ ଓ କଲେଜର କିଛି ଛାତ୍ରୀ ଏବଂ ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରାଯାଉଥିଲା। ଏ କଥା ମମିତା ଜାଣିଥିଲେ ଓ ଏହାକୁ ବିରୋଧ କରୁଥିଲେ। ଯାହାଫଳରେ ଗୋବିନ୍ଦ ଯୋଜନାବଦ୍ଧ ଭାବେ ମମିତାଙ୍କୁ ହତ୍ୟା କଲା। ଏଠି ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ ଓ ତଦନ୍ତକାରୀ ଅଧିକାରୀଙ୍କ କୋର୍ଟଚାଲାଣ ରିପୋର୍ଟରେ ଉଲ୍ଲେଖ ହୋଇଥିବା ହତ୍ୟା ପଛର ଉଦ୍ଦେଶ୍ୟରେ ତାଳମେଳ ରହୁ ନାହିଁ।

publive-image

ଦ୍ବିତୀୟ କଥା ହେଲା ମାଟି ତଳୁ ମୃତଦେହ ଉଦ୍ଧାର ହେବା ପୂର୍ବଦିନ ଅର୍ଥାତ୍ ୧୭ ତାରିଖରେ ଗୋବିନ୍ଦ ପୁଲିସ କବଜାରୁ ଫେରାର ହୋଇଗଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ୧୯ ତାରିଖରେ ମହାଲିଙ୍ଗ କଲେଜ ଷ୍ଟାଡିୟମରୁ ମୃତଦେହ ଉଦ୍ଧାର ହେଲା। ମୃତଦେହ ଉଦ୍ଧାର ହେବାର କିଛି ଘଣ୍ଟା ପରେ ଗୋବିନ୍ଦ ଧରାପଡ଼ିଲା। ନିଖୋଜ ହେବା ପରେ ମମିତା କେଉଁଠି, ତାହା ସମସ୍ତଙ୍କୁ ଅଜଣା ଥିଲା। ହତ୍ୟା ଘଟଣା ପରେ ଯଦି ଗୋବିନ୍ଦ ନିଜେ ପୁଲିସକୁ ସାଙ୍ଗରେ ନେଇ ମମିତାଙ୍କୁ ହତ୍ୟା ପରେ ପୋତା ଯାଇଥିବା ସ୍ଥାନ ଦେଖାଇଥାନ୍ତା ତାହେଲେ ତା ବିରୋଧରେ ଏହା ବଳିଷ୍ଠ ପ୍ରମାଣ ହୋଇଥାନ୍ତା। ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟର ଧାରା-୨୭ ଅନୁସାରେ ଗୋବିନ୍ଦକୁ ଦୋଷୀ ସାବ୍ୟସ୍ତ କରାଇବାରେ ଏହା ସବୁଠୁ ବଡ଼ ପ୍ରମାଣ ହୋଇଥାନ୍ତା ବୋଲି କହିଛନ୍ତି ଆଇନଜୀବୀ ଶ୍ରୀ ଚାନ୍ଦ। ଏହାକୁ ଆଇନ ଭାଷାରେ ‘ଲିଡିଂ ଟୁ ଡିସକଭରି’ ବୋଲି କୁହାଯାଏ। ଏହାର ଅର୍ଥ ନିଜେ ପୁଲିସକୁ ସାଙ୍ଗରେ ନେଇ ହତ୍ୟା ପରେ ପୋଡ଼ିବା ଓ ପୋତିଥିବା ସ୍ଥାନକୁ ଅଭିଯୁକ୍ତ ଚିହ୍ନଟ କରିଥାନ୍ତା।

publive-image

ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କ କହିବା ଅନୁସାରେ, ସବୁ ଅପରାଧ ପଛରେ ଗୋଟିଏ ଉଦ୍ଦେଶ୍ୟ ରହିଥାଏ। ଏହି ଅପରାଧ ପଛରେ ମଧ୍ୟ ରହିଛି। ଯାହା ଫଳରେ ଗୋବିନ୍ଦ ଏହି ଜଘନ୍ୟ କାଣ୍ଡ ଘଟାଇଛି। ମମିତାଙ୍କ ପାଖରେ ଏମିତି କେଉଁ ପ୍ରମାଣ ଥିଲା ଯେ ଯାହା ଗୋବିନ୍ଦର ମୁଖା ଖୋଲି ଦେଇଥାନ୍ତା? ଏ ଦିଗରେ ତଦନ୍ତକାରୀ ପୁଲିସ ତଥ୍ୟ ସଂଗ୍ରହ କରିଛି କି? ପବିତ୍ର ଶିକ୍ଷାନୁଷ୍ଠାନରେ ଯେଉଁ ଛାତ୍ରୀ, ମହିଳା କର୍ମଚାରୀମାନେ ଗୋବିନ୍ଦର ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ସମସ୍ତଙ୍କର ବୟାନ ରେକର୍ଡ କରାଯାଇଛି କି? ଯଦି କରାଯାଇ ନାହିଁ ତାହେଲେ ତରତର ହୋଇ ଡିଆଇଜି କାହିଁକି କ୍ଲିନଚିଟ୍ ଦେଉଛନ୍ତି? ଯୌନ ଶୋଷଣର ଶିକାର ହୋଇଥିବା ପୀଡ଼ିତା ଯଦି ଆଉ କାହାର ନାଁ ତଦନ୍ତ ବେଳେ କିମ୍ବା ପରବର୍ତ୍ତୀ ସମୟରେ କହିଲେ ତାହେଲେ ସେମାନେ ନିଶ୍ଚିତ ଭାବେ ତଦନ୍ତ ପରିସରଭୂକ୍ତ ହେବେ। କିନ୍ତୁ ଏବେ ଠାରୁ ପୁଲିସ କ୍ଲିନଚିଟ୍ ଦେବା ପଛର ଉଦ୍ଦେଶ୍ୟ କଣ? ଏହି ସମ୍ବେଦନଶୀଳ ମାମଲାରେ ପୁଲିସ ହାତରେ ୧୨୦ ଦିନ ସମୟ ରହିଛି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହେଉଛି। ଏହି ମାମଲାରେ ରାଜ୍ୟବାସୀମାନେ ପୂରା ସତ୍ୟାସତ୍ୟ ଜାଣିବାକୁ ଚାହୁଁଛନ୍ତି। କିନ୍ତୁ ପୁଲିସ ତରବର ନ ହୋଇ ପୁଙ୍ଖାନୁପୁଙ୍ଖ, ସରଜମିନ୍ ତଦନ୍ତ କଲେ ଆହୁରି ତଥ୍ୟ ପଦାକୁ ଆସିପାରିବ ଓ ସତ୍ୟ ଉନ୍ମୋଚନ ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe